୮ମାସ ପରେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦେଶରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ତଦନ୍ତ ପାଇଁ ପଦ୍ମପୁର ଗସ୍ତ

ପଦ୍ମପୁର: ପଦ୍ମପୁର ଉପଖଣ୍ତସ୍ତ ପାଇକମାଲ ବ୍ଲକ ଅର୍ନ୍ତଗତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ଜଣେ ପୋସ୍କୋ କେସ୍‌ ବିଚାରାଧିନ ଝିଅ ଦୀର୍ଘଦିନ ହେଲା ରହି ଆସୁଛନ୍ତି। ଆଶ୍ରମର ସୁପରିଟେଣ୍ଡେଣ୍ଟ ନିର୍ମଳ କୁମାର ଗିରିଙ୍କ ନାମରେ ଅନ୍ତେବାସିନୀଙ୍କର ମା’ ଗତ ମାର୍ଚ୍ଚ ମାସରେ ତାଙ୍କୁ ୧.୫୦ଲକ୍ଷ ଟଙ୍କା ପ୍ରଲୋଭନ ଦେଖାଇ କେସ୍‌କୁ ରଫାଦଫା କରିବାର ଅଭିଯୋଗ ଆଣିଥିଲେ। ଏହାର ଅଭିଯୋଗ ପତ୍ର ସେ ବରଗଡ ଏସ୍‌ପିଙ୍କ ପାଖରେ ୨୦ମାର୍ଚ୍ଚ ୨୦୨୦ରେ ଦେଇଥିଲେ। ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେବାପାଇଁ ପାଇକମାଲ ଥାନା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ହେଲେ କୈାଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୀଡିତାଙ୍କ ମା’ ନିରାଶ ହୋଇ ସାମାଜିକ କର୍ମୀ ପଦ୍ମପୁରର ଅନିଲ ଦୋରା ଓ ସୁନାଧର ଭୋଇଙ୍କୁ ଜଣାଇଥିଲେ। ଗତ ଏପ୍ରିଲ ମାସରେ ସୁନାଧର ଭୋଇ ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ଏ ବାବଦରେ ଅବଗତ କରିବା ସହ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବେଦନ କରିଥିଲେ। ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀ ଏହାକୁ ଗମ୍ଭିରତାର ସହ ନେଇ ଏହାଉପରେ କି କାର୍ୟ୍ୟାନୁଷ୍ଠାନ ନିଆଯାଇଛି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସଚିବଙ୍କୁ ୩ଥର ନୋଟିସ୍‌ କରିବା ପରେ ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଆସି ପ୍ରଥମେ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇଥିଲେ। ସେଠାରେ ଆଶ୍ରମର ଅସୁରକ୍ଷିତ ଅବସ୍ଥା ଦେଖି ତାହା ଶୀଘ୍ର ଠିକ୍ କରିବା ପାଇଁ ବରଗଡ ଡିସିପିଓ ମଞ୍ଜୁ ଏକ୍କାଙ୍କୁ ନିର୍ଦେଶ ଦେଇଥିଲେ। ପରେ ପଦ୍ମପୁର ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳାରେ ତାଙ୍କର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସଙ୍ଗେସଙ୍ଗେ ପୀଡିତା, ପୀଡିତାଙ୍କ ମା, ଆଇଆଇସି ପାଇକମାଲ, କସ୍ତୁରବା ଗାନ୍ଧୀ ମାତୃ ନିକେତନ ସୁପରିଟେଣ୍ଡେଣ୍ଟ, ଅନିଲ ଦୋରା, ସୁନାଧର ଭୋଇ, ବେଣୁଧର ସାହାଙ୍କୁ ଜଣ ଜଣ କରି ଜେରା କରିବା ସହିତ ଆବଶ୍ୟକୀୟ ଦସ୍ତାବିଜ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଉପଖଣ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ରଚନ୍ଦ୍ର ପାଣୀଗ୍ରାହୀ, ଆଇଆଇସି ମାନସ ରଞ୍ଜନ ପ୍ରଧାନ ଉପସ୍ଥିତ ରହିଥିଲେ।
ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ତଦନ୍ତ ପ୍ରକ୍ରିୟରେ ବିଳମ୍ବ ହେବା ଓ ୮ମାସ ବିତି ଯାଇଥିଲେ ମଧ୍ୟ ସମାଧାନ ନ ହୋଇପାରିଥିବାରୁ ଦୁଃଖ ପ୍ରକାଶ କରିବା ସଙ୍ଗେ ଉଚ୍ଚ ପଦାଧିକାରୀଙ୍କୁ ତାଗିଦ୍‌ କରିଥିଲେ। ତଦନ୍ତ ପ୍ରକ୍ରିୟା ଯାଥା ଶୀଘ୍ର ସାରି ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବା ସହ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶ୍ବାସନା ଦେଇଥିଲେ।

Comments
Loading...