ସଞ୍ଜୁର ସଫଳତାରେ ଋଷି କପୁର ଭାବପ୍ରବଣ

0

ନୂଆଦିଲ୍ଲୀ : ରାଜକୁମାର ହିରାନୀଙ୍କ ନିର୍ଦେଶିତ ଏବଂ ରଣବୀର କପୁରଙ୍କ ଅଭିନୀତ ‘ସଞ୍ଜୁ’ ଚଳଚ୍ଚିତ୍ର ମାତ୍ର ୩ ଦିନରେ ୧୦୦ କୋଟି ଟଙ୍କା ବେପାର କରି ରେକର୍ଡ ସୃଷ୍ଟି କରିଛି। ସଞ୍ଜୁର ଏହି ସଫଳତାରେ ରଣବୀରଙ୍କ ବାପା ତଥା ବଲିଉଡ଼ ଅଭିନେତା ଋଷି କପୁର ଟ୍ବିଟରରେ ଖୁସୀ ଜାହିର କରିବା ସହ ଭାବାବେଗକୁ ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ଚମକେଇ ଦେବା ଭଳି ଆୟ କରି ବଲିଉଡ଼ରେ ନୂଆ ଇତିହାସ ସୃଷ୍ଟି କରିଛି। ରାଜକୁମାର ହିରାନୀଙ୍କ ଏହି ଚଳଚ୍ଚିତ୍ର ରଣବୀରଙ୍କ ସିନେମା ଜୀବନରେ ଏକ ସୁନେଲି ମୋଡ଼ ଆଣିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ରଣବୀର ସମୀକ୍ଷକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଏବେ ସମସ୍ତଙ୍କ ମୁହଁରୁ ଖାଲି ରଣବୀରଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। କେବଳ ସେତିକି ନୁହେଁ ଚଳଚ୍ଚିତ୍ର ସମାଲୋଚକମାନେ ମଧ୍ୟ ତାଙ୍କ ଅଭିନୟର ପ୍ରଶଂସା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରଣବୀରଙ୍କ ପିତା ଋଷି କପୁର ଭାବପ୍ରବଣ ହୋଇ ଟ୍ବିଟରରେ ଲେଖିଛନ୍ତି ଯେ ‘ମୁଁ ଏବେ ଉଡ଼ୁଛି ଓ ଏବେ ୪୦ ହଜାର ଫୁଟ ଉଚ୍ଚରେ ଏମିରେଟ୍ସର ଇକେ ୭୦୨ ମାର୍ଟିୟସ ବିମାନ ମଧ୍ୟ ଉଡ଼ୁଛି। ଚିଅର୍ସ ରଣବୀର! ତୁମକୁ ଜଣାନାହିଁ ତୁମ ପିତା ମାତା ଏବେ କେତେ ଗର୍ବିତ ଅନୁଭବ କରୁଛନ୍ତି। ଧନ୍ୟବାଦ ଏବଂ ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ଏମିତି ରହିଥାଉ। ଆହୁରି ଆଗକୁ ଯାଅ।’ ଏହି ଭାବପୂର୍ଣ୍ଣ ବାର୍ତ୍ତା ସହିତ ଋଷି କପୁର ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଚଳଚ୍ଚିତ୍ର କ୍ଷେତ୍ରରେ ହେଉ ଅବା ବ୍ୟକ୍ତିଗତ କ୍ଷେତ୍ରରେ ଋଷି କପୁର ପୁଅ ରଣବୀର କପୁରଙ୍କୁ ସବୁବେଳେ ସମର୍ଥନ କରି ଆସିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ‘ସଞ୍ଜୁ’ ଚଳଚ୍ଚିତ୍ର ନିର୍ମାଣରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ମାତ୍ର ୩ ଦିନରେ ୧୧୭ କୋଟି ଆୟ କରି ଏହା ରେକର୍ଡ଼ ସୃଷ୍ଟି କରିଛି। ଏବେ ମଧ୍ୟ ସଞ୍ଜୁ ଚଳଚ୍ଚିତ୍ର ପ୍ରଦର୍ଶନ କରୁଥବା ପ୍ରେକ୍ଷାଳୟଗୁଡ଼ିକ ହାଉସଫୁଲ ରହୁଛି । ଏପରି ଟ୍ରେଣ୍ଡ ଆଉ ପ୍ରାୟ ସପ୍ତାହେ ପର୍ୟ୍ୟନ୍ତ ଚାଲିବ ବୋଲି କେତେକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି ।

Leave A Reply