‘ସମାଜ’ର ବିଶେଷତ୍ବ

‘ସମାଜ’ ସମ୍ବାଦପତ୍ରର ଶତବାର୍ଷିକୀ ଉତ୍ସବର ଶୁଭାରମ୍ଭ ଗତବର୍ଷ ଅକ୍ଟୋବର ମାସରେ ଏକ ସମ୍ଭ୍ରାନ୍ତ, ମର୍ଯ୍ୟାଦାପୂର୍ଣ୍ଣ, ଭବ୍ୟ ସମାରୋହରେ ଆରମ୍ଭ ହୋଇଥିଲା। ଉତ୍ସବରେ ସାରାବର୍ଷର ପାଳନ ପାଇଁ ଯେଉଁ ଯୋଜନା ବା ଖସଡ଼ା ପ୍ରସ୍ତୁତ ହୋଇଥିଲା ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ କରୋନା ମହାମାରୀଜନିତ ଅନିଶ୍ଚିତତା ହେତୁ। ଭାରତବର୍ଷରେ କେବଳ ତିନି ଚାରୋଟି ନିରନ୍ତର, ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଥିବା ଏବଂ ଶତକ ସ୍ପର୍ଶ କରିଥିବା ସମ୍ବାଦପତ୍ରମାନଙ୍କ ମଧ୍ୟରେ ‘ସମାଜ’ ଅନ୍ୟତମ। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଲାଲା ଲଜପତ୍‌ ରାୟ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ତତ୍ତ୍ବାବଧାନରେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନଟି ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଭାଷାଭିତ୍ତିକ ପ୍ରଦେଶ ଗଠନ ଏବଂ ଓଡ଼ିଆର ପରିଚୟ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ଦିନ ଥିଲା ଯେତେବେଳେ ସମ୍ବାଦପତ୍ର କହିଲେ ‘ସମାଜ’କୁ ବୁଝାଯାଉଥିଲା ଏବଂ ଏହା ଓଡ଼ିଆ ଭାଷାର ମାନ ନିର୍ଦ୍ଧାରଣ କରୁଥିଲା। ଏଥିରେ ପ୍ରୟୋଗ ହେଉଥିବା ଶବ୍ଦ ଓ ସଂଯୋଜନାକୁ ବିନା ପ୍ରଶ୍ନରେ ଲୋକେ ଗ୍ରହଣ କରୁଥିଲେ ।

‘ସମାଜ’ ସବୁବେଳେ ସବୁ ଶ୍ରେଣୀର, ସବୁ ବର୍ଗର ସାଧାରଣ ଲୋକଙ୍କର ଅନ୍ୟାୟ ବିରୋଧରେ ନିର୍ଭୟରେ ସ୍ବର ଉତ୍ତୋଳନ କରିଆସିଛି। ‘ସମାଜ’ ଅବହେଳିତ, ନିଷ୍ପେଷିତ ହେଉଥିବା ମୂକ ଜନତାର ସ୍ବର। ଏହାର ରାଜସ୍ବର ଲାଭାଂଶର କିଛି ଅଂଶ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତ ଏବଂ ଅଭାବୀ ଜନତାର କଲ୍ୟାଣରେ ବିନିଯୋଗ ହୋଇଥାଏ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଅଭାବଗ୍ରସ୍ତ ମେଧାବୀ ବିଦ୍ୟାର୍ଥୀଙ୍କୁ ଅଧ୍ୟୟନ ପାଇଁ ସହାୟତା ଦିଆଯାଇଥାଏ । ତେଣୁ ‘ସମାଜ’ କେବଳ ଏକ ସମ୍ବାଦପତ୍ର ନୁହେଁ, ଅନୁଷ୍ଠାନ ନୁହେଁ, ଏହା ଏକ ମିସନ। ଗୋପବନ୍ଧୁଙ୍କ ନୀତି, ଆଦର୍ଶରେ ସମାଜସେବାରେ ଏ ପର୍ଯ୍ୟନ୍ତ ସକ୍ରିୟ ।

ଆମ ଦେଶରେ ସାମ୍ବାଦିକତା ସ୍ବାଧୀନତା ଆନ୍ଦୋଳନ ସମୟରେ ଓ ପରବର୍ତ୍ତୀ କାଳରେ କିଛି ବର୍ଷ ପାଇଁ ମିସନ ଭଳି ଗ୍ରହଣ କରାଯାଉଥିଲା । ପରେ ତାହା ପ୍ରଫେସନ ବା ବୃତ୍ତି ବୋଲି ବିଚାର କରାଗଲା । ବର୍ତ୍ତମାନ ଏହାର ବ୍ୟବସାୟୀକରଣ ହୋଇଛି। ତେବେ ସ୍ବୀକାର କରିବାକୁ ପଡ଼ିବ ଯେ ‘ସମାଜ’ ପୁଞ୍ଜିପତି ଓ ପରିବାରବାଦରୁ ମୁକ୍ତ ା ଏବେ ବି ଆପତ୍ତିଜନକ ବିଜ୍ଞାପନ ନୀତିଗତ ଭାବେ ଏଥିରେ ପ୍ରକାଶ ହୁଏ ନାହିଁ। ଏହା ହିଁ ହେଲା ‘ସମାଜ’ର ବିଶେଷତ୍ବ। ଅତୀତରେ ‘ସମାଜ’ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଛି; କିନ୍ତୁ ଦିଶାହରା ହୋଇନାହିଁ।  ଚିରନ୍ତନ ମାନବୀୟ ମୂଲ୍ୟବୋଧ ଆଧାରିତ ଆଦର୍ଶ ଏହାର ମାର୍ଗଦର୍ଶକ। ଓଡ଼ିଶାର ଅସ୍ମିତା ଏବଂ ଏହାର ବିଭବଶାଳୀ, ଗୌରବମୟ ଐତିହ୍ୟର ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ପାଇ ‘ସମାଜ’ ସଂଗ୍ରାମରତ। ‘ସମାଜ’ରେ ପ୍ରକାଶିତ ଖବରର ପ୍ରଭାବ ପ୍ରତିଫଳନ ହୁଏ ସରକାରୀ ପଦକ୍ଷେପରେ।

ଇତିମଧ୍ୟରେ ଲୋକସେବକ ମଣ୍ଡଳ ମଧ୍ୟ ବିିଭିନ୍ନ ବିବର୍ତ୍ତନ ଓ ପରିବର୍ତ୍ତନ ସହ ଦୃଷ୍ଟାନ୍ତମୂଳକ ଭାବେ ନେତୃତ୍ବର ଦାୟିତ୍ବ ଯୁବପିଢ଼ିକୁ ହସ୍ତାନ୍ତର କରିଛି – ଯାହା ସମୟୋପଯୋଗୀ ଏବଂ ଯୁଗୋପଯୋଗୀ। ଜନସଂଖ୍ୟାର ଦୃଷ୍ଟିକୋଣରୁ ଆମ ଦେଶ ବର୍ତ୍ତମାନ ଯୁବପିଢ଼ି ବା ଯୁବଦେଶ । ଗତବର୍ଷର ଶତବାର୍ଷିକୀ ଉଦ୍‌ଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ପ୍ରଣିଧାନଯୋଗ୍ୟ ଓ ପ୍ରାସଙ୍ଗିକ ଏବଂ ତାହା କେବଳ ‘ସମାଜ’ ପାଇଁ ଉପାଦେୟ ନୁହେଁ ସେଗୁଡ଼ିକର ଯଥାର୍ଥତା ମଧ୍ୟ ଭବିଷ୍ୟତରେ ସବୁ ଗଣମାଧ୍ୟମ ପାଇଁ ରହିବ। ଭାରତର ଉପରାଷ୍ଟ୍ରପତିଙ୍କ ମତରେ ସୂଚନାକୁ ପରଖି, ଏହାର ସତ୍ୟ, ନିଷ୍ଠାକୁ ତନ୍ନତନ୍ନ ଭା​‌ବେ ଯାଞ୍ଚକରି ଖବର ପରିବେଷଣ କରିବା ଜରୁରୀ। ଆଜିକାର ଗଣମାଧ୍ୟମରେ ଟିଆର୍‌ପି, ପ୍ରସାରଣ ସଂଖ୍ୟା ଏବଂ ବଟମ୍‌ ଲାଇନ୍ ଗୁରୁତ୍ବପୂର୍ଣ୍ଣ ହୋଇପାରେ କିନ୍ତୁ ଏହା ଆଧିପତ୍ୟ ବିସ୍ତାର କରିବା ଅନୁଚିତ୍। ସେ ଆହୁରି ମଧ୍ୟ କହିଥିଲେ ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନ ଥିବା ବାହନ ଭଳି। ମୁକ୍ତ ଓ ସ୍ବଚ୍ଛ ଗଣମାଧ୍ୟମ ଗଣତନ୍ତ୍ର ପାଇଁ ଅପରିହାର୍ଯ୍ୟ। ଖବର ଓ ବିଚାରର ମିଶ୍ରଣଠାରୁ ଦୂରେଇ ରହିବାର ପ୍ରୟୋଜନ ମଧ୍ୟ ରହିଛି । ଗଣମାଧ୍ୟମ ସ୍ବରହୀନ ଲୋକଙ୍କର ସ୍ବର ଓ ପରିବର୍ତ୍ତନର ପଥ ପ୍ରଦର୍ଶକ ହେଉ। ରାଜ୍ୟପାଳ ଅନୁସନ୍ଧାନମୂଳକ ସତ୍ୟ ଓ ତଥ୍ୟ ଆଧାରିତ ସମ୍ବାଦ ପରିବେଷଣ ଉପରେ ପ୍ରାଧାନ୍ୟ ଦେଇ ଗଣମାଧ୍ୟମ ନିଜର ବିଶ୍ବସନୀୟତା ଓ ନିରପେକ୍ଷତା ଜନତାଙ୍କ ନିକଟରେ ବଜାୟ ରଖିବାକୁ ନିବେଦନ ରଖିଥିଲେ।  ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଗଣମାଧ୍ୟମ ଗଣତନ୍ତ୍ରର ଅମ୍ଳଜାନ ବୋଲି ଚିତ୍ରିତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ବକ୍ତବ୍ୟରେ ‘ସମାଜ’ ଭଳି ଐତିହ୍ୟସମ୍ପନ୍ନ ସମ୍ବାଦପତ୍ରର ଆଗାମୀ ସମୃଦ୍ଧ ଓଡ଼ିଶାର ବିଶେଷ ଭୂମିକା ସହ ଓଡ଼ିଶା ପାଇଁ ଯେଉଁ ଭିଜନ୍ ରହିଛି ତାହାର ରୂପାୟନ ପାଇଁ ନେତୃତ୍ବ ନେବାର ପ୍ରୟୋଜନ ଉପରେ ପ୍ରାଧାନ୍ୟ ଦେଇଥିଲେ ।

ସେ ଦିନର ଶତବାର୍ଷିକୀ ଉତ୍ସବରେ ପ୍ରଦତ୍ତ ସମ୍ମାନିତ ଅତିଥିଙ୍କର ବକ୍ତବ୍ୟଗୁଡ଼ିକର ଗୁରୁତ୍ବ, ମହତ୍ତ୍ବ ଓ ପ୍ରାସଙ୍ଗିକତା ବର୍ତ୍ତମାନର ଦୃଶ୍ୟକ୍ରମରେ ଯଥାର୍ଥ । ଗଣମାଧ୍ୟମର ଢାଞ୍ଚା, ସ୍ବତନ୍ତ୍ର ବୈଶିଷ୍ଟ୍ୟ ଓ ପରମ୍ପରା ଦ୍ରୁତ ପରିବର୍ତ୍ତନ ସହ ଅବକ୍ଷୟମୁଖୀ। ସୋସିଆଲ ମିଡିଆ ଜନପ୍ରିୟତା ସହ ଆଦୃତ ହୋଇଥିବା ହେତୁ ସେଥିରେ ପ୍ରସାରିତ ହେଉଥିବା ମିଛ ଖବର ଓ ପରିବେଷଣ ଶୈଳୀ ଆଧାରରେ ବହୁ ସମୟରେ ଜନମତ ସୃଷ୍ଟି ହେଉଛି ଯାହା ନିର୍ବାଚନ ଫଳାଫଳ ଛଡ଼ା ନ୍ୟାୟପାଳିକାକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ସନ୍ଦେହ ଓ ପ୍ରଶ୍ନ ଉଠୁଛି। ଅତିରଞ୍ଜିତ ଖବର ଓ ଚରିତ୍ର ସଂହାର ବର୍ତ୍ତମାନ ଏକ ମାମୁଲି କଥା। ପରିବର୍ତ୍ତନଶୀଳ ପୃଥିବୀରେ ଲୋକସେବକ ମଣ୍ଡଳ ସଭାପତି ଦୀପକ ମାଲବ୍ୟଙ୍କ ଭାଷାରେ ‘ସମାଜ’ ଦୃଢ଼ ବିଶ୍ବାସ ଏବଂ ସତ୍ୟନିଷ୍ଠାର ସହ ଜନଜୀବନର ସମସ୍ୟା ସାମ୍ନାକୁ ଆଣିବାରେ ପଶ୍ଚାତ୍‌ପଦ ହେବନି। ‘ସମାଜ’ ଜରିଆରେ ଏକ ଉତ୍ତମ ରାଜ୍ୟ ଓ ରାଷ୍ଟ୍ର ଗଠନ ଦିଗରେ ଅବିରତ ଉଦ୍ୟମ କରିବ । ଏହା ହିଁ ହେଉ ଆମ ସମସ୍ତଙ୍କର ଧ୍ୟେୟ।

Comments are closed.