ପୂଜ୍ୟ ପ୍ରଣାମ; ଆଜି ବିପ୍ଳବୀ ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧବାର୍ଷିକ

ବିପ୍ଳବୀ ନେତା ସାରଙ୍ଗଧର ଦାସଙ୍କ (ଜନ୍ମ ୧୮୮୭ ଅକ୍ଟୋବର ୧୯-ତିରୋଧାନ ୧୯୫୭ ସେପ୍ଟେମ୍ବର ୧୮) ଜୀବନୀ ପର୍ଯ୍ୟାଲୋଚନା କଲେ ଗଡ଼ଜାତ ପ୍ରଜା ଆନ୍ଦୋଳନର ବାସ୍ତବ ଚିତ୍ର ତଥା କରୁଣ କାହାଣୀ ସମ୍ପର୍କରେ ଅନେକ କଥା ଜଣାପଡ଼େ। ଢେଙ୍କାନାଳର ହରେକୃଷ୍ଣପୁର ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ୧୮୮୭ ଅକ୍ଟୋବର ୧୯ରେ ଭୂମିଷ୍ଠ ହୋଇ ସୁଦୂର ଜାପାନ ଓ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଥିବା ଏହି ବିପ୍ଳବୀ ଯେଉଁ ଚରମ ତ୍ୟାଗର ବଳିଷ୍ଠ ନିଦର୍ଶନ ରଖିଯାଇଛନ୍ତି, ତାହା ବିରଳ।
ରାଜନୈତିକ ମୂଲ୍ୟବୋଧ ପ୍ରତିଷ୍ଠା କ୍ଷେତ୍ରରେ ସାରଙ୍ଗଧରଙ୍କ ଆଦର୍ଶ ସ୍ମରଣୀୟ। ବିଦେଶରୁ ଫେରି ନିଜ ଜନ୍ମମାଟିରେ ଉନ୍ନତ ପ୍ରଣାଳୀରେ ଚିନି ଶିଳ୍ପ ପ୍ରତିଷ୍ଠା ପାଇଁ ସେ ଉଦ୍ୟମ କରିଥିଲେ, ତାହା ତାଙ୍କ ପ୍ରଗତିଶୀଳ ଚିନ୍ତାଧାରାର ପରିଚୟ ଦିଏ। ସେ ଅନୁଭବ କରିଥିଲେ ଯେ ଦେଶରୁ ରାଜତନ୍ତ୍ର ଉଚ୍ଛେଦ ନ ହେଲେ ସାର୍ବଜନୀନ ଉନ୍ନତି ହୋଇପାରିବନାହିଁ। ତେଣୁ ରାଜତନ୍ତ୍ର ବିରୋଧରେ ଆରମ୍ଭ ହେଲା ସଂଗ୍ରାମ। ଗଡ଼ଜାତ ଆନ୍ଦୋଳନ ସମୟରେ ଗାଁ ଗାଁ ବୁଲି ସେ ନିଷ୍ପେସିତ ପ୍ରଜାମାନଙ୍କର କରୁଣ କାହାଣୀକୁ ଗଳ୍ପ ଛଳରେ ‘କୃଷକ’ ପତ୍ରିକାରେ ପ୍ରକାଶ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ସାରଙ୍ଗଧର କଂଗ୍ରେସରେ ଯୋଗ ଦେଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିପ୍ଳବୀ ନେତା ସାରଙ୍ଗଧର ଦାସଙ୍କ ୧୯୫୭ ସେପ୍ଟେମ୍ବର ୧୮ରେ ପରଲୋକ ଘଟିଥିଲା।

Comments are closed.