୫ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ହୋଇପାରନ୍ତି ଜୟସୂରିୟା!

0

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ୍‍ ସନତ ଜୟସୂରିୟା୫ ବର୍ଷ ପାଇଁ କ୍ରିକେଟ୍‍ରୁ ବାସନ୍ଦ ହୋଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଜୟସୂରିୟାଙ୍କ ବିରୋଧରେ ଆଇସିସି ଶୃଙ୍ଖଳାଗତ ଆରଚରଣବିଧି ଉଲ୍ଲଘଂନ ମାମଲା ରୁଜୁ କରିଛି। ଯଦି ଏହି ମାମଲାରେ ଜୟସୂରିୟା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୬ ମାସରୁ ୫ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‍ରୁ ବାସନ୍ଦ ହେବାକୁ ପଡ଼ିବ। ଆଇସିସିର ଦୁର୍ନୀତି ନିବାରଣ ସଂସ୍ଥା (ଏସିୟୁ) ତଦନ୍ତରେ ସହଯୋଗ ନ କରିବା, ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା, ତଦନ୍ତ ନିମନ୍ତେ ଆବଶ୍ୟକ କାଗଜପତ୍ର ନଷ୍ଟ କରିବା ଆଦି ଅଭିଯୋଗରେ ଜୟସୂରିୟାଙ୍କ ବିରୋଧରେ ଆଇସିସି ତରଫରୁ ମାମଲା ରୁଜୁ କରାଯାଇଛି।
ଶ୍ରୀଲଙ୍କା କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ଜୟସୂରିୟା ଶ୍ରୀଲଙ୍କା କ୍ରିକେଟ୍‍ ଦଳ ମନୋନୟନ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଶ୍ରୀଲଙ୍କା ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା ଫଳରେ ସେପ୍ଟେମ୍ବର ୨୦୧୭ରେ ଜୟସୂରିୟାଙ୍କ ସହ କମିଟିର ସବୁ ସଦସ୍ୟ ଇସ୍ତଫା ଦେଇଥିଲେ। ଶ୍ରୀଲଙ୍କା କ୍ରିକେଟ୍‍ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହେବା ପରେ ଆଇସିସି ଏସିୟୁ ଏହାର ତଦନ୍ତ ଗତ ଏକବର୍ଷ ହେବ କରୁଛି। ତେବେ ଜୟସୂରିୟା ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ସହାୟତା ପ୍ରଦାନ କରୁନଥିବା ଅଭିଯୋଗ ହୋଇଥିଲା। ଏପରିକି ତଦନ୍ତ ପାଇଁ ଜୟସୂରିୟାଙ୍କୁ ଫୋନ ଦେବାକୁ ଏସିୟୁ ତରଫରୁ କୁହାଯାଇଥିଲେ ମଧ୍ୟ ସେ ଏହାକୁ ଖାତିର କରିନଥିବା ଅଭିଯୋଗ ଆସିଛି। ଆସନ୍ତା ୧୪ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ଏସିୟୁ ତରଫରୁ ଜୟସୂରିୟାଙ୍କୁ କୁହାଯାଇଛି। ଜୟସୂରିୟା ଯେଉଁ ଜବାବ ଦାଖଲ କରିବେ ତାହାର ତର୍ଜମା କରିବ ଆଇସିସି। ଯଦି ଜୟସୂରିୟାଙ୍କ ଜବାବରେ ଆଇସିସି ସନ୍ତୁଷ୍ଟ ନ ହୁଏ ତେବେ ତାଙ୍କୁ କ୍ରିକେଟ୍‍ ସଂପର୍କିତ କାର୍ଯ୍ୟକଳାପରୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯିବ ବୋଲି ଜନୈକ ବରିଷ୍ଠ ଅଧିଖାରୀ କହିଛନ୍ତି। ଅନ୍ୟପକ୍ଷରେ ଆଇସିସି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜୟସୂରିୟା। ସେ କେବେ ବି କ୍ରିକେଟ୍‍ର ସ୍ୱାର୍ଥହାନି ହେବା ପରି କାମ କରିନାହାନ୍ତି ବୋଲି ଦର୍ଶାଇବା ସହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅମୂଳକ ବୋଲି ମତ ଦେଇଛନ୍ତି।

Leave A Reply