ଆରତୀ ଦେବୀ ନିଖୋଜ ମାମଲା : ୧୮ ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ

ସମ୍ବଲପୁର : ସମ୍ବଲପୁରର ସାକ୍ଷୀପଡା ବାହାଲପଡାର ନିବାସୀ ଆରତୀ ଦେବୀ ବିଗତ ୧୮ ଦିନ ତଳେ ନିଖୋଜ ହୋଇଯାଇଥିଲେ। ତେବେ ଏହି ଘଟଣାର ବହୁ ହନ୍ତସନ୍ତ ହେବା ପରେ ପୁଲିସ ନିଖୋଜ ଆରତୀ ଦେବୀଙ୍କର ସ୍ୱାମୀଙ୍କୁ ଧରିବା ପରେ ଏହି ରହସ୍ୟମୟ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଗତ ୧ ତାରିଖରୁ ଆରତୀ ଦେବୀ ନିଖୋଜ ହେବା ପରେ ୩ ତାରିଖରେ ସ୍ୱାମୀ କୁନାଲ ଧନୁପାଲୀ ଥାନାରେ ଧର୍ମପତ୍ନୀ ନିଖୋଜ ହେବାର ଲିଖିତ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲା ନଂ ୧/୨୦୨୦ ରୁଜୁ କରି ଚୁପ ବସିଯାଇଥିଲା। ଏହାର ସୁଯୋଗ ଦେଇ କୁନାଲ ତାର ପରିବାର ସହିତ ୫ ତାରିଖ ରାତ୍ରିରୁ ଅଚାନକ ଗାୟବ ହୋଇଯାଇଥିଲେ। ନିଖୋଜ ଆରତୀ ଦେବୀଙ୍କ ପିତା ସତ୍ୟେନ୍ଦ୍ର ସିଂହ ୭ ତାରିଖରେ ସମ୍ବଲପୁର ପହଞ୍ଚି ସମୁଦି ଘରକୁ ଯିବାରୁ ଦେଖିଥିଲେ ଯେ ଘରେ ତାଲା ପଡିଥିବା ବେଳେ ସମସ୍ତ ଗୋ ସମ୍ପଦ ଗୁହାଳରେ ବନ୍ଧା ହୋଇଥିବା ବେଳେ ସମସ୍ତେ ଗାୟବ ଥିଲେ। ଏଣୁ ସତ୍ୟେନ୍ଦ୍ର ପାଖ ପଡୋଶୀ ଙ୍କ ଠାରୁ ବୁଝିବା ପରେ ସେମାନେ ୫ ତାରିଖ ରାତ୍ରିରୁ କେହି ଦେଖି ନ ଥିବାର ଜାଣିପାରିଥିଲେ। ଏଣୁ ସାକ୍ଷୀପଡାର କିଛ ସମାଜସେବୀ ଙ୍କ ସହିତ ଧନୁପାଲୀ ଥାନା ଓ ପରେ ମହିଳା ଥାନାକୁ ଯାଇ ଏକ ଯୌତୁକ ନିର୍ଯ୍ୟାତନ ମାମଲା ରୁଜୁ କରିଥିଲେ। ପରେ ପୁଲିସ ଉପରେ ମହିଳା ନିଖୋଜ ଘଟଣାରୁ ବିଭିନ୍ନ ମହଲରୁ ଚାପ ବୃଦ୍ଧି ହେବା ଯୋଗୁଁ ୮ ତାରିଖ ରାତ୍ରିରେ ପୁଲିସ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ କୁନାଲର ଘରର ତାଲା ଭାଙ୍ଗି ପଶିଥିଲା। ସେଠାରେ ସନ୍ଦେହ ହେବାରୁ ତାର ୯ ତାରିଖରେ ପୁଲିସ ସେହି ଘର ମଧ୍ୟରେ ଦୁଇଟି ସ୍ଥାନରେ ମାଟି ଖୋଳିଥିଲା। ତେବେ ପୁଲିସର ହାତରେ କିଛି ହସ୍ତଗତ ହୋଇ ନ ଥିବା ବେଳେ ସେ ସମୟରେ କିଛି ସନ୍ଦେହଜନକ ବସ୍ତୁ ପୁଲିସ ଜବତ କରିଥିଲା। ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଡା. କନୱର ବିଶାଳ ସିଂହ ଙ୍କର ନିର୍ଦ୍ଦେଶରେ ୩ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଅଭିଯୁକ୍ତ ମାନଙ୍କୁ ଖୋଜୁଥିଲା।

