ହାତ ନୁହେଁ ହାତୀରୁ ଲଢ଼ିବେ ସଞ୍ଜୟ

ବଡ଼ସାହି: ବଡ଼ସାହି ୩୨ନଂ ସଂରକ୍ଷିତ ବିଧାନସଭା ଆସନରୁ କଂଗ୍ରେସରୁ ଆଶାୟୀ ଥିବା ଇଂ ସଞ୍ଜୟ ବେହେରା ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ସମର୍ଥକଙ୍କ ସହିତ ଦଳ ତ୍ୟାଗ କରି ବହୁଜନ ସମାଜବାଦୀ ପାର୍ଟି ଟିକଟରେ ମଙ୍ଗଳବାର ନାମାନଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଏହି ଆସନରେ ଦେବଯାନୀ ବେହେରାଙ୍କୁ ଟିକଟ ଦେବା ପରେ ସଞ୍ଜୟ ଓ ତାଙ୍କ ସମର୍ଥକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ସଞ୍ଜୟ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଚାକିରୀ ଛାଡ଼ି ଦଳ ପାଇଁ କାର୍ଯ୍ୟ କରୁଥିଲେ। ଟିକଟରୁ ବଞ୍ଚିତ ହେବା ପରେ ଦଳର କେହି ଉଚ୍ଚ ନେତୃବର୍ଗ ଯୋଗାଯୋଗ ନକରିବା ଫଳରେ କଂଗ୍ରେସର ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ସମର୍ଥକଙ୍କ ସହିତ ଇସ୍ତଫା ଦେଇ ବିଏସପିରେ ଯୋଗ ଦେଇଛନ୍ତି। ବଡ଼ସାହି ଆସନରେ କଂଗ୍ରେସ ସର୍ବଦା ୨ୟ ସ୍ଥାନରେ ରହୁଥିବା ବେଳେ ସଞ୍ଜୟଙ୍କ ବିଦ୍ରୋହ ଦଳକୁ ଅନେକ କ୍ଷତି ପହଞ୍ଚାଇବ। ମହିଳା କାର୍ଡ଼ ଖେଳି ଦଳର ହାଇକମାଣ୍ଡ ଦେବଯାନୀଙ୍କୁ ଟିକଟ ଦେଇଥିଲେ ହେଁ ଦଳ ତାର ପୂର୍ବ ସ୍ଥାନ ଅକ୍ଷୂର୍ଣ୍ଣ ରଖିବା ସନ୍ଦେହ ହୋଇଛି।

ଅନ୍ୟପକ୍ଷରେ ସଞ୍ଜୟଙ୍କୁ ଛାଡ଼ିଦେଲେ ଚଳିତ ଥର ପ୍ରମୁଖ ଦଳର ପ୍ରାର୍ଥୀ ସମସ୍ତେ ବେତନଟୀ ବ୍ଲକ ଅଞ୍ଚଳର। ବିଜେପି ପ୍ରାର୍ଥୀ ସନାତନ ବିଜୁଳିଙ୍କ ଘର କଳମା ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ବୃନ୍ଦବାନଙ୍କ ଘର ପୁରୁଣିଆରେ। ସେହିପରି ଦେବଯାନୀଙ୍କ ଘର ବେତନଟୀ। ବଡ଼ସାହି ନିର୍ବାଚନମଣ୍ଡଳୀ ବେତନଟୀର ସମସ୍ତ ୨୪ଟି ପଞ୍ଚାୟତ ଓ ବଡ଼ସାହିର ୨୧ଟି ପଞ୍ଚାୟତକୁ ନେଇ ଗଠିତ। ଗତ ୨୦୦୯ ନିର୍ବାଚନରେ ବେତନଟୀ ବ୍ଲକରୁ ଏକମାତ୍ର ପ୍ରାର୍ଥୀ ହୋଇ ବିଜେଡ଼ିର ମନୋରଞ୍ଜନ ସେଠୀ ବିଜୟୀ ହୋଇଥିବା ବେଳେ ୨୦୧୪ ନିର୍ବାଚରେ ବଡ଼ସାହି ବ୍ଲକରୁ ବିଜେଡ଼ିର ଗଣେଶ୍ୱର ଏକମାତ୍ର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀ ଏହି ନିର୍ବାଚନ ମଣ୍ଡଳୀରେ କିଛି ଅନୁକମ୍ପା ଭୋଟ ପାଉଥିବା ପ୍ରମାଣ ରହିଛି। ସେ ଦୃଷ୍ଟିରୁ ବିଚାର କଲେ ସଞ୍ଜୟ ସମସ୍ତ ପ୍ରାର୍ଥୀଙ୍କ ଭୋଟ ବିଭାଜନ ନିଶ୍ଚିତ କରିବା ଆଶଙ୍କା ସ୍ପଷ୍ଟ ହେଉଛି। ସଞ୍ଜୟ ବିଏସପିରୁ ପ୍ରତିଦ୍ୱନ୍ଦିତା କରିବା ଦ୍ୱାରା କଂଗ୍ରେସ ଲୋକସଭା ପ୍ରାର୍ଥୀ ଅଡୁଆରେ ପଡ଼ିପାରନ୍ତି। ସାମାଜିକ ନ୍ୟାୟ ସଂଗ୍ରାମରେ ସାମିଲ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଏସପିରୁ ଲଢୁଥିବା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସଞ୍ଜୟଙ୍କ ପ୍ରଚାର ମଙ୍ଗ ଧରିବାକୁ ଥିବାରୁ ବିଜେଡ଼ି ଓ ବିଜେପି ମହଲରେ ଖୁସିର ବାତାବରଣ ଖେଳିଯାଇଛି। ଅନ୍ୟପକ୍ଷରେ ଭୋଟ ବିଭାଜନ ଆଶଙ୍କା ଥିବାରୁ ଦଳର ପ୍ରାର୍ଥୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି କିପରି ରଣନୀତି ଆପଣାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments are closed.