ବିବାହ ବନ୍ଧନରେ ଆବଦ୍ଧ ହେଲେ ସଞ୍ଜୁ ସାମ୍‌ସନ

0

ତିରୁଅନନ୍ତପୁରମ୍‌ : ଭାରତୀୟ କ୍ରିକେଟର୍‌ ସଞ୍ଜୁ ସାମ୍‌ସନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିଜ କଲେଜ ସହପାଠିନୀ ତଥା ଦୀର୍ଘଦିନର ବାନ୍ଧବୀ ଚାରୁଲତାଙ୍କୁ ସଞ୍ଜୁ ବିବାହ କରିଛନ୍ତି। ଏଠାକାର ଏକ ପଞ୍ଚତାରକା ହୋଟେଲ୍‌ରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବରେ ଉଭୟଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଉପସ୍ଥିତ ଥିଲେ। ୨୪ ବର୍ଷୀୟ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ସଞ୍ଜୁ କେରଳ ତରଫରୁ ରଣଜୀ ମ୍ୟାଚ୍‌ ଖେଳି ଆସୁଛନ୍ତି। ଏଥିସହ ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ଦଳକୁ ପ୍ରତିନିଧିତ୍ବ କରିଛନ୍ତି।
ସଞ୍ଜୁ ଓ ଚାରୁଲତାଙ୍କ ମଧ୍ୟରେ ଗତ ୫ ବର୍ଷ ହେବ ପ୍ରେମ ସଂପର୍କ ରହିଥିଲା। ଉଭୟ ପରିବାର ସହମତିରେ ବିବାହ ଅନୁଷ୍ଠିତ ହୋଇଥିବାରୁ ସେ ବେଶ୍‌ ଖୁସି ଥିବା ସଞ୍ଜୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବିବାହ ସମୟରେ ସଞ୍ଜୁ ହଳଦିଆ ରଙ୍ଗର କୁର୍ତ୍ତା ଓ ଧୋତି ପିନ୍ଧିଥିଲେ। ଅନ୍ୟପକ୍ଷରେ ଚାରୁଲତା ମାନବସମ୍ବଳ ପରିଚାଳନାରେ ଡିଗ୍ରୀ ହାସଲ କରିଛନ୍ତି। କେରଳର ମାର ଇଭାନିଅନ୍‌ କଲେଜରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଆାଇପିଏଲ୍‌ ଓ ଚମ୍ପିଆନ୍‌ସ ଲିଗ୍‌ ଟ୍ବେଣ୍ଟି୨୦ରେ ଅର୍ଦ୍ଧଶତକ ହାସଲ କରିବାରେ ସଞ୍ଜୁ ହେଉଛନ୍ତି ସର୍ବକନିଷ୍ଠ ବ୍ୟାଟସମ୍ୟାନ୍‌। ୨୦୧୫ରେ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ସଞ୍ଜୁ ଭାରତୀୟ ଦଳ ତରଫରୁ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ।

Leave A Reply