ତୀର୍ଥଭୂମି ନହେଉ ଭୋଗଭୂମି – ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ତୀର୍ଥଭୂମିକୁ ଭୋଗଭୂମି କରାନଯାଉ। ସରକାର ମହୋଦଧି ତୀର୍ଥର ସୁରକ୍ଷା କରନ୍ତୁ। ବେଳାଭୂମିରେ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଦିଶାହୀନ। ଏଭଳି ମତ ଦେଇଛନ୍ତି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ପୁରୀ-କୋଣାର୍କ ବେଳାଭୂମିରେ ୫ଟି ନୂଆ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ବିରୋଧ କରି କେତେକ ସାମାଜିକ ସଂଗଠନ କର୍ମକର୍ତ୍ତା ତାଙ୍କୁ ସାକ୍ଷାତ କରି ଅବଗତ କରାଇଥିଲେ। ଗୁରୁଜୀ କହିଲେ ସରକାର ପଛେ ଭାଙ୍ଗିଯାଉ ବେଳାଭୂମିରେ ମଦ ଦୋକାନ ଖୋଲା ନଯାଉ। ଏଭଳି ନିଷ୍ପତ୍ତିରୁ ପର୍ଯ୍ୟଟନ ବିଭାଗ ନିବୃତ୍ତ ରହିବା ଉଚିତ। ରାଜ୍ୟ ସରକାର ଚିନ୍ତାଶୀଳ ଭାବେ କାର୍ଯ୍ୟକରି ଆସ୍ଥାର ପରିଚୟ ଦେବାକୁ ଗୁରୁଜୀ କହିଛନ୍ତି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମାଙ୍କୁ ପଚାରିବାରୁ ସେ କହିଲେ ପୁରୀ-କୋଣାର୍କ ବେଳାଭୂମିରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ୨୫ଟି ସଂଗଠନ ତାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୁରୀର ଐତିହ୍ୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକତା ପ୍ରତି ବିପଦ ସୃଷ୍ଟି ହେବାପରି କୌଣସି କାର୍ଯ୍ୟ କରାଯିବ ନାହିଁ। ଲୋକଙ୍କ ଆବେଗ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲାପାଳ ଶ୍ରୀ ବର୍ମା କହିଛନ୍ତି।

Comments are closed.