ଭଣ୍ଡାର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‍ଘାଟିତ

ଶରଣକୁଳ : ଓଡ଼ିଶାର ପ୍ରସିଦ୍ଧ ଶୈବକ୍ଷେତ୍ର ଲଡ଼ୁବାବାଙ୍କ ପୁଣ୍ୟ ମାଟି ଶରଣକୁଳର ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଲକ୍ଷ୍ୟ ନେଇ ଲଡ଼ୁବାବାଙ୍କ ଯାତ୍ରା ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଭଣ୍ଡାର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯-୨୦ ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ସକାଳେ ଲଡ଼ୁବାବାଙ୍କ ମନ୍ଦିର ଠାରୁ ଏକ ବିଶାଳ ଗଣଦୌଡ ବାହାରି ଶରଣକୁଳ ହରିହରପୁର , ଅସୁରଢିପା , ଶିଖରପୁର, ଆଙ୍ଗସିଙ୍ଗି, ଗୁଞ୍ଜବାରଣ, ବାଉଁଶିଆ ଗ୍ରାମ ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲା। ସନ୍ଧ୍ୟାରେ ନୟାଗଡ଼ ଉପଜିଲାପାଳ ଲଗ୍ନଜିତ୍‍ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲଡ଼ୁବାବାଙ୍କ ମନ୍ଦିର ଠାରୁ ଏକ ମଶାଲ ଶୋଭାଯାତ୍ରାରେ ମହୋତ୍ସବ ସ୍ଥାନକୁ ଆସି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶିଲଭେରିୟସ୍‍ ଟୋପୋ,ପୂର୍ବତନ ଜିଲା ପରିଷଦ ସଦସ୍ୟ ମଦନ ନନ୍ଦ, ସମାଜସେବୀ ଲୋକନାଥ ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

ଅପରାହ୍ଣରେ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ଦ୍ୱାରା ଏକ କୁଇଜ୍‍ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଥିବାବେଳେ ଭାବଗ୍ରାହୀ ମହାପାତ୍ର ଓ ନୀଳମାଧବ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶରଣକୁଳ ଓ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ, ସାଂସ୍କୃତିକ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କଳାକାରମାନଙ୍କ ସହିତ ବାଙ୍କୀ ସିଙ୍ଘମ୍‍ ଡ୍ୟାନ୍ସ ଗ୍ରୁପ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ରଞ୍ଜନ କୁମାର ଦାଶ , ପଞ୍ଚାନନ ପଣ୍ଡା , ପ୍ରଦୀପ କୁମାର ସାହୁ , ଦୁର୍ଗାକାନ୍ତ ଆଚାର୍ଯ୍ୟ ଓ ଦୁର୍ଗାଶଙ୍କର ପଣ୍ଡା ବିଚାରକ ମଣ୍ଡଳୀ ଭାବେ କାର୍ଯ୍ୟ କରିଥିଲେ। ମହୋତ୍ସବ କମିଟିର ଉପସଭାପତି ଭାଗବତ ସେଠୀ ,ବିକ୍ରମ କୁମାର ଦାଶ, ସଂପାଦକ ରବୀନ୍ଦ୍ର କୁମାର ମହାପାତ୍ର, ରବୀନ୍ଦ୍ର କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ସାହୁ, ବଳଭଦ୍ର ସ୍ୱାଇଁ, ଏମ.ଦୀନବନ୍ଧୁ ମହାପାତ୍ର, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.