ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ବଡ଼ସାହି

-ଭାରୀଯାନରେ ଦିନରାତି ଚାଲାଣ ହେଉଛି ଶହଶହ ଟନର ବାଲି
 -ଉତ୍ତୋଳନ ଠାରୁ ଚାଲାଣ ପର୍ଯ୍ୟନ୍ତ ସମସ୍ତ ନିୟମ ଖୋଲାଖୋଲି ଉଲଘଂନ
-ରାଜସ୍ୱ କ୍ଷତିକୁ ବଢୁଛି ଅପରାଧ;ଆଖି ବୁଜିଦେଇଛି ପ୍ରଶାସନ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି। ଦିନରାତି ଭାରୀଯାନରେ ଜିଲା ତଥା ଜିଲା ବାହାରକୁ ଚାଲାଣ ହେଉଛି ବୁଢ଼ାବଳଙ୍ଗ ନଦୀର ବାଲି। ନଦୀରୁ ବାଲି ଉତ୍ତୋଳନ ସାଙ୍ଗକୁ ଚାଲାଣ ପର୍ଯ୍ୟନ୍ତ ସମସ୍ତ ନିୟମ ଖୋଲାଖୋଲି ଉଲଘଂନ ହେଉଛି। ଗୋଟିଏ ପଟେ ସରକାରଙ୍କ ରାଜସ୍ୱ କ୍ଷତି ଘଟୁଥିବା ବେଳେ ବାଲି ଚାଲାଣ ପାଇଁ ଶାନ୍ତ ବଡ଼ସାହି ଥାନା ଇଲାକାରେ ଅପରାଧ ବୃଦ୍ଧି ପାଉଛି। ବେଆଇନ କାରବାର ପାଇଁ ରାଜସ୍ୱ, ପୁଲିସ୍‍ ଓ ପରିବହନକୁ ମିଶାଇ ୩ଟି ବିଭାଗର ଦୀର୍ଘ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାର ଉଦାହରଣ ବେଲପାଳ ବାଲି ଖାଦାନରେ ଦେଖିବାକୁ ମିଳିଛି। ନଦୀ ଗର୍ଭରେ ଏକ ଟୁ-ଟେନ ବାଲି ଉତ୍ତୋଳନ ମେସିନ ପାଣିରେ ଅଧା ବୁଡ଼ି ରହିଥିବା ବେଳେ ତାକୁ ଉଠାଇବା ପାଇଁ ଦୁଇଟି ହାଇଡ୍ରା ମେସିନ ଉଦ୍ୟମ କରୁଥିବା ଭିଡ଼ିଓ ଓ ଫୋଟ ଜିପିଏସ କେମେରାରେ ଉତ୍ତୋଳିତ ହୋଇଥିଲା। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବା ସାଙ୍ଗକୁ ପ୍ରଶାସନିକ ଉଚ୍ଚସ୍ତରୀୟ ନିର୍ଦେଶ କ୍ରମେ ବଡ଼ସାହି ତହସିଲଦାର ମମତାଜ ମହାରଣା ଓ ଥାନାଧିକାରୀ ଜୟନ୍ତ କୁମାର ବେହେରା ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିଲେ। ତେବେ ମେସିନଟି ଧୋଇବାକୁ ନେଇଥିବା ବେଳେ ପାଣିରେ ବୁଡ଼ିଯାଇଥିଲା ବୋଲି ଲିଜଧାରୀ ତହସିଲଦାରଙ୍କୁ ବୟାନ ଦେଇଥିଲେ।

ଅପରପକ୍ଷରେ ବାଲି ଉତ୍ତୋଳନ ପାଇଁ ନଦୀଶଯ୍ୟାରେ ରାସ୍ତା ନିର୍ମାଣ ପାଇଁ ମେସିନ ଯାଇଥିଲା ବୋଲି ଲିଜଧାରୀ ଥାନାଧିକାରୀଙ୍କୁ କହିଥିଲେ। ଉଭୟ ଅଧିକାରୀଙ୍କ ନିକଟରେ ଲିଜଧାରୀଙ୍କ ବୟାନ ଭିନ୍ନ ଥିବା ବେଳେ ଉକ୍ତ ଖାଦାନରୁ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ହେଉଥିବା ନେଇ ସଦର ଉପଜିଲାପାଳଙ୍କ ନିକଟରେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥିସହିତ ଭାରୀଯାନ ଗୁଡ଼ିକ ବଡ଼ସାହି-ବେତନଟୀ ରାସ୍ତାରେ ଦିନରାତି ଚଳପ୍ରଚଳ କରୁଥିବାରୁ ଶଗଡ଼ଭଙ୍ଗା ପୋଲ ବିପଦ ସଙ୍କୁଳ ହୋଇପଡ଼ିଛି। ପୂର୍ତ୍ତବିଭାଗ ପକ୍ଷରୁ ପୋଲ ଉପରେ ୭ଟନରୁ ଊର୍ଦ୍ଧ୍ବ ଓଜନର ଭାରୀଯାନ ଚଳପ୍ରଚଳ କଟକଣାକୁ କେହି ମାନୁ ନଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧୁଛି। ବଡ଼ସାହି ତହସିଲ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବେଲପାଲ ଖାଦାନରୁ ବର୍ଷକୁ ୧୨ହଜାର ୧୦୦ସିଏମ ବାଲି ଉତ୍ତୋଳନ ନିୟମ ରହିଛି। ଯାହାପାଇଁ ଲିଜଧାରୀ ବର୍ଷକୁ ୯ଲକ୍ଷ ୬ହଜାର ୨୬୫ଟଙ୍କା ରୟାଲଟି ଫି ଜମା କରିଥାନ୍ତି। ୫ଏକର ପରିମିତ ଖାଦାନରୁ ବର୍ଷକୁ ବହୁଗୁଣା ଅଧିକ ବାଲି ଉତ୍ତୋଳନ ଅଭିଯୋଗ ହୋଇଛି। ଏହି ଖାଦାନ ନିକଟରେ ବୁଢାବଳଙ୍ଗ ନଦୀର ବେଲପାଳ ସେତୁ ଥିବାରୁ ବର୍ତ୍ତମାନ ପୋଲ ପ୍ରତି ବିପଦ ଦେଖାଦେଲାଣି। ତା’ର ଦୁଇଟି ପିଲର ଦବୁଥିବାରୁ ପୋଲ ଉପର ରାସ୍ତା କ୍ଷତି ପହଞ୍ଚିଲାଣି। ଲିଜଧାରୀ ପୋଲ ଉପର ଓ ତଳ ମୁଣ୍ଡରେ ଦୀର୍ଘ ଲମ୍ବର ନଦୀଶଯ୍ୟା ବାନ୍ଧି ବାଲି ଉତ୍ତୋଳନ କରୁଥିବା ଅଭିଯୋଗରେ ଉଲ୍ଲେଖ ରହିଛି।

କେବଳ ବେଲପାଳ ନୁହେଁ ବଡ଼ସାହି ତହସିଲ ଅଧୀନରେ ଥିବା ୯ଟି ନିଲାମ ଘାଟର କାହାଣୀ ଖଜୁରୀଗଛ ମୂଳରୁ ପାହାଚ ପାହାଚ ସଦୃଶ୍ୟ। ଉଠାଣୀନୂଆଗାଁ ବାଲିଖାଦାନ ପାଇଁ ବର୍ତ୍ତମାନ ଗାଁ ଦୁଇ ଗୋଷ୍ଠୀରେ ଭାଗଭାଗ, ପ୍ରଶାସନ ସଶସ୍ତ୍ର ପୁଲିସ୍‍ ମୁତୟନ ପରେ ମଧ୍ୟ ସେଠାରେ ଲିଜଧାରୀ ବାଲି ଉତ୍ତୋଳନ କରିପାରୁ ନାହାନ୍ତି। ଶାକୁଆ ଖାଦାନ ବର୍ଷକୁ ୫ହଜାର ୬୫ସିଏମ ବାଲି ଉତ୍ତୋଳନ ପାଇଁ ୫ଲକ୍ଷ ୯୧ହଜାର ୧୩୪ଟଙ୍କା ରୟାଲଟି ଦାଖଲ ନିୟମ ଥିଲେ ହେଁ ଚଳିତ ବର୍ଷ ତାହା ଜମା ହୋଇନାହିଁ। ପ୍ରତାପପୁର ଖାଦାନରେ ବର୍ଷକୁ ୪ହଜାର ୬୭ସିଏମ ବାଲି ଉତ୍ତୋଳନ ପାଇଁ ୩ଲକ୍ଷ ୯୨ହଜାର ୫୯୨ଟଙ୍କା ରୟାଲଟି ଦାଖଲ ହୋଇଛି। ସେହିପରି ଆରପଟ୍ଟା ଖାଦାନ ବର୍ଷକୁ ୨୪୦୦ସିଏମ ବାଲି ପାଇଁ ୨୪ଲକ୍ଷ ୬୫ହଜାର ୩୭୪ଟଙ୍କା ଓ ମହୁପୁରା ଖାଦାନ ପାଇଁ ବର୍ଷକୁ ୨୪୦୦ସିଏମ ପାଇଁ ୨୨ଲକ୍ଷ ୫୪ହଜାର ୫୬୫ଟଙ୍କା ରୟାଲଟି ଦାଖଲ ହୋଇଛି। ବାଗୁଲି ଖାଦାନ ବର୍ଷକୁ ୧୮୦୦ସିଏମ ପାଇଁ ୭ଲକ୍ଷ ୧୮ହଜାର ୧୧୭ଟଙ୍କା ଓ ଡ଼ିଙ୍ଗରା ଖାଦାନ ୨୦୦୦ସିଏମ ପାଇଁ ୩୨ଲକ୍ଷ ୪୧ହଜାର ୭୩୭ଟଙ୍କା ଧାର୍ଯ୍ୟ ଥିଲେ ହେଁ ଦାଖଲ ହୋଇନାହିଁ। ଅନ୍ୟପକ୍ଷରେ ଟୁଣାଗମ୍ଭାରିଆ ଖାଦାନ ୪ହଜାର ୪୦୧ସିଏମ ପାଇଁ ବର୍ଷକୁ ୭୦ଲକ୍ଷ ୫୬ହଜାର ୪୭୧ଟଙ୍କା ରୟାଲଟି ଜମା ନିୟମ ଥିବା ବେଳେ ତ୍ରୈମାସିକ ଜମା ବାବଦକୁ ଲିଜଧାରୀ ୧୮ଲକ୍ଷ ଟଙ୍କା ଜମା କରିଥିଲେ ହେଁ ଜନସାଧାରଣଙ୍କ ବିରୋଧ ପାଇଁ ପ୍ରଶାସନ ଉତ୍ତୋଳନ ଓ ପରିବହନ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିନାହିଁ। ଯାହାକୁ କେନ୍ଦ୍ର କରି ଗୋଷ୍ଠୀ ବିବାଦ ତୀବ୍ରରୂପ ଧାରଣ କରିବାକୁ ଯାଉଛି। ୯ଟି ଲିଜ ଖାଦାନରୁ ୪ଟି ବର୍ତ୍ତମାନ ସରକାରୀ ଭାବେ କାର୍ଯ୍ୟକରୁଛି। ପ୍ରତ୍ୟେକ ଖାଦାନରେ ବେଲପାଳ ଭଳି ସମାନ ସ୍ଥିତି।

ଅନ୍ୟପକ୍ଷରେ ରୟାଲଟି ଦାଖଲ ହୋଇନଥିବା ଖାଦାନରୁ ମଧ୍ୟ ବାଲି ଉତ୍ତୋଳନ ସାଙ୍ଗକୁ ପରିବହନ ବେଆଇନ ଭାବେ ଚାଲିଛି। ତାଲାବନ୍ଦ ପାଇଁ ପୁଲିସ ଓ ପ୍ରଶାସନ ଅତିରିକ୍ତ କାର୍ଯ୍ୟ ବ୍ୟସ୍ତତାର ସୁଯୋଗରେ ମାଫିଆ ଗୋଷ୍ଠୀ ସକ୍ରିୟ ହୋଇପଡ଼ିଛନ୍ତି। ୨୦୧୭-୧୮ ଓ ୧୮-୧୯ ଆର୍ଥିକ ବର୍ଷରେ ଉଭୟ ବିଭାଗ ସହିତ ପରିବହନ ବିଭାଗ ବ୍ୟାପକ ଧରପଗଡ଼ କରି ଭାରୀଯାନ ଜବତ ନିତିଦିନିଆ କଥା ହୋଇଥିବା ବେଳେ ଚଳିତବର୍ଷ ତାହା ଦେଖିବାକୁ ନମିଳୁଥିବାରୁ ପ୍ରଶାସନ ସହିତ ମାଫିଆଙ୍କ ସମ୍ପର୍କକୁ ସମସ୍ତେ ଭିନ୍ନ ଭାବରେ ନେଲେଣି। ଅତୀତରେ ଜିଲାରେ ମଧ୍ୟ ଟାସ୍କଫୋର୍ସ ଗଠନ ସାଙ୍ଗକୁ ବାହାର ଅଧିକାରୀଙ୍କୁ ଅଚାନକ ଯାଞ୍ଚରେ ପଠାଇ ତତ୍କାଳୀନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ରାଜସ୍ୱ ଲୁଟରେ ଅଙ୍କୁଶ ଆଣିଥିଲେ। ତାହା ବର୍ତ୍ତମାନ ବିରଳ। ଉଚ୍ଚସ୍ତରୀୟ ତଦନ୍ତ ହେଲେ ଲୁଟ ହେଉଥିବା ରାଜସ୍ୱ ସରକାରଙ୍କ ତହବିଲକୁ ଆସିପାରନ୍ତା। କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Comments are closed.