ସୁଧୁରୁନି ଡ୍ରେନେଜ ବ୍ୟବସ୍ଥା, ବଢୁଛି ପ୍ରଦୂଷଣ

ସାରନଗରୀ:  ଦକ୍ଷିଣ ରାଉରକେଲା ଅନ୍ତର୍ଗତ ନବକୃଷ୍ଣନଗର ଅଂଚଳର ‘ସି’ବ୍ଲକରେ ଦିନକୁ ଦିନ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି । ପରିବେଶ ଦୂଷିତ ହେବା ଯୋଗୁ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ବ୍ଲକର କିଛି ଜାଗାରେ ଡ୍ରେନେଜ ବ୍ୟବସ୍ଥା ବ୍ୟବସ୍ଥିତ ଥିବାବେଳେ, ଅନ୍ୟ ଜାଗାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି କାରଣରୁ ଏଠିକାର ବାସିନ୍ଦା ମାନଙ୍କୁ ଦହଗଂଜ ହେବାକୁ ପଡୁଛି । ‘ସି’ ବ୍ଲକରେ ବସବାସ କରୁଥିବା କିିଛି ବାସିନ୍ଦା ଘରର ଅଳିଆ ଆବର୍ଜନା ତଥା ରୋଷେଇ ଘରର ବର୍ଜ୍ୟ ବସ୍ତୁ ଓ ମଇଳା ପାଣି ରାସ୍ତା ଉପରକୁ ପିଙ୍ଗି ଦେବାରୁ ସେଠାରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ନଜରକୁ ଆସିଛି ।

 

ସାମାନ୍ୟ ବର୍ଷା ହେଲେ ଅଳିଆ ଆବର୍ଜନା ଗୁଡ଼ିକ ବର୍ଷା ପାଣିରେ ଭାସି ଅନ୍ୟ ଲୋକଙ୍କ ଘର ସମ୍ମୁଖରେ ଜମା ହୋଇ ରହୁଛି, ଯାହା ଫଳରେ ସମୃକ୍ତ ବ୍ୟକ୍ତି ଜଣଙ୍କ ଅସୁବିଧାରେ ପଡିବା ସାର ହେଉଛି । ନବକୃଷ୍ଣନଗର ଅଂଚଳ ରାଉରକେଲା ମହାନଗର ନିଗମରେ ସାମିଲ ହୋଇ ସାରିଥିଲେ ସୁଦ୍ଧା ଏଯାଏ ଏଠାରେ କିଛି ଜାଗାରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ତଥା କିଛି ବ୍ୟକ୍ତି ଡ୍ରେନ ଉପରେ ଘର ନିର୍ମାଣ କରିବା ଦେଖିବାକୁ ମିଳୁଛି ବୋଲି ‘ସି’ ବ୍ଲକ ଅଂଚଳର ଜଣେ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି । ସେହିପରି ‘ସି’ ବ୍ଲକ ରାସ୍ତା ଅଳିଆ ଓ ଦୂଷିତ ପାଣିରେ ପୂର୍ଣ୍ଣ ରହିବା ଯୋଗୁ ମଶା ଓ ମାଛିଙ୍କ ଉପଦ୍ରବ ବୃଦ୍ଧି ପାଇଛି, ଯାହାଦ୍ୱାରା ଡେଙ୍ଗୁ ରୋଗ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ନବକୃଷ୍ଣନଗର ‘ସି’ ବ୍ଲକ ଅଂଚଳର ଏହି ସମସ୍ୟା ପ୍ରତି  ପ୍ରଶାସନର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନବକୃଷ୍ଣନଗର ‘ସି’ବ୍ଲକ ବାସିନ୍ଦାଙ୍କ ପକ୍ଷରୁ  ଦୃଢ ଦାବି ହୋଇଛି ।

Comments are closed.