ସିଙ୍ଗଡ଼ା, ଆଳୁଚପର ନାମ ଇଂଜିନିୟର୍..ବମ୍…ବାବା…ଘୋଡ଼ା

0

ଇନ୍ଦୋରର ରାନୀଗଳି ନିକଟରେ ଏକ ବଡ଼ ଜଳଖିଆ ଦୋକାନ ରହିଛି। ପର୍ଯ୍ୟଟକ ଏଇ ରାସ୍ତା ଦେଇ ଯା’ଆସ କରୁଥିବାବେଳେ ସ୍ଥାନୀୟ ଲୋକଙ୍କର ବାର୍ତ୍ତାଳାପ ଶୁଣି ଆଶ୍ଚର୍ଯ୍ୟ ପ୍ରକାଶ କରନ୍ତି। କାରଣ ସେମାନଙ୍କ କଥା ଚାଲିଥାଏ, ୩୦ ଟଙ୍କାର ଇଂଜିନିୟର ଦିଅ। ଆଉ କେହି ବରାଦ୍ କରୁଥିବେ ଗୋଟିଏ ପ୍ଳେଟ୍ ଘୋଡ଼ା ଓ ବମ୍ ଦିଅ। ତେବେ ଦୋକାନ ଭିତରକୁ ପ୍ରବେଶ ପରେ ହିଁ ଅଚିହ୍ନା ଲୋକ ସତ କଥା ଜାଣିପାରନ୍ତି। ୫୫ ବର୍ଷ ପୁରାତନ ଏଇ ଦୋକାନରେ ସିଙ୍ଗଡ଼ା, ଆଳୁଚପ୍ ଓ ବିଭିନ୍ନ ପ୍ରକାରର ମିଠାର ନାମକରଣ ଏଇପରି। ଇଂଜିନିୟର, ବମ୍, ବାବା, ଘୋଡ଼ା, ହାତୀ, ଇତ୍ୟାଦିଇତ୍ୟାଦି। ଦୋକାନର ମାଲିକ ଅଜିତ୍ ସିଂ କହିଛନ୍ତି ତାଙ୍କ ବାପା ଏଇ ଦୋକାନର ଶୁଭାରମ୍ଭ କରିଥିଲେ। ଆରମ୍ଭ ଦିନରୁ ହିଁ ମିଠା ଓ ଛଣାଛଣି ଖାଦ୍ୟର ନାମକରଣ ଏହିପରି ରଖାଯାଇଛି। ଲୋକେ ମଧ୍ୟ ଏଇ ନାମରେ ଆକର୍ଷିତ ହୋଇ ପ୍ରଥମେ ଦୋକାନକୁ ଆସୁଥିଲେ। ଏବେ କିନ୍ତୁ ସୁଆଦ ପାଇଁ ମଧ୍ୟ ଦୋକାନର ଲୋକପ୍ରିୟତା ଶୀର୍ଷରେ ଅଛି। ମୁମ୍ବଇରୁ ଆସିଥିବା ପର୍ଯ୍ୟଟକ ଦିନେଶ କହିଛନ୍ତି ଏଇ ଦୋକାନ ପାଖରେ ଛିଡ଼ା ହୋଇଥିବାବେଳେ ସେ ଶୁଣିବାକୁ ପାଇଲେ ଯେ ଜଣେ ଗ୍ରାହକ ୧୫୦ ଟଙ୍କାର ବମ୍ ବରାଦ୍ କରୁଛି। ତୁରନ୍ତ ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି ସେ ନିରାପଦ ସ୍ଥାନକୁ ଯିବାକୁ ବାହାରିଲେ। ତେବେ ସାଙ୍ଗରେ ଥିବା ଟ୍ୟାକ୍ସି ଚାଳକର ପରାମର୍ଶ ଥିଲା, ସାର୍‌! ପ୍ରଥମେ ଦୋକାନ ଭିତରକୁ ଯାଇ ଦେଖିଆସନ୍ତୁ ତ’ ବମ୍‌‌ଟି କେଉଁଥିରେ ତିଆରି? ଦିନେଶ ମଧ୍ୟ ଦେଖିଲେ ଯେ ବାହାରେ ଜଳଖିଆ ଦୋକାନର ବୋର୍ଡ ଲାଗିଛି, ହେଲେ ଭିତରେ ବମ୍ କାରବାର ଚାଲୁଛି କିପରି? ସାହସ ଜୁଟାଇ ସେ ଦୋକାନ ଭିତରକୁ ଗଲେ ଓ ଭିତରେ ଆଳୁଚପ୍ ବମ୍‌କୁ ଦେଖି ପୂରା ପରିବାର ପାଇଁ ୫୦ ଟଙ୍କାର ବମ୍ କିଣି ଆଣିଥିଲେ ବୋଲି ହସିହସି କହିଛନ୍ତ ଦିନେଶ।

Leave A Reply