ଏବେ ଧାନକଟାର ବେଳ, ଘାରୁଛି ଜଙ୍ଗଲୀ ହାତୀ ଭୟ

ସାରନଗରୀ : ଗ୍ରାମାଞ୍ଚଳରେ ଆରମ୍ଭ ହୋଇ ଯାଇଛି ଧାନକଟା। ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷ ସାରା ପରିଶ୍ରମ କରିଥିବା ଚାଷୀକୁ ମିଳିଛି ତା’ର ପରିଶ୍ରମର ଫଳ। ସୁନେଲି ରଙ୍ଗର ଧାନଫସଲ କ୍ଷେତକୁ ଦେଖି ଚାଷୀ ମନ କୁଣ୍ଢେମୋଟ ହୋଇଯାଉଛି। କିଛି ଦିନ ହେଲା ଲାଠିକଟା ବ୍ଲକ ବିଭିନ୍ନ ଗ୍ରାମ ଯେପରି ରାମଯୋଡ଼ି, ଡେଲାକୁଦର, ମନକୋ, ମୁଣ୍ଡାଯୋର ସମେତ ଅନ୍ୟ ଗ୍ରାମ ଗୁଡ଼ିକରେ ବସବାସ କରୁଥିବା ଚାଷୀମାନେ ପରିବାର ସହ ଧାନକଟାରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ନିକଟବର୍ତ୍ତି ଚାଷ ଜମିରେ ଧାନ ସଂପୂର୍ଣ୍ଣ ରୂପେ ପାଚି ନଥିଲେହେଁ, ଚାଷୀ ଜଣଙ୍କୁ ଜଙ୍ଗଲୀ ହାତୀର ଭୟ ସର୍ବଦା ଘାରି ରହିଛି। ପୂର୍ବରୁ ବହୁବାର ଲାଠିକଟା ବ୍ଲକର ସୋନାପର୍ବତ, ଡେଲାକୁଦର, କଂସର, ବଲାଣି, ଟାଇଁସର, ସୁଇଡ଼ିହି ଆଦି ଅଞ୍ଚଳରେ ଝାଡଖଣ୍ଡୀ ହାତୀପଲ ସେମାନଙ୍କ ଉତ୍ପାତ ଜାହିର କରିବା ସହ ବ୍ୟାପକ ଧାନଫସଲ ନଷ୍ଟ କରିଥିବା ପୂର୍ବରୁ ବହୁବାର ନଜିର ରହିଛି। ସେହିପରି ଧାନ ଫସଲକୁ ବିଭିନ୍ନ ବିଷାକ୍ତ କୀଟପତଙ୍ଗ, ପୋକ ଓ ବାରହା ପଲ ଦାଉରୁ ଫସଲକୁ ରକ୍ଷା କରିବାକୁ ବିଧିବଦ୍ଧ ଭାବେ ଯୋଜନା ରଖି ଚାଷୀମାନେ ଧାନ କାଟିବା ଆରମ୍ଭ କରିଛନ୍ତି।

କ୍ଷେତରେ ଦୃଶ୍ୟମାନ ପାଚିଲା ଧାନର ମହମହ ବାସନା ଚାଷୀଙ୍କୁ ଉଲ୍ଲସିତ କରିଛି । ଧାନ କାଟି ଜମିରେ ହିଁ ନିହଣ ପକାଯାଇଛି । ପାଗ ଅପେକ୍ଷାକୃତ ଶୁଖିଲା ରହିଥିବା ଓ ଆଗକୁ ବର୍ଷାର ଆଶଙ୍କା ନଥିବାରୁ ଚାଷୀ ଜମିରେ ଧାନକାଟି ନିହଣ ପକାଇଥିବା କହିଛନ୍ତି ସିଉଡ଼ିହି ଅଞ୍ଚଳର ମହିଳା ଚାଷୀ ସେହ୍ନା କିସାନ। ହାତୀପଲ ଧାନ ଫସଲକୁ ଦଳି ଚକଟି ନଷ୍ଟ କରିବା ସହ ଖାଇଯିବା ଭୟରେ ଚାଷୀ ମାନେ ଏହି ସବୁ ଧାନ ଜମି ଗୁଡ଼ିକରେ ମଞ୍ଚା ପ୍ରସ୍ତୁତ କରି ଧାନ ଫସଲକ ଜଗି ରହିଛନ୍ତି। ଧାନ କଟା ହେବାପରେ ତାକୁ ଅଧିକ ନିରୀକ୍ଷଣ କରୁଛି ଚାଷୀ। ଧାନ ଜମିରୁ ଖଳାକୁ ଆସିବା ପାଇଁ ପ୍ରାୟତଃ ଚିନ୍ତା ଲାଗି ରହିବ ବୋଲି କହନ୍ତି ଅନ୍ୟ ଜଣେ ଚାଷୀ ଟାଇର୍ସର ଅଂଚଳର ବିରଜୁ ଭୂମିଜ।
ଚଳିତ ବର୍ଷ ପାଣିପାଗ ବେଶ ଅନୁକୂଳ ରହିବା ଆଶା କରା ଯାଉଥିବାରୁ ଧାନଖଳା ବେଶ ଭଲ ରହିଥିବା ପ୍ରକାଶ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟଯେ, ଚଳିତ ବର୍ଷର ପାଣିପାଗ ଓ କରୋନା ମହାମାରୀ ଯୋଗୁ ଲକ ଡାଉନ ଓ ସଟଡ଼ାଉନର ପ୍ରଭାବ ଚାଷୀକୂଳଙ୍କ ଉପରେ ପଡ଼ିଥିଲା। ସେହିପରି ଅତ୍ୟଧିକ ବର୍ଷା ହେବା ଫଳରେ କିଛି ଗ୍ରାମାଚଂଳରେ ଧାନ ଫସଲ ଉଜୁଡ଼ି ଯାଇଥିଲା। ଧାନ ରୁଆ ସମୟରେ ଚାଷୀ ମାନେ ବର୍ଷାକୁ ଚାତକ ପରି ଚାହିଁ ରହିଥିଲେହେଁ, ବର୍ଷା ଅଭାବରୁ ମଧ୍ୟ ଧାନ ଗଜା ହୋଇ ଯାଇଥିଲା। ଯାହାକି ଚାଷୀକୂଳଙ୍କୁ ବହୁମାତ୍ରାରେ ନିରାଶ କରିଥିଲା। ବର୍ତ୍ତମାନ ଧାନ ଫସଲ ହେବା ପରେ ଏହାକୁ କାଟିବାରେ ଦିନରାତି ଏକ କରି ଦେଇଛନ୍ତି ଚାଷୀକୂଳ।

Comments are closed.