ଲକ୍ଡ଼ାଉନ ପରଠାରୁ ଓଡ଼ିଶା ଫେରିଲେଣି ୩୯୭୬୫ ପ୍ରବାସୀ

ଭୁବନେଶ୍ବର: ଲକ୍ଡ଼ାଉନ ପରବର୍ତୀ ସ୍ଥିତିରେ ବିଭିନ୍ନ ରାଜ୍ୟରୁ ଏଯାଏ ବହୁ ପ୍ରବାସୀ ଓଡ଼ିଶା ଫେରିଲେଣି । ସେମାନଙ୍କ ମଧ୍ୟରୁ କିଛି ବସରେ ଆସିଛନ୍ତି; କିଛି ଟ୍ରେନରେ ଆସିଛନ୍ତି । ଆଉ କିଛି ଅନ୍ୟ ଯାନବାହାନରେ ଓଡ଼ିଶା ଆସିଛନ୍ତି । ଏମାନଙ୍କ ମୋଟ ସଂଖ୍ୟା ୩୯୭୬୫ ବୋଲି ଗଣନା କରାଯାଇଛି । ଏପରିକି ଗୋଟିଏ ଦିନରେ ୪ ହଜାରରୁ ଅଧିକ ଲୋକ ଓଡ଼ିଶା ଫେରିଥିବା ରେକର୍ଡ଼ କରାଯାଇଛି ।  ସେହିପରି ରାଜ୍ୟ ବାହାରେ ଅଟକି ରହିଥିବା ଲୋକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଇ-ପାସ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଓଡ଼ିଶା ଫେରିବାକୁ ଆଗ୍ରହୀ ବ୍ୟକ୍ତିମାନେ  ରାଜ୍ୟ ସରକାରଙ୍କ covid19.odisha.gov.inରେ ଆବେଦନ କରିପାରିବେ ।  ଇମେଲ୍ କିମ୍ୱା ଏସ୍‌ଏମ୍‌ଏସ୍‌ ଜରିଆରେ ସେମାନଙ୍କୁ ପାସ୍‌ ପ୍ରଦାନ କରାଯିବ । ଯେଉଁଥିରେ ଫେରିଯିବା ପାଇଁ ସେ ବ୍ୟବହାର କରୁଥିବା ବାହନ ସହ ଅନ୍ୟାନ୍ୟ ବିବରଣୀ ଉଲ୍ଲେଖ ରହିବ ବୋଲି ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ।  ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ଯେ  ରାଜ୍ୟର ସୀମାନ୍ତରେ ତନଖିଫାଟକରେ ଯାଞ୍ଚ  ପରେ ବହୁ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି । ବିଶେଷ ଭାବରେ ଯେଉଁମାନେ ବସରେ ଆସୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏପରି ଘଟୁଛି । ସେମାନେ  ଅଧା ରାସ୍ତାରେ ବସ୍‌ରୁ ଓହ୍ଲାଇ ନିଜ ନିଜ ଜିଲ୍ଲାକୁ ଯାଉଛନ୍ତି । ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏହା ଅନୁଚିତ୍ । ଭବିଷ୍ୟତରେ  ଯଦି ଏଭଳି କିଛି ଘଟେ ସମ୍ପୃକ୍ତ ଗାଡ଼ି ଓ ଗାଡ଼ି ଚାଳକକୁ ଅଟକ ରଖାଯିବ ବୋଲି ଶ୍ରୀ ସିଂହ କହିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ସ୍ଥାପିତ କୋବିଦ-୧୯ ଭିତ୍ତିଭୂମି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ରାଜ୍ୟରେ କୋଭିଡ-୧୯ ମୁକାବିଲା ନିମନ୍ତେ ୬୭୯୮ ଗ୍ରାମପଞ୍ଚାୟତ ଓ ୧୧୩ ପୌରାଞ୍ଚଳରେ  ୧୨ ହଜାର ୪୧୬ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ କରାଯାଇଛି । ଏଠାରେ ୫ ଲକ୍ଷ ଶଯ୍ୟା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

Comments are closed.