କରୋନା କଟକଣାରେ ସରିଲା ସାଗରସ୍ନାନ ଯାତ୍ରା

ସୁଆଣ୍ଡୋ : କରୋନା କଟକଣା ମଧ୍ୟରେ ସୁଆଣ୍ଡୋରେ ସାଗରସ୍ନାନ ଯାତ୍ରା ଗୁରୁବାର ଶେଷ ହୋଇଯାଇଛି। ପୁରୀଜିଲାରେ ପ୍ରବାହିତ ପୁଣ୍ୟତୋୟା ସ୍ରୋତସ୍ୱିନୀ ଭାର୍ଗବୀ ନଦୀର ବଳପୁର-ସୁଆଣ୍ଡୋ ନିକଟସ୍ଥ ଭୃଗୁଘାଟରେ ଚୈତ୍ରମାସ ତ୍ରୟୋଦଶୀ ତିଥିରେ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ବରାଳ ବାଲୁଙ୍କେଶ୍ୱର, ବଳପୁରର ବାଲୁଙ୍କେଶ୍ଵର, ସୁଆଣ୍ଡୋ ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡଳେଶ୍ୱର ମହାଦେବ ସୁସଜ୍ଜିତ ବିମାନରେ ବିଜେ କରି ଛତି, ତ୍ରାସ, ବୈରଖ, ଘଣ୍ଟ-ଘଣ୍ଟା ପଖଉଜ, କାହାଳୀ, ମଶାଲ, ବାଜାବାଜି ପଲଟଣରେ ତୀର୍ଥମଣ୍ଡପରେ ବିଜେଡି କରିଥିଲେ। ପରମ୍ପରା ଅନୁସାରେ ଏକ ସଙ୍ଗେ ଚତୁଃଶମ୍ଭୁଙ୍କ ତୀର୍ଥସ୍ନାନ ପୂଜା ଓ ଆଳତୀ କରାଯାଇଥିଲା।

ମେଳା ପଡିଆରେ କୌଣସି ଦୋକାନ ବଜାର ଖୋଲିନଥିଲା । ବର୍ଷକେ ଥରେ ଶ୍ରଦ୍ଧାଳୁ ମାନେ ତୀର୍ଥରେ ସ୍ନାନ କରି ଚତୁଃଶମ୍ଭୁଙ୍କୁ ଦର୍ଶନ କଲେ ପୁଣ୍ୟ ହୋଇଥାଏ ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଓ ଜନବିଶ୍ୱାସ ରହିଆସିଛି। ତେବେ ମେଳା ପଡିଆରେ ଚଳିତ ବର୍ଷ କରୋନା କଟକଣା ସହିତ ୧୪୪ ଜାରି ହୋଇଥିବାରୁ ଶ୍ରଦ୍ଧାଳୁମାନେ ନିରାଶ ହୋଇଥିଲେ। ସନ୍ଧ୍ୟାରେ ଠାକୁର ବିମାନରେ ବିଜେ କରି ଗ୍ରାମ ପରିକ୍ରମା କରିବା ସହିତ ଦୁଆରିଭୋଗ କରାଯାଇଥିଲା।

Comments are closed.