ଶରତ କରଙ୍କୁ ସମ୍ମାନ ଦେବାରେ ଅବହେଳା ପ୍ରସଙ୍ଗ, ସରକାରଙ୍କ ଜବାବ ଦାଖଲ ପରେ ନୂଆ ବିବାଦ

କଟକ: ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ଶେଷକୃତ୍ୟ ସମୟରେ ଉପଯୁକ୍ତ ରାଷ୍ଟ୍ରୀୟ ମାର୍ୟ୍ୟାଦା ପ୍ରଦାନରେ ଅବହେଳା ପ୍ରସଂଗ ନେଇ ଦାୟର ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଗୃହ ବିଭାଗ ଅଣ୍ଡର‌ ସେକ୍ରେଟାରି ପି.ସି.ପୃଷ୍ଟିଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ପରେ ସମ୍ମାନ ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ ପ୍ରସଂଗରେ ସ୍ବତନ୍ତ୍ର ନିର୍ଦେଶନାମା ରହିଛି। ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି, ରାଜ୍ୟର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓ ପୂର୍ବତନ ସାଂସଦଙ୍କ ପରଲୋକ ପରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ପାଇଁ ଏହି ନିର୍ଦେଶନାମାରେ ବ୍ୟବସ୍ଥା ନଥିବା ବେଳେ ଜିଲା ପ୍ରଶାସନ, ହାଇକୋର୍ଟ ଓ ବିଭିନ୍ନ ସରକାରୀ ବିଭାଗର ଅନୁରୋଧରେ ରାଜ୍ୟ ସରକାର କେତେକ ପ୍ରମୁଖ ବ୍ୟକ୍ତିଙ୍କ ପରଲୋକ ପରେ ଅନ୍ତିମ ସଂସ୍କାର ସମୟରେ ପୁଲିସ ସମ୍ମାନ ପ୍ରଦାନ କରୁଛନ୍ତି।

ସ୍ବର୍ଗତ କରଙ୍କ ପରଲୋକ ପରେ ପୁଲିସ ସମ୍ମାନ ପାଇଁ ଏଭଳି କୌଣସି ଅନୁରୋଧ ମିଳି ନଥିଲା। ତାଙ୍କ ଶବଶତ୍କାର ସମୟରେ ଗାର୍ଡ ଅଫ୍ ଅନର/ପୁଲିସ ସମ୍ମାନ ପ୍ରଦାନ ପାଇଁ ଭୁବନେଶ୍ବର ଡିସିପିଙ୍କୁ ଅନୁରୋଧ କରାଯାଇଥିଲା। ଅକ୍ଟୋବର ୧୨ ତାରିଖରେ ସୂର୍ୟ୍ୟାସ୍ତ ପରେ ଶରତ କୁମାର କରଙ୍କ ଅନ୍ତିମ ସଂସ୍କାର କରାଯାଇଥିବାରୁ ନିୟମ ଅନୁସାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ନଥିଲା। ମର ଶରୀର ନିଆଯିବା ବେଳେ ପୁଲିସ ଏସକର୍ଟ ପ୍ରଦାନ କରାଯାଇଥିଲା। ଏଥି ସହିତ ଶ୍ମଶାନରେ ଦୁଇ ସେକ୍ସନ ପୁଲିସ ମୁତୟନ କରାଯାଇଥିଲା। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀ, ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୁଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ଅନୁରୋଧ ଗୃହ ବିଭାଗ ପାଇ ନାହିଁ। ତେଣୁ ଏମାନଙ୍କୁ ପୁଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ନିର୍ଦେଶ ଦିଆଯାଇ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ଅନୁରୋଧରେ ଓଡ଼ିଆ କଳାକାର ଅଜିତ ଦାସଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜୟ ମହାନ୍ତିଙ୍କୁ ପୁଲିସ ସମ୍ମାନ ପ୍ରଦାନ କରାଯାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ରାଜ୍ୟ ସରକାରଙ୍କ ଏପରି ସତ୍ୟପାଠ ପରେ ନୂଆ ବିବାଦ ମୁଣ୍ଡ ଟେକିଛି। ଶେଖ ମତଲୁବ ଅଲ୍ଲୀଙ୍କୁ ପୁଲିସ ସମ୍ମାନ ପ୍ରଦାନ ପାଇଁ ନିର୍ଦେଶ ନଥିଲା ବୋଲି ସତ୍ୟପାଠରେ କୁହାଯାଇଥିବା ବେଳେ ପ୍ରକୃତ ପକ୍ଷେ କିନ୍ତୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ପୂର୍ବତନ ମନ୍ତ୍ରୀ ‌ଶେଖ ମତଲୁବ ଅଲ୍ଲୀଙ୍କ ପରଲୋକ ପରେ ୨୦୨୦, ସେପ୍ଟେମ୍ବର ୨୪ରେ ତାଙ୍କର ଗାଁ ମାହାଙ୍ଗାର କବରସ୍ଥାନରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ତା ପରେ ଶେଷ କୃୃତ୍ୟ ସଂପନ୍ନ ହୋଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ ଅସ୍ପଷ୍ଟ ନାହିଁ।

ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବତନ ବାଚସ୍ପତି ଓ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଶରତ କୁମାର କରଙ୍କ ଗତ ଅକ୍ଟୋବର ୧୨ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଏହାପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।ଏହି ସମୟରେ ରାଜ୍ୟ ସରକାର ଯେଉଁ ସମ୍ମାନ ପ୍ରଦାନ କରିବା କଥା ତାହା ପ୍ରଦାନ କରି ନଥିଲେ ବୋଲି ଆବେଦନକାରୀ ଦେବେନ୍ଦ୍ର କୁମାର ସାହୁ ଦର୍ଶାଇଛନ୍ତି। ଶରତ କୁମାର କରଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦିଆଯାଉ। ଏଥି ସହିତ ତାଙ୍କୁ ମରଣୋତ୍ତର ଭାବେ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Comments are closed.