ଧଉଳିରେ ପୂଜା ପାଇଲେ ସରସ୍ବତୀ: କୁଶ, କଦଳୀ ପତ୍ର ଓ ନଡ଼ିଆ ପତ୍ରରେ ତିଆରି ହୋଇଥିଲା ନିଆରା ପ୍ରତିମୂର୍ତ୍ତି

ଭୁବନେଶ୍ୱର: ଧଉଳିଠାରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ଇକୋ ଫ୍ରେଣ୍ଡଲି ସରସ୍ୱତୀ ମୂର୍ତ୍ତି ପୂଜା ପାଇଛନ୍ତି। ଉକ୍ତ ମୂର୍ତ୍ତିଟି କେବଳ କୁଶ, ନଡ଼ିଆପତ୍ର, କଦଳୀ ପତ୍ର ଓ କଦଳୀ ପଟୁଆରେ ସୁନ୍ଦର ଭାବରେ ନିର୍ମିତ ହୋଇଛି। ପାଞ୍ଚଫୁଟ ଉଚ୍ଚର ବାଗ୍‌ଦେବୀଙ୍କ ଏହି ମୂର୍ତ୍ତିରେ ୧୦କେଜି କୁଶ, ୫ କେଜି ଶୁଖିଲା କଦଳୀପତ୍ର, ୫କେଜି ନଡ଼ିଆପତ୍ର ଓ ଆବଶ୍ୟକ କଦଳୀ ପଟୁଆ ଲାଗିଥିବା ବେଳେ ଛାତ୍ରୀ ସରସ୍ୱତୀ ଅଙ୍ଗରିଆ, ଅର୍ପିତା ଦାସ ଓ ଛାତ୍ର ଜୟଦ୍ରଥ ମଣ୍ଡଳ, ରାଜେଶ୍ୱର ମହାପାତ୍ର, ଗତିକୃଷ୍ଣ ନାୟକ, ଜଗନ୍ନାଥ ସ୍ୱାଇଁ, ବିଶ୍ୱଦୀପ ବିଶ୍ୱାଳ ଓ ଜ୍ୟୋର୍ତିଦେବ ସିଂଙ୍କୁ ନିର୍ମାଣ ପାଇଁ ୮ ଦିନ ସମୟ ଲାଗିଥିଲା। ଅଧ୍ୟାପକ ଚନ୍ଦନ କୁମାର ସାମଲ ଓ ମାନସ ରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ କୋଭିଡ଼ ନିୟମ ପାଳନ ପୂର୍ବକ ସ୍ଥାନୀୟ ଉପକରଣରେ ଏକ ସୃଜନାତ୍ମକ ଶୈଳୀରେ ନିର୍ମିତ ଏହି ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ କିମ୍ବା ପରିବେଶ ପ୍ରତିକୂଳ ଉପରଣ ଲାଗିନଥିବା ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ କହିଛନ୍ତି।

 

ବିଗତ ୧୫ବର୍ଷ ଧରି ମହାବିଦ୍ୟାଳୟ ଦ୍ୱାରା ଏପରି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ କରି ମହାବିଦ୍ୟାଳୟ ସମାଜକୁ ବାର୍ତ୍ତା ଦେଇ ଆସୁଅଛି। ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଏପରି ମୂର୍ତ୍ତି ଓ ସାଜସଜ୍ଜାକୁ ଆପଣେଇଲେ ଆମ ପରିବେଶ ସୁସ୍ଥ ଓ ସୁନ୍ଦର ରହିପାରିବ ବୋଲି ଶ୍ରୀ ସାମଲ କହିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ. ହୃଷିକେଶ ମିଶ୍ର, ସମ୍ପାଦକ ମିହିରକାନ୍ତ ପ୍ରହରାଜ, ଅଧ୍ୟାପକ ସୁବାସ ମୁଦୁଲି, ସସ୍ମିତା କାମିଳା, ବିଶ୍ୱକାନ୍ତ ପଣ୍ଡା, ଲକ୍ଷ୍ମୀଧର ସ୍ୱାଇଁ, ଚିତ୍ରଶିଳ୍ପୀ ସଞ୍ଜୟ କୁମାର ପରିଡ଼ା, ମାନସ ମହାରଥୀ ଓ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.