ତୃତୀୟ ପାନରେ ଦିଆଯିବ ସମାନ ଟିକା

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଜାନୁଆରୀ ୧୦ ତାରିଖରୁ ସତର୍କତାମୂଳକ ପାନ ବା ବୁଷ୍ଟର ପାନ ବା ତୃତୀୟ ପାନ ଟିକାକରଣ ଅଭିଯାନ ଆରମ୍ଭ ହେବ। ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଗୁରୁତର ରୋଗରେ ଆକ୍ରାନ୍ତ ୬୦ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଏହି ୩ୟ ପାନ ଦିଆଯିବ। ୩ୟ ପାନ ଟିକାକରଣ ପୂର୍ବରୁ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ ତୃତୀୟ ପାନରେ ବୟସ୍କ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ଓ ଦ୍ବିତୀୟ ପାନରେ ନେଇଥିବା ସମାନ ପ୍ରକାର ଟିକା ଦିଆଯିବ। ଅର୍ଥାତ୍ ପ୍ରଥମ ଓ ଦ୍ବିତୀୟ ପାନରେ ଯେଉଁମାନେ କୋଭିସିଲ୍ଡ ଟିକା ନେଇଥିବେ ତୃତୀୟ ପାନରେ ସେମାନଙ୍କୁ କୋଭିସିଲ୍ଡ ଟିକା ଦିଆଯିବ। ସେହିପରି ପ୍ରଥମ, ଦ୍ବିତୀୟ ପାନରେ ଯେଉଁମାନେ କୋଭାକ୍ସିନ ଟିକା ନେଇଥିବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ ବୋଲି ନିତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି। ତୃତୀୟ ପାନ ଟିକାକରଣ କ୍ଷେତ୍ରରେ କୌଣସି ପ୍ରକାର ମିଶ୍ରଣ କରାଯିବ ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ତୃତୀୟ ପାନ (ପ୍ରିକସନାରୀ ଡୋଜ) ପାଇଁ ଡାକ୍ତରୀ ପ୍ରମାଣପତ୍ର ଆବଶ୍ୟକ ନାହିଁ।

Comments are closed.