ୱିମ୍ବଲଡନ୍‌: ମିକ୍ସଡ୍‌ ଡବଲ୍‌ସ ଦ୍ବିତୀୟ ରାଉଣ୍ଡରେ ବୋପନ୍ନା-ସାନିଆ

ଲଣ୍ଡନ: ୱିମ୍ବଲଡନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ମିକ୍ସଡ୍‌ ଡବଲ୍‌ସ ବିଭାଗର ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ଭାରତର ସାନିଆ ମିର୍ଜା ଓ ରୋହନ ବୋପନ୍ନା। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସାନିଆ ଓ ବୋପନ୍ନା ଅନ୍ୟତମ ଭାରତୀୟ ରାମକୁମାର ରାମନାଥନ୍‌ ଓ ଅଙ୍କିତା ରାଇନାଙ୍କୁ ସିଧାସଳଖ ୬-୨, ୭-୫ ସେଟ୍‌ରେ ପରାସ୍ତ କରିଥିଲେ।

ପ୍ରଥମ ସେଟ୍‌ରେ ସାନିଆ-ବୋପନ୍ନା ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ସହଜରେ ବିଜୟୀ ହୋଇଥିଲେ। ଦ୍ବିତୀୟ ସେଟ୍‌ରେ ରାମନାଥନ୍‌-ଅଙ୍କିତା କଡ଼ା ମୁକାବିଲା କରିଥିଲେ। ତେବେ ଅଭିଜ୍ଞ ସାନିଆ-ବୋପନ୍ନା ଟାଇବ୍ରେକର ମାଧ୍ୟମରେ ଦ୍ବିତୀୟ ସେଟ୍‌ ଜିତିବାକୁ ସକ୍ଷମ ହୋଇଥିଲେ। ଏହି ମ୍ୟାଚ୍‌ରେ ବୋପନ୍ନା ଉଚ୍ଚକୋଟିର ପ୍ରଦର୍ଶନ କରିଥିବା ବେଳେ ଅଙ୍କିତା ଲଢ଼ୁଆ ପ୍ରଦର୍ଶନ କରିଥିଲେ। ତେବେ ସାନିଆଙ୍କୁ ନିଜ ପ୍ରଦର୍ଶନ​‌ରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି ସ୍ପଷ୍ଟ ଭାବେ ଜଣାପଡୁଥିଲା। ସୂଚନାଥାଉକି ପୁରୁଷ ଡବଲ୍‌ସ ବିଭାଗରେ ବୋପନ୍ନା-ଦିଭିଜ୍‌ ଶରନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ି ସାରିଛନ୍ତି।

Comments are closed.