କରୋନାରେ ପ୍ରାର୍ଥୀଙ୍କ ମୃତ୍ୟୁ, ସାମସେରଗଞ୍ଜରେ ଭୋଟ୍‌ ସ୍ଥଗିତ

କଲକାତା : ମୁର୍ଶିଦାବାଦର ସାମସେରଗଞ୍ଜ କଂଗ୍ରେସ ପ୍ରାର୍ଥୀ ରେଜାଉଲ୍‌ ହକ୍‌ (ମଣ୍ଟୁ ବିଶ୍ବାସ) କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିବାଦ୍ବାରା ସେହି ଆସନର ଭୋଟ ଆପାତତଃ ସ୍ଥଗିତ ରଖାଯାଇଛି ବୋଲି ଆଜି ନିର୍ବାଚନ କମିସନ ପକ୍ଷରୁ ରାଜ୍ୟ ନିର୍ବାଚନୀ ଦପ୍ତର ଅଧିକାରୀଙ୍କୁ ସୂଚାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ସାମସେରଗଞ୍ଜ କଂଗ୍ରେସ ପ୍ରାର୍ଥୀ ରେଜାଉଲ୍‌ ହକ୍‌ କରୋନାରେ ଆକ୍ରାନ୍ତ ବୋଲି ଗତକାଲି ତାଙ୍କ ରିପୋର୍ଟରୁ ଜଣାପଡ଼ିଥିଲା। ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ କଲକାତାର ଏକ ବେସରକାରୀ ହାସପାତାଳରେ ଭର୍ତ୍ତି କରାଯାଇଥିଲା; କିନ୍ତୁ ଆଜି ଭୋର୍‌ରେ ହାସପାତାଳରେ ତାଙ୍କର ମୃତ୍ୟୁ ଘଟିଛି। ଯାହାଦ୍ବାରା ନିର୍ବାଚନ କମିସନ ପକ୍ଷରୁ ସାମସେରଞ୍ଜ ଭୋଟ ସ୍ଥଗିତ ରଖାଯିବାର ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କେବଳ ସାମସେରଗଞ୍ଜ ନୁହେଁ, ରାଜ୍ୟର ବିିଭିନ୍ନ କେନ୍ଦ୍ରରେ ବହୁ ରାଜନୈତିକ ପ୍ରାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୁର୍ଶିଦାବାଦର ଜଙ୍ଗିପୁର କେନ୍ଦ୍ର ଆର୍‌ଏସ୍‌ପି ପ୍ରାର୍ଥୀ ପ୍ରଦୀପ ନନ୍ଦି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିବାବେଳେ ଜଳପାଇଗୁଡ଼ି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ବର୍ମା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଶିଲିଗୁଡ଼ି ହାସପାତାଳରେ ଭର୍ତ୍ତି ହୋଇଛନ୍ତି। ସେହିପରି ନଦିଆର କରିମପୁର ବିଜେପି ପ୍ରାର୍ଥୀ ସମରେନ୍ଦ୍ର ନାଥ ଘୋଷ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ମାଟିଗଡ଼ା-ନକ୍ସଲବାଡ଼ି ବିଜେପି ପ୍ରାର୍ଥୀ ଆନନ୍ଦ ବର୍ମନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗୋୟାଲପୋଖରର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଗୋଲାମ ରବ୍‌ବାନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ତପନ ଅଞ୍ଚଳର ତୃଣମୂଳ କଂଗ୍ରେସ ପ୍ରାର୍ଥୀ କଳ୍ପନା କିସ୍କୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ହେବାକୁ ଥିବାର ଚାରି ଦଫା ଭୋଟ କିପରି ଭାବେ ହେବ ତାହା ନେଇ ନିର୍ବାଚନ କମିସନରଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଥିବାବେଳେ ସାମସେରଗଞ୍ଜ ଭୋଟ ସାମୟିକ ପାଇଁ ସ୍ଥଗିତ ରଖାଯିବାର ସିଦ୍ଦାନ୍ତ ନିଆଯାଇଥିବା ଜଣାପଡ଼ିଛି।

Comments are closed.