ଆସନ୍ତା ଶିକ୍ଷା ବର୍ଷରୁ ଶିକ୍ଷକଙ୍କ ବଦଳି ନିୟମ ଲାଗୁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର :ଚଳିତବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଏବଂ ପ୍ରଶ୍ନପତ୍ର ପ୍ରଘଟ ନହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ ଚଳିତବର୍ଷ ୫ଲକ୍ଷ ୬୦ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିପାଇଁ ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା କଡାକଡି, ସିସିଟିଭି ଲାଗିବା, ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ନନେବା ଭଳି କଥା ଆଲୋଚନା ହୋଇଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ୧୦୦ଟି ଉତ୍କର୍ଷ ଶିକ୍ଷାନୁଷ୍ଠାନ କିଭଳି ତୁରନ୍ତ  କାର୍ଯ୍ୟାନ୍ବୟନ ହୋଇପାରିବ ସେନେଇ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।

ଶ୍ରୀ ଦାଶ କହିଛନ୍ତି ଯେ କୌଣସି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ଯେଭଳି ୬ବର୍ଷରୁ ଉର୍ଦ୍ଧ୍ବ ସମୟ ନରହିବେ ସେନେଇ ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦେଶନାମା ଜାରି ହୋଇଥିଲା। ଏହାକୁ ନେଇ ବିଭିନ୍ନ ଜିଲା ଶିକ୍ଷା ଅଧିକାରୀ ଅଧିକାରୀମାନଙ୍କୁ ବଦଳି କରିଛନ୍ତି। ଆଉ କେତେକ ଜିଲାରେ ଏନେଇ ସରକାରଙ୍କୁ ପ୍ରସ୍ତାବ ଆସିଛି। ଏହାକୁ ତୁରନ୍ତ ବିଚାର କରାଯିବ। ତେବେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସେଭଳି କିଛି ବଦଳି ନୀତି ନାହିଁ। ଆସନ୍ତା ଶିକ୍ଷାବର୍ଷରୁ ତଥା ମେ’ରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଲାଗି ସ୍ବତନ୍ତ୍ର ବଦଳି ନୀତି ଲାଗୁ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସେ କହିଛନ୍ତି ଯେ ବିଶ୍ବରେ ଏବେ କରୋନା ଭୂତାଣୁ ସଂକ୍ରମଣ ଏକ ମାରାତ୍ମକ ରୋଗ ଭାବେ ଦେଖାଦେଇଛି। ଏନେଇ ରାଜ୍ୟ ସରକାର ସଚେତନ ଅଛନ୍ତି। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ପ୍ରତ୍ୟେକ ବିଦ୍ୟାଳୟ ଉକ୍ତ ମାର୍ଗଦର୍ଶିକା ଅନୁସରଣ କରିବାକୁ କୁହାଯାଇଛି। ଯେଉଁଠାରେ ଛାତ୍ରଛାତ୍ରୀଙ୍କଠାରେ ଏଭଳି କିଛି ରୋଗର ଲକ୍ଷଣ ସନ୍ଦେହ ହେବ ସେମାନେ ତୁରନ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି। ବୈଠକରେ ଗଣଶିକ୍ଷା ସଚିବ ଚିତ୍ରା ରୁମୁଗମ, ଓସେପା ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଓଏସଡ଼ି ଖଗେନ୍ଦ୍ରନାଥ ପାଢ଼ୀଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.