ମୌସୁମିର ଲୁଚକାଳି: ଲୁପ୍ତ ଅବସ୍ଥାରେ ସାଧବ ବୋହୂ

ସାରନଗରୀ : ବର୍ଷ ସାରା କେଉଁ ଆଡେ ଅଦୃଶ୍ୟ ହୋଇ ଯାଉଥିବା ଛୋଟ କୀଟ ସାଧବ ବୋହୂ ବର୍ଷାର ପ୍ରଥମ ସ୍ପର୍ଶ ପାଇବା ପରେ କେଉଁଠି କିପରି ବାହାରି ଆସେ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥାଏ । ସାଧବ ବୋହୂ ବାହାରିଲେ ମୌସୁମୀ ଆସିଗଲା ବୋଲି ସାଧାରଣ ଗାଉଁଲି ମଣିଷଟିଏ ନିଶ୍ଚିତ ହୋଇ ଯାଇଥାଏ । ମାତ୍ର ବିଗତ କିଛି ଦିନ ହେଲା ମୌସୁମିର ଲୁଚକାଳି ଯୋଗୁ ମୌସୁମିଜନିତ ବର୍ଷା ଲଗାଣ ଭାବେ ନହେବା କାରଣରୁ ଧିରେ ଧିରେ ସାଧବ ବୋହୂ ମାନେ ଲୁପ୍ତ ହେବାରେ ଲାଗିଲେଣି ବୋଲି ସାଧାରଣରେ ଆଲୋଚନା ହେଉଛି । ବର୍ଷା ଅଭାବ ଜନିତ ପାଣିପାଗ ଯୋଗୁ ଏହି କୀଟ ମାନଙ୍କ ଆଉ ଆର୍ବିଭାବ ହେଉ ନଥିବା କୁହାଯାଉଛି ।

ଉଲ୍ଲେଖନୀୟଯେ, ଚଳିତ ବର୍ଷ ଶ୍ରାବଣ ମାସରେ ସ୍ୱାଭାବିକ ଠାରୁ କମ ବର୍ଷା ରେକର୍ଡ କରାଯାଇଛି । ଯଦିଓ ମଝିରେ ମଝିରେ ବର୍ଷା ହେଉଛି, ଅନ୍ୟପକ୍ଷରେ ବୈଶାଖ ମାସ ଭଳି ଟାଣ ଖରା ମଧ୍ୟ ହେଉଛି । ଏହି ନକରାତ୍ମକ ପରିବେଶ ଯୋଗୁ ଏହି କୀଟ ମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କେବଳ ଯେ, ସାଧବ ବୋହୂ ନୁହେଁ ପ୍ରତିକୂଳ ପାଗ ଯୋଗୁ ଅନେକ ପଶୁପକ୍ଷୀ, କୀଟପତଙ୍ଗ ବଂଶ ପ୍ରାୟତଃ ଲୋପ ପାଇପାରେ ଲାଗିଲାଣି । ବାଲିଶୁଆ, କାଠଚମ୍ପା ଚଢେଇ, ଶଖଂଚିଲ, ଶାଗୁଣା, ଘର ଚଟିଆ, ବାଇଚଢେଇ ସମେତ ଅନେକ ଉପକାରୀ ପକ୍ଷୀ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହିଁ । ରାସାନିୟକ ସାର ଏବଂ କୀଟନାଶକ କ୍ଷେତ ମାନଙ୍କରେ ବହୁଳ ବ୍ୟବହାର ଯୋଗୁ ଏହାର ସିଧାସଳଖ କୁପ୍ରଭାବ ଏହି ପଶୁପକ୍ଷୀ ମାନଙ୍କ ଉରେ ପଡ଼ୁଥିବା ପରିବେଶବିତ ମାନେ ଆଶଙ୍କା କରୁଛନ୍ତି । ଫଳରେ ମଣିଷ ଜାତିର ଉପକାର କରି ଆସୁଥିବା ଏହି ପ୍ରଜାତିର ପକ୍ଷୀ ଏବେ ପ୍ରାୟତଃ ବିଲୁପ୍ତର ଶେଷ ଦ୍ୱାରରେ କହିଲେ ବୋଧେ ଭୁଲ ହେବ ନାହିଁ ।

Comments are closed.