ପ୍ରଥମ ମ୍ୟାଚ୍ ଜିତିଲେ ସାନିଆ

ଲଣ୍ଡନ୍‌: ୪ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ର କୋର୍ଟକୁ ଓହ୍ଲାଇଛନ୍ତି ଭାରତର ଟେନିସ ତାରକା ସାନିଆ ମିର୍ଜା। ମହିଳା ଡବଲ୍‌ସରେ ବିଜୟ ସହ ସାନିଆ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ଯୋଡ଼ି ଆମେରିକାର ବେଥାନି ମାଟେକ୍‌-ସାଣ୍ଡ୍‌ସଙ୍କ ସହ ମିଶି ସାନିଆ ତାଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତିଛନ୍ତି। ସାନିଆ ଓ ବେଥାନି ୭-୫, ୬-୩ ସେଟ୍‌ରେ ୬ଷ୍ଠ ସିଡ୍‌ ଚିଲିର ଆଲେକ୍ସା ଗୌରାଚି ଓ ଆମେରିକାର ଡିଜାରେ କ୍ରାୱଜିକ୍‌ଙ୍କୁ ପରାସ୍ତ କରିଛନ୍ତି। ସାନିଆଙ୍କ ଜୀବନର ଏହା ୧୨୧ତମ ବିଜୟ। ୱିମ୍ବଲଡନ୍‌ରେ ସାନିଆ ମିର୍ଜାଙ୍କ ପ୍ରଦର୍ଶନ ଉପରେ ଭାରତବାସୀଙ୍କ ନଜର ରହିଛି। କାରଣ ସାନିଆ ଟୋକିଓ ଅଲିମ୍ପିକ୍‌ସରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି।

ଅଲିମ୍ପିକ୍‌ସରେ ଅଙ୍କିତା ରୈନାଙ୍କ ସହ ମିଶି ସାନିଆ ମହିଳା ଡବଲ୍‌ସ ଖେଳିବେ। ୪ଟି ଅଲିମ୍ପିକ୍‌ସରେ ଖେଳିବାରେ ୩୪ ବର୍ଷ ବୟସ୍କା ସାନିଆ ଭାରତର ପ୍ରଥମ ମହିଳା। ୨୦୧୬ ରିଓ ଅଲିମ୍ପିକ୍‌ସରେ ରୋହଣ ବୋପନ୍ନାଙ୍କ ସହ ମିଶି ମିକ୍ସଡ୍‌ ଡବଲ୍‌ସ ଖେଳିଥିବା ସାନିଆ ୪ର୍ଥ ସ୍ଥାନରେ ରହିବା ସହ ଅଳ୍ପକେ ଅଲିମ୍ପିକ୍‌ସ ପଦକରୁ ବଞ୍ଚିତ ହୋଇଥିଲେ। ୨୦୧୮ରେ ପୁତ୍ରସନ୍ତାନ ଇଝାନ୍‌ର ପ୍ରସବ ପରେ ସାନିଆ କିଛିଦିନ ଟେନିସ୍‌ରୁ ଦୂରେଇ ରହିଥିଲେ। ହେଲେ ୨୦୧୯ରେ ସେ କୋର୍ଟକୁ ଓହ୍ଲାଇ ହୋବାର୍ଟ ଇଣ୍ଟରନ୍ୟାସନାଲରେ ଚମ୍ପିଆନ୍ ହୋଇଥିଲେ।

Comments are closed.