‘ସଂସ୍କୃତି ଚର୍ଚ୍ଚା’ର ୫୦ତମ ସଂସ୍କରଣରେ ଓଡ଼ିଆ ଲିପିର କ୍ରମବିକାଶ ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାରଠାରେ ମାସିକ ଆଲୋଚନା ଚକ୍ର ‘ସଂସ୍କୃତି ଚର୍ଚ୍ଚା’ରେ ଏଥର ‘ଓଡ଼ିଆ ଲିପିର କ୍ରମବିକାଶ’ ଉପରେ ଆଲୋଚନା କରାଯାଇଛି। ଏଥିରେ ବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ସୁବ୍ରତ କୁମାର ଆଚାର୍ଯ୍ୟ ଯୋଗଦେଇ ଓଡ଼ିଆ ଲିପିର କ୍ରମବିକାଶ ଉପରେ ତାଙ୍କର ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିଥିଲେ। ସେ ସମସ୍ତ ଆଧୁନିକ ଭାରତୀୟ ଲିପି ବ୍ରାହ୍ମୀଲିପିରୁ ଉଦ୍ଧୃତ ଥିବା ପ୍ରମାଣଭିତ୍ତିକ ତଥ୍ୟ ପ୍ରଦାନ କରିଥିଲେ। ମେସୋପୋଟାମିୟା, ଚୀନ, ଗ୍ରୀସ୍‌ ପ୍ରଭୃତି ସ୍ଥାନରୁ ମିଳିଥିବା ପ୍ରାଚୀନ ଲିପିଗୁଡ଼ିକୁ ପଢ଼ାଯାଇ ପାରିଥିବାବେ ଳେ ସିନ୍ଧୁ ଉପତ୍ୟକାଠାରେ ପ୍ରାପ୍ତ ଲିପିଗୁଡ଼ିକୁ ସଂପୂର୍ଣ୍ଣ ପଢ଼ାଯାଇ ପାରିନଥିବା ଦର୍ଶାଇ ହରପ୍‌ପା ସଭ୍ୟତା ପରେ ଆସିଥିବା ବୈଦିକ କାଳରେ କୌଣସି ଲିପି ପ୍ରଚଳନ ହୋଇ ନଥିବା କହିଥିଲେ। ଏହାକୁ ଇତିହାସରେ ନୀରବ ଅବଧି ବୋଲି କହୁଥିବା ସେ ତଥ୍ୟ ଉପସ୍ଥାପନ କରିଥିଲେ।

ବ୍ରାହ୍ମୀଲିପି ଉତ୍ତରପଶ୍ଚିମ ଭାରତର କାବୁଲ, କାନ୍ଦାହାରଠାରୁ ଆରମ୍ଭ କରି ଦକ୍ଷିଣରେ ମହୀଶୂର ଯାଏ ପ୍ରାକୃତ ଭାଷା ବ୍ୟବହାର କରାଯାଇ ବ୍ରାହ୍ମୀଲିପିରେ ଶିଳାଲେଖଗୁଡ଼ିକ ଖୋଦିତ କରାଯାଇଥିଲା ବୋଲି ଉଲ୍ଲେଖ କରିଥିଲେ। ଭୌଗୋଳିକ ଭାବେ ଓଡ଼ିଶାକୁ ମୁଖ୍ୟତଃ ତିନୋଟି ଅଞ୍ଚଳ ଉତ୍କଳ, କୋଶଳ ଏବଂ କଳିଙ୍ଗରେ ବିଭକ୍ତ କରି ସେ ଉତ୍କଳରେ ବ୍ୟବହାର ହୋଇଥିବା ଲିପି ମଧ୍ୟ ଗାଙ୍ଗେୟ ଅଞ୍ଚଳ ଯଥା ବନାରସ, ଆହ୍ଲାବାଦ, ବିହାର ପ୍ରଭୃତି ସ୍ଥାନରୁ ପ୍ରାପ୍ତ ବ୍ରାହ୍ମୀଲିପିର ସାଦୃଶ୍ୟ ଥିବା ପ୍ରକାଶ କରିଥିଲେ। ସେହିପରି ମଧ୍ୟ ଭାରତରେ ପ୍ରଚଳିତ ତତ୍‌କାଳୀନ ବ୍ରାହ୍ମୀଲିପି କୋଶଳ ଅଞ୍ଚଳ ଯଥା ନୂଆପଡ଼ା, କଳାହାଣ୍ଡି ଏବଂ ଛତିଶଗଡ଼ର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାପ୍ତ କେତେକ ଶିଳାଲେଖରୁ ଜଣାପଡ଼ୁଥିବା ସେ ତାଙ୍କ ଆଲୋଚନାରେ ବର୍ଣ୍ଣନା କରିଥିଲେ। ବିଶେଷ ଭାବେ ସମ୍ରାଟ ଅଶୋକଙ୍କ ସମୟରେ ପ୍ରାୟ ଏକ ପ୍ରକାର ବ୍ରାହ୍ମୀଲିପି ତାଙ୍କ ସାମ୍ରାଜ୍ୟର ବହୁ ସ୍ଥାନରେ ବ୍ୟବହାର କରିଥିବା ଦୃଶ୍ୟମାନ ହେଉଥିବା ଦର୍ଶାଇଥିଲେ। ପ୍ରାଧ୍ୟାପକ ଆଚାର୍ଯ୍ୟ ଆଲୋକ-ଚିତ୍ର ମାଧ୍ୟମରେ ଓଡ଼ିଆ ଲିପିର କ୍ରମବିକାଶ, ଏହାର ଆକାରପ୍ରକାର, ସ୍ଥାନ ଓ କାଳ ନେଇ କିପରି ପରିବର୍ତ୍ତନ ହୋଇଛି ତା’ର ସୁନ୍ଦର ଅବତାରଣା କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଅତିରିକ୍ତ ଶାସନ ସଚିବ ଡ. ରାମକୃଷ୍ଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟ ଆଲୋଚକ ପ୍ରାଧ୍ୟାପକ ଶ୍ରୀ ଆଚାର୍ଯ୍ୟଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୁଲେମାନ୍‌ ଅଲ୍ଲୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ‘ସଂସ୍କୃତି ଚର୍ଚ୍ଚା’ କ୍ରମେ
ଅଧିକ ଗ୍ରହଣୀୟ ହେଉଥିବା ଏବଂ ସଫଳତାର ସହ ବିଭିନ୍ନ ବିଷୟରେ ୫୦ଟି ଆଲୋଚନଚକ୍ର ଆୟୋଜିତ ହୋଇପାରିଥିବା ଯୋଗୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଭାଷାବିତ୍‌ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ, ଡ.ରାଜକିଶୋର ମିଶ୍ର, ଡ.ବସନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଲେଖକ, ଐତିହାସିକ, ଗବେଷକ ତଥା ଜିଜ୍ଞାସୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ନେହଲତା ପୃଷ୍ଟି ସଂଯୋଜନା କରିଥିଲେ।

Comments are closed.