ବିଶୋଧନ ହେଲା ସରକାରୀ କାର୍ୟ୍ୟାଳୟ

ଭୁବନେଶ୍ବର: କରୋନା ପରିପ୍ରେକ୍ଷୀରେ ରାଜଧାନୀରେ ବିଭିନ୍ନ ସରକାରୀ କାର୍ୟ୍ୟାଳୟର ବିଶୋଧନ କାର୍ୟ୍ୟକୁ ଗୁରୁତ୍ବ ଦିଆଯାଇଛି। ସରକାରୀ କୋଠାବାଡ଼ିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ପକ୍ଷରୁ ସରକାରୀ କାର୍ୟ୍ୟାଳୟ ଚାଲିଥିବା କୋଠାବାଡ଼ି ବିଶୋଧନ ତ୍ବରାନ୍ବିତ କରାଯାଇଛି। ବିଧାନସଭା କୋଠା ବିଶୋଧନ ପରେ ଲୋକସେବା ଭବନ ପରିସରରେ ନବ ନିର୍ମିତ କନଭେନସନ ସେଣ୍ଟର ବିଶୋଧନ କରାଯାଇଥିଲା। ବିଶୋଧନ ପରେ ସେଠାରେ ବିଧାନସଭାର ବାକିଥିବା ଗୋଟିଏ ଦିନର ଅଧିବେଶନ ବସିଥିଲା। କାର୍ୟ୍ୟାଳୟ ଭିତରେ ସୋଡିୟମ ହାଇପୋ କ୍ଲୋରାଇଡ ସିଞ୍ଚନ କରାଯାଉଥିବା ବେଳେ ପରିସରେର ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଉଛି।
ଶୁକ୍ରବାର ଲୋକସେବା ଭବନ ବିଶୋଧନ କରାଯାଇଥିବା ବେଳେ ଶନିବାର ନିର୍ମାଣ ସୌଧର ଉଭୟ ନୂତନ ଓ ପୁରାତନ କୋଠା ଏବଂ ଖାରବେଳ ଭବନ ବିଶୋଧନ କରାଯାଇଛି। ପର୍ୟ୍ୟାୟକ୍ରମେ ରାଜଧାନୀରେ ଥିବା ସମସ୍ତ ସରକାରୀ କାର୍ୟ୍ୟାଳୟର ବିଶୋଧନ କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।