ହାଇକୋର୍ଟର ବିଚାରପତି ଭାବେ ସୋମବାର ଶପଥ ଗ୍ରହଣ କରିବେ ସଞ୍ଜୀବ କୁମାର ପାଣିଗ୍ରାହୀ

କଟକ : ବରିଷ୍ଠ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସୋମବାର ଶପଥ ଗ୍ରହଣ କରିବେ। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଆସନ୍ତାକାଲି ଅପରାହ୍ଣ ଦୁଇଟା ସମୟରେ ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଏହି ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ବିଚାରପତିଙ୍କ ସମେତ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ହାଇକୋର୍ଟ ଡେପୁଟି ରେଜିଷ୍ଟ୍ରାର୍‍ ଏକ ପ୍ରେସ୍‍ ବିଜ୍ଞପ୍ତିରେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ବିଚାରପତି ଭାବେ ତାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଥିଲେ। ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୁପ୍ରମିକୋର୍ଟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା କରୁଥିବା ଶ୍ରୀ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିବ।

 

Comments are closed.