ସନ୍ଧ୍ୟାଦର୍ଶନ କରି ଭକ୍ତ ବିମୋହିତ

0

ପୁରୀ : ପବିତ୍ର ନବମୀ ତିଥିରେ ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନକରି ବିମୋହିତ ହୋଇଛନ୍ତି ଭକ୍ତ। ପ୍ରବଳ ବର୍ଷାକୁ ଖାତିର ନକରି ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହି ତିଥିରେ ଦାରୁବ୍ରହ୍ମଙ୍କୁ ଦର୍ଶନ ଅତ୍ୟନ୍ତ ପୂଣ୍ୟଦାୟକ। ଶ୍ରୀମନ୍ଦିର ରତ୍ନସିଂହାସନରେ ୧୦ବର୍ଷ ଦର୍ଶନର ପୂଣ୍ୟ ଆଡ଼ପମଣ୍ଡପରେ ନବମୀ ଦର୍ଶନରୁ ମିଳିଥାଏ। ଏହାଛଡା ଦିନଦର୍ଶନ ଅପେକ୍ଷା ରାତିଦର୍ଶନର ଫଳ ୧୦ଗୁଣ ବୋଲି ଗବେଷକ ମତ ଦିଅନ୍ତି। ଶ୍ରୀଜୀଉଙ୍କୁ ଆଡ଼ପମଣ୍ଡପରେ ସନ୍ଧ୍ୟାଦର୍ଶନ କରି ବ୍ରାହ୍ମଣଙ୍କୁ ମହାପ୍ରସାଦ ଦାନକଲେ ପିତୃପୁରୁଷଙ୍କୁ ମୁକ୍ତି ମିଳିଥାଏ। ପରିବାରର ମଙ୍ଗଳ ହୁଏ।
ଯଜ୍ଞବେଦୀ ତଥା ଆଡ଼ପମଣ୍ଡପରେ ନବମୀ ସନ୍ଧ୍ୟାଦର୍ଶନ ମାହାତ୍ମ୍ୟ ସମ୍ପର୍କରେ ସ୍କନ୍ଧପୁରାଣ, ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଆଦି ପ୍ରାଚୀନ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। ରବିବାର ମହାପ୍ରଭୁ ରଥରେ ବସି ବାହୁଡାବିଜେ କରିବେ। ତେଣୁ ତୁହାକୁ ତୁହା ବର୍ଷାସତ୍ତ୍ବେ ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଶନିବାର ଭକ୍ତଙ୍କ ଭିଡ ଲାଗିରହିଛି। ସକାଳୁ ସନ୍ଧ୍ୟା ମଧ୍ୟରେ ପ୍ରାୟ ୫୦ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ବନ୍ଦପରେ ଶ୍ରୀଜୀଉଙ୍କ ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ରାହାସକୁ ଦିଅଁବିଜେ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପହୁଡ ଆଳତି, ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମି ଲାଗି ନୀତି ଅନୁଷ୍ଠିତ ହୋଇଛି।

Leave A Reply