ପ୍ରାୟ ୧୨ ଦିନ ଧରି ମୁଖ୍ୟ ଅଭିଯୁକ୍ତ କୁନାଲ ଓ ପରିବାର ଏବଂ ପୁଲିସ ମଧ୍ୟରେ ଛକ୍କାପନ୍ଥାର ଖେଳ ଚାଲିବା ପରେ ବହୁ କଷ୍ଟରେ ପୁଲିସ ଜଣେ ନିକଟ ସର୍ମ୍ପକୀୟ ଠାରୁ ପୁଲିସ ସୁରାକ ପାଇଁ କୁନାଲକୁ ଧରିବାରେ ସକ୍ଷମ ହୋଇଥିଲା। ଶନିବାର ଦିନ ପୁଲିସ ମୁଖ୍ୟ ଅଭିଯୁକ୍ତ କୁନାଲ ସହିତ ସ୍ଥାନୀୟ ସିଟି ରେଳ ଷ୍ଟେସନ ନିକଟସ୍ଥ ବାଗଡିରା ଆମ୍ବ ବୁରେଇର ଏକ ଘଞ୍ଚ ବୁଦା ମଧ୍ୟରୁ ନିଖୋଜ ମହିଳା ଙ୍କର ଗଳିତ ମୃତଦେହ ଉଦ୍ଧାର କରିଛି। ପୁଲିସ ଓ ସାଇନ୍ଟିଫିକ ଦଳ ଘଟଣାସ୍ଥଳରୁ ପ୍ରାୟ ୫ ମିଟର ଦୂରରେ ବୁଦା ମଧ୍ୟରୁ ୨ଟି ନୁଆ କୋଦାଳ, ଶବ ବୋହିବାରେ ବ୍ୟବହୃତ କନ୍ଥା ଓ ବସ୍ତାକୁ ଜବତ କରିଛି। ପ୍ରାପ୍ତସୂଚନାନୁଯାୟୀ, ପ୍ରାୟ ଦେଢ଼ ବର୍ଷ ପୂର୍ବେ କୁନାଲ ଓ ଆରତୀ ଦେବୀଙ୍କର ବିବାହ ହୋଇଥିଲା। ଦୁଇ ଜଣଙ୍କ କୌଣସି ଛୁଆପିଲା ନ ଥିବାରୁ ସେମାନଙ୍କ ମଧ୍ୟରେ ପ୍ରାୟତଃ କଳହ ଲାଗି ରହୁଥିଲା। ଏହା ସହିତ କୁନାଲର ତାଙ୍କ ଧର୍ମପତ୍ନୀ ଙ୍କ ଉପରେ ମଧ୍ୟ ସନ୍ଦେହ କରୁଥିବାରୁ ସେମାନଙ୍କର ମଧ୍ୟରେ ସର୍ମ୍ପକ ବିଶେଷ ଭଲ ନ ଥିଲା। ଗତ ୩୧ ତାରିଖ ରାତ୍ରିରେ କୌଣସି ଏକ କାରଣରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ସମୟରେ ଅତ୍ୟନ୍ତ ରାଗି ଯାଇ କୁନାଲ ଏକ ଲୁହା ରଡ ସାହାର୍ଯ୍ୟରେ ଆରତୀଙ୍କର ମୁଣ୍ଡକୁ ଜୋରରେ ଆଘାତ ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତେବେ ପରିବାରବର୍ଗ କାହାରିକୁ କିଛି ନ କହି ମୃତଦେହକୁ ଗାୟବ କରିବାର ଯୋଜନା ୩୧ ତାରିଖ ରାତ୍ରିରେ କରିଥିଲେ। ଏଣୁ ୧ ତାରିଖ ଦିନ ଦୁଇଟି ନୁଆ କୋଦାଳ କିଣିବା ପରେ ଜଣେ ପରିଚିତ ବ୍ୟକ୍ତିଙ୍କର ବତାଇଥିବା ନିଛାଟିଆ ସ୍ଥାନ (ଆମ୍ବ ବୁରେଇ)କୁ ଦିନ ସମୟରେ ଯାଇ କୁନାଲ ଓ ତାର ସାଥି ପ୍ରାୟ ୨ ଫୁଟ ଗଭୀର ଓ ୬ ଫୁଟ ଲମ୍ବର ଗାତ ଖୋଳିଥିଲେ। ଏହା ପରେ ୧ ତାରିଖ ରାତ୍ରିରେ ସୁବିଧା ଦେଖି କୁନାଲ ଚଳାଇଉଥିବା ଅଟୋରେ ଆରତୀଙ୍କର ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ପୋତିବା ସ୍ଥାନକୁ ନେଇ ପୋତି ଦେଇଥିଲେ। ମୃତଦେହକୁ ପୋତିବା ସହିତ ମାଟି ଭର୍ତ୍ତି କରିବା ପୂର୍ବରୁ ପ୍ରାୟ ଏକ ବସ୍ତା ଲୁଣ ମଧ୍ୟ ଶବ ଉପରେ ପକାଇ ଦେଇଥିଲେ।

ଏହା ପରେ ସେମାନେ ପୁଲିସ ଓ ଅନ୍