ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିଲେ ସେବକ

0

ପୁରୀ: ପୁରୁଷାନୁକ୍ରମିକ ସେବାସ୍ୱତ୍ୱ ଅଧିକାରର ସୁରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ଶରଣାପନ୍ନ ହୋଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ସେବକ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ସେବକମାନେ ସେମାନଙ୍କ ମତ ରଖିଛନ୍ତି। ଶଙ୍କରାଚାର୍ଯ୍ୟ ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ଗୁରୁ ହୋଇଥିବାରୁ ଶ୍ରୀମନ୍ଦିର ପରମ୍ପରା ଓ ଶାସ୍ତ୍ରୀୟ ବିଧିବ୍ୟବସ୍ଥା ଯେପରି ସୁରକ୍ଷିତ ରହିବ ସେଥିପାଇଁ ସେମାନେ ଅନୁରୋଧ କରିଛନ୍ତି।
ଗୁରୁବାର ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠରେ ପ୍ରାୟ ୩ଘଣ୍ଟା ଧରି ସେବକମାନେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟଙ୍କ ପରାମର୍ଶ ଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ଯଦି ଅଣହିନ୍ଦୁଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଏ ଶହ ଶହ ବର୍ଷର ପରମ୍ପରା ନଷ୍ଟହେବା ସହ ଶ୍ରୀଜଗନ୍ନାଥ ସଂସ୍କୃତି ଭୁଶୁଡି ପଡିବ ବୋଲି କେତେକ ବରିଷ୍ଠ ସେବକ ଯୁକ୍ତି ବାଢିଥିଲେ।
ପୂର୍ବତନ ପରିଚାଳନା କମିଟି ସଭ୍ୟ ରବୀନ୍ଦ୍ରନାଥ ପ୍ରତିହାରୀ କହିଲେ, ଧାର୍ମିକ ବ୍ୟାପାରରେ ମତଦେବାର ଅଧିକାର କେବଳ ଶଙ୍କରାଚାର୍ଯ୍ୟଙ୍କର ରହିଛି। ଶ୍ରୀମନ୍ଦିରର ରୀତିନୀତି ଓ ପରମ୍ପରାରେ ହସ୍ତକ୍ଷେପ କରିବାକୁ ବ୍ରିଟିଶ ସରକାର ଉଦ୍ୟମ କରି ନ ଥିଲେ। ଯଦି କୌଣସି ସେବକ ବିଶୃଙ୍ଖଳା କରୁଛନ୍ତି ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। କିଛି ସେବକଙ୍କ ପାଇଁ ସବୁ ସେବକଙ୍କୁ ଦାୟୀ କରାଯିବା ଠିକ୍‌ ନୁହେଁ। ରଜତ ପ୍ରତିହାରୀ କହିଲେ ହିନ୍ଦୁଧର୍ମ ଉପରେ କୁଠାରାଘାତ ଚାଲିଛି। ଶ୍ରୀମନ୍ଦିର ଓ ସେବକଙ୍କ ପ୍ରତି ବିପଦ ଆସିଛି। ସେବକଙ୍କ ଅଧିକାର ଉଚ୍ଛେଦ ଏବଂ ଅଣହିନ୍ଦୁ ପ୍ରବେଶ ଉଦ୍ୟମ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ବୈଦ୍ୟନାଥ ମହାସୁଆର କହିଲେ, ଶ୍ରୀମନ୍ଦିର ସଂସ୍କାରରେ ସେବକମାନେ ପୂର୍ଣ୍ଣ ସହଯୋଗ କରିବେ। ପରିବାର ଭରଣପୋଷଣ ପାଇଁ ସେବକଙ୍କ ବିକଳ୍ପ ଆୟପନ୍ଥା ନାହିଁ। ଶ୍ରୀମନ୍ଦିରରେ ଶୃଙ୍ଖଳା ଆସୁ; କିନ୍ତୁ ସେବକଙ୍କ ଅଧିକାରରେ ହସ୍ତକ୍ଷେପ କରା ନ ଯାଉ। ଦାନଦକ୍ଷିଣା ବନ୍ଦ ଏବଂ ପୁରୁଷାନୁକ୍ରମିକ ସେବା ସ୍ବତ୍ବ ଅଧିକାର ଉଚ୍ଛେଦ କରାଗଲେ ସେବକ ବଞ୍ଚିବେ କେମିତି ବୋଲି ସୌମେନ୍ଦ୍ର ମୁଦଲି ପ୍ରଶ୍ନ କରିଥିଲେ। ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ଦାମୋଦର ମହାସୁଆର, ଭଗବାନ ସୁଆର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ସିଂହାରୀ କହିଲେ, ଗଜପତି ମହାରାଜା ଅଧିକାର ଦେଇଛନ୍ତି। ପରମ୍ପରା ଉଚ୍ଛେଦ ହେଲେ ଶ୍ରୀଜୀଉଙ୍କ ସେବାପୂଜା ବାଧାପ୍ରାପ୍ତ ହେବ।
ରାଜ୍ୟ ସରକାର ୬୦ବର୍ଷ ହେଲା ମନ୍ଦିର ପରିଚାଳନା ହାତକୁ ନେଇଛନ୍ତି। ସେବକଙ୍କ କଲ୍ୟାଣ ପ୍ରତି କିଛି କରାଯାଇ ନାହିଁ। ଶ୍ରୀମନ୍ଦିରରେ ପରମ୍ପରା କିପରି ବଞ୍ଚିରହିବ ସେଥିପାଇଁ ଶଙ୍କରାଚାର୍ଯ୍ୟ ଓ ଗଜପତି ସେବକଙ୍କୁ ସାହାଯ୍ୟ କରିବାକୁ ସେମାନେ ଅନୁରୋଧ କରିଥିଲେ। ଗୌରହରି ପ୍ରଧାନ, ଅନନ୍ତ ତିଆଡି କହିଲେ, ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରିବାର ଅଧିକାର ସରକାର କିମ୍ବା କୋର୍ଟଙ୍କର ନାହିଁ।
ସେବକଙ୍କଠାରୁ ଶୁଣିବା ପରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ନିଜ ମତ ରଖି କହିଲେ, ଶ୍ରୀମନ୍ଦିର ଏକ କାରଖାନା ନୁହେଁ। ଠାକୁରଙ୍କ ସେବାପୂଜା ଓ ପରମ୍ପରା ଅକ୍ଷୁଣ୍ଣ ରହିବା ଉଚିତ। ଶ୍ରୀମନ୍ଦିରକୁ ମହାତ୍ମା ଗାନ୍ଧିଙ୍କ ସମାଧି ସହ ତୁଳନା କରାଯାଇ ପାରିବ ନାହିଁ। ଶ୍ରୀମନ୍ଦିର ଶିକ୍ଷା, ରକ୍ଷା, ସେବା, ଧର୍ମ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ସେବକଙ୍କ ଶିକ୍ଷା ଓ କଲ୍ୟାଣ ପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଉଚିତ। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ନିକଟରେ ପକ୍ଷ ରଖିବାକୁ ସେ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ଆଇନଗତ ପରାମର୍ଶ ପାଇଁ ୫ଜଣିଆ କମିଟି ଗଠନ କରାଯାଇଛି।

Leave A Reply