ରଥଯାତ୍ରା ଲାଗି ସୁପ୍ରିମକୋର୍ଟ ଗଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର; ସୋମବାର ଉପବାସ ଲାଗି ପୁରୀବାସୀଙ୍କୁ ଆହ୍ବାନ

ନୂଆଦିଲ୍ଲୀ: ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟରେ ସୃଷ୍ଟି ହୋଇଛି ମିଶ୍ରିତ ପ୍ରତିକ୍ରିୟା । ରଥଯାତ୍ରା କରାଯିବା ଓ ନକରାଯିବା ନେଇ ଚାଲିଛି ବିତର୍କ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଅନ୍ୟପକ୍ଷରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ଦିବ୍ୟସିଂହ ଦେବ ରଥଯାତ୍ରା ସପକ୍ଷରେ ନିଜର ମନ୍ତବ୍ୟ ଦେଇଛନ୍ତି ।  ରଥଯାତ୍ରା ନିମନ୍ତେ ସୁପ୍ରିମକୋର୍ଟରେ ପ୍ରାୟ ଦେଢ଼ ଡ଼ଜନ ମାମଲା ରୁଜୁ ହୋଇଛି । ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତିର ସଂଶୋଧନ କିମ୍ବା ସ୍ପଷ୍ଟୀକରଣ ନିମନ୍ତେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତାକାଲି ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ସହିତ ସେ  ମାମଲାର ଶୁଣାଣି ସୋମବାର ହେଉଥିବାରୁ ନିଜେ ଉପବାସ ରହିବେ ଓ ପୁରୀବାସୀଙ୍କୁ ଉପବାସ କରିବାକୁ ଆହ୍ବାନ ଦେଇଛନ୍ତି ଶ୍ରୀ ପାତ୍ର ।

ଏ ସମ୍ପର୍କରେ ଟ୍ବିଟ୍ କରି ସମ୍ବିତ୍ ସୂଚନା ଦେଇଛନ୍ତି ।  “ଆସନ୍ତା 23 ଜୁନରେ ଅନୁଷ୍ଠିତ ହେଉଥିବା ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ମୁଁ SC ପ୍ରଥମ ଆଦେଶର ସ୍ପଷ୍ଟୀକରଣ/ସଂଶୋଧନ ନିମନ୍ତେ ଆବେଦନ ଦାଖିଲ କରିଦେଇଛି। ମୋର ପୂର୍ଣ୍ଣ ଆଶା ଆମ୍ଭମାନଙ୍କ ଏହି ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ” ବୋଲି ଟ୍ବିଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ନୟାଗଡ଼ ମାଟିର ପୁଅ ଅଫତାବ ହୁସେନ୍ ରଥଯାତ୍ରା ନିଷ୍ପତ୍ତିକୁ ପରିବର୍ତନ କରିବା ନିମନ୍ତେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚା । ବର୍ଷରେ ଥରଟିଏ ଶ୍ରୀ ଜଗନ୍ନାଥ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ତେଣୁ ମୁସଲମାନମାନେ ରଥ ଉପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇଥାଆନ୍ତି । ଏପରି ସୁଯୋଗରୁ ଭକ୍ତମାନଙ୍କ ବଞ୍ଚିତ ନ କରିବା ପାଇଁ ଅଫତାବ୍ ତାଙ୍କ ଆବେଦନରେ ଦର୍ଶାଇଥିବା ସୂଚନା ମିଳିଛି ।

Comments are closed.