୪୪ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ ମାମଲା,: ୧୨ଜଣଙ୍କ ନାଁରେ ୧୦୭ ଦଫା ଲଗାଇଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ସରପଞ୍ଚ ନିଲାମ ଘଟଣାରେ ୧୨ଜଣଙ୍କ ନାଁରେ ୧୦୭ଦଫା ଲାଗଇଲା ପ୍ରଶାସନ। ସେମାନଙ୍କୁ ପୁଇଁନ୍ତଲା ତହସିଲ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କ ସହ ଅନ୍ୟ ୧୧ଜଣ ଇତିମଧ୍ୟରେ ପୁଇଁନ୍ତଲା ତହସିଲ କୋର୍ଟରେ ହାଜର ହୋଇଥିଲେ। ବ୍ୟକ୍ତିଗତ ମୁଚାଲିକାରେ ସ୍ୱାକ୍ଷର କରି ସେମାନେ ଫେରିଥିଲେ। ଏହି ମର୍ମରେ ଆଶାୟୀ ପ୍ରାର୍ଥୀ ଶ୍ରୀ ଛତ୍ରିଆ କହିଛନ୍ତି ଯେ ଶାନ୍ତିଶୃଙ୍ଖଳା ରକ୍ଷା କରି ନିର୍ବାଚନ ହେବ। କୋଭିଡ କଟକଣା ମାନି ନିର୍ବାଚନ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଗାଁରେ ବୈଠକ ହେଉଛି। ସେମିତି ଏକ ବୈଠକ ବିଲେଇସର୍ଡାରେ ହୋଇଥିଲା। ଖୁସିରେ କିଛି ଦେବୁ ବୋଲି ବୈଠକରେ ଲୋକଙ୍କୁ କହିଥିଲୁ। ପ୍ରଶାସନ ୧୦୭ ଲାଗୁ କରିଥିଲେ। ବ୍ୟକ୍ତିଗତ ମୁଚାଲିକା କାଗଜରେ ସ୍ୱାକ୍ଷର କରିଛୁ। ନୀତି ନିୟମ ଅନୁସାରେ ପ୍ରଚାର କରିବୁ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ। ଯଦି ନମାନିବୁ ଦଣ୍ଡିତ ହେବୁ ବୋଲି ବ୍ୟକ୍ତିଗତ ମୁଚାଲିକାରେ ଲେଖିଥିବା ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, କିଛି ଦିନ ତଳେ ବିଲେଇସର୍ଡା ଜଗନ୍ନାଥ ମନ୍ଦିରରେ ତିନିଟି ଗାଁର ଲୋକଙ୍କୁ ଡକାଇ ବୈଠକ କରାଯାଇଥିଲା। ସରପଞ୍ଚ ଆଶାୟୀ ୪ଜଣ ଥିବା ବେଳେ ଶ୍ରୀ ଛତ୍ରିଆଙ୍କୁ ମନୋନୀତ କରାଯାଇଥିଲା। ସେ ୪୪ଲକ୍ଷ ୧୦ହଜାର ଟଙ୍କା ଦେଇ ଏକମାତ୍ର ସରପଞ୍ଚ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯାହାକୁ ସେ ଖଣ୍ଡନ କରିବା ସହ ଗାଁ ମନ୍ଦିରକୁ ସହାୟତା ବାବଦରେ ୪୪ହଜାର ଟଙ୍କା ଦେବେ ବୋଲି କହିଥିବା ସ୍ୱୀକାର କରିଥିଲେ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଥିଲା।

Comments are closed.