କନଭେଣ୍ଟ ସ୍କୁଲ ଏସି ଫିସ ବିବାଦ ମାମଲା : ପ୍ରଶାସନର ଛାଟରେ ହାର ମାନିଲା ସ୍କୁଲ

ସମ୍ବଲପୁର: ସମ୍ବଲପୁରର ସାକ୍ଷୀପଡା ସ୍ଥିତ ସେନ୍ଟ ଯୋଶେଫ କନଭେନ୍ଟ ସ୍କୁଲରେ ଏସି ଲଗାଇବା ଓ ଏହା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଫିସ ଆଦାୟ ବିବାଦ ଘଟଣାରେ ଶେଷରେ ପ୍ରଶାସନର ଛାଟ ପଡିବାରୁ ସ୍କୁଲ କର୍ତ୍ତୃପକ୍ଷ ହାର ମାନିଛନ୍ତି। ଏସି ଫିସ ବିବାଦ ମାମଲାରେ ସେଣ୍ଟ ଯୋଶେଫ କନଭେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଅଭିଭାବକ ସଂଘ ତରଫରୁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଫେରାଦ ହୋଇଥିଲେ। ଏ ନେଇ ଅଭିଭାବକ ସଂଘ ଗତ ୬ ତାରିଖରେ ସମ୍ବଲପୁର ଜିଲାପାଳ ଓ ୧୨ ତାରିଖରେ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ସ୍କୁଲର ମନମାନୀ ଫିସ ବିରୋଧରେ ଫେରାଦ ହୋଇଥିଲେ।

ଅଭିଭାବକ ସଂଘର ଅନୁରୋଧ ପତ୍ରକୁ ଧ୍ୟାନରେ ରଖି ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଚିଠି ସଂଖ୍ୟା ୧୪୯୬/ତା. ୧୨.୦୨.୨୦୨୦ ଜାରି କରି ଫେବୃଆରୀ ଓ ମାର୍ଚ୍ଚ ମାସ ପାଇଁ ଏସି ଫିସ ଛାଡ କରିବା ପାଇଁ ସେନ୍ଟ ଯୋଶେଫ କନଭେନ୍ଟ ସ୍କୁଲକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଶିକ୍ଷାଧିକାରୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ଅଭିଭାବକ ସଂଘର ପତ୍ରକୁ ଧ୍ୟାନରେ ରଖାଯାଇ ଆଗାମୀ ଫେବୃଆରୀ ଓ ମାର୍ଚ୍ଚ ମାସ ପାଇଁ ଏସି ଫିସକୁ ଛାଡ କରାଯାଉ। ଏହା ସହିତ ଏସି ଫିସ ସଂକ୍ରାନ୍ତରେ ଦିଆଯାଇଥିବା ନିର୍ଦ୍ଦେଶକ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ଜିଲା ଶିକ୍ଷାଧିକାରୀଙ୍କୁ ଦୁଇ ଦିନ ମଧ୍ୟରେ ରିପୋର୍ଟ କରିବା ଚିଠିରେ ଉଲ୍ଲେଖ୍ୟ ରହିଛି। ଏଣୁ ଆପାତତଃ ଦୁଇ ମାସ ପାଇଁ ସ୍କୁଲ କତ୍ତୃପକ୍ଷ ଓ ଅଭିଭାବକ ସଂଘ ମଧ୍ୟରେ ଏସି ଫିସକୁ ନେଇ ଚାଲିଥିବା ବିବାଦ ପାଇଁ ଥମି ଯାଇଛି।

ସୂଚନାଯୋଗ୍ୟ ଯେ, କନଭେଣ୍ଟ ସ୍କୁଲ କର୍ତ୍ତୃପକ୍ଷ ବିଗତ ଜୁନ ମାସରେ କ୍ଲାସ ରୁମ ମାନଙ୍କରେ ଏସି ଲଗାଇବାର କାର୍ଯ୍ୟାରମ୍ଭ କରିଥିଲେ। ଏହା ପରେ ଗତ ଅକ୍ଟୋବର ମାସରେ ପ୍ରତି ମାସ ପ୍ରତି ଷ୍ଟୁଡେନ୍ଟ ପିଛା ୨୦୦ ଟଙ୍କା ଫିସ ଦାବୀ କରିଥିଲେ। ତେବେ ଏ ନେଇ ଅଭିଭାବକ ମାନଙ୍କ ତରଫରୁ ପ୍ରବଳ ବିରୋଧ ହେବା ସତ୍ୱେ ସ୍କୁଲ କତ୍ତୃପକ୍ଷ ନିଜର ଜିଦରେ ଅଟଳ ରହି କ୍ଲାସ ରୁମରେ ଏସି ଲଗାଇବା କାର୍ଯ୍ୟ ଜାରି ରଖିଥିଲେ। ଏହି ଅନୁଯାୟୀ ସ୍କୁଲର ଉନ୍ନୟନ, ଟ୍ୟୁସନ ଫିସ ଓ ଅନ୍ୟାନ୍ୟ ଫିସ ବାହାରେ ଅତିରିକ୍ତ ୨୪ ଶହ ଟଙ୍କା ଦାବି କରୁଛନ୍ତି। ଏ ନେଇ ସ୍କୁଲ କତ୍ତୃପକ୍ଷ କୌଣସି ଧ୍ୟାନ ନ ଦେବାରୁ ଅଭିଭାବକ ମାନେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ମଧ୍ୟ ଅବଗତ କରାଯାଇଛିା ଏବଂ ଏ ନେଇ ଶିକ୍ଷା ରାଜ୍ୟ ନିର୍ଦ୍ଦେଶକ ନୋଟିସ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ଏହି ନୋଟିସର ଶୁଣାଣି ଏବେ ମଧ୍ୟ ବାକି ରହିଛି। ଫେବୃଆରୀ ଓ ମାର୍ଚ୍ଚ ପାଇଁ ଏସି ଫିସ ନ ଦେଲେ ପରୀକ୍ଷା ପାଇଁ ଏଡମିଟ ନ ଦେବା ପାଇଁ ସ୍କୁଲ କତ୍ତୃପକ୍ଷ ତରଫରୁ କୁହାଯିବା ପରେ ଏ ନେଇ ଜିଲା ଶିକ୍ଷାଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ସ୍କୁଲକୁ ନୋଟିସ ଜାରି କରି ଏଡମିଟ କାର୍ଡ ଦେବା ପାଇଁ କହିଥିଲେ। ଇତିମଧ୍ୟରେ ସ୍କୁଲ କତ୍ତୃପକ୍ଷ ଫେବୃଆରୀ ୧ ତାରିଖରୁ କ୍ଲାସ ରୁମ ମାନଙ୍କରେ ଲାଗିଥିବା ଏସି ଗୁଡିକୁ ଚାଲୁ କରାଯାଇ ୨୨ ରୁ ୨୫ ଡିଗ୍ରିରୁ ରଖାଯାଇଥିବାରୁ ବହୁ ଛାତ୍ରଛାତ୍ରୀଙ୍କ ଦେହ ମଧ୍ୟ ଖରାପ ହେବାରୁ ପୁଣି ଥରେ ଜିଲା ପ୍ରଶାସନ ନିକଟରେ ଅଭିଭାବକ ସଂଘ ଫେରାଦ ହୋଇଥିଲା। ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ସ୍କୁଲରେ ବ୍ୟାପକ ମାତ୍ରାରେ ଏସି ଲଗାଯାଇଥିବାରୁ ପରିବେଶ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି। ଏଣୁ ସ୍କୁଲର ମନମାନୀକୁ ରୋକିବା ପାଇଁ ଉଚିତ ପଦକ୍ଷେପ ନେବା ପାଇଁ ସଂଘ ଜିଲାପାଳ ଙ୍କ ନିକଟରେ ଦାବି କରିଥିଲା। ଏହା ସହିତ ସଂଘ ତରଫରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇ ସ୍କୁଲ କତ୍ତୃପକ୍ଷର ମନମାନୀ ବିରୋଧରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି।

 

 

Comments are closed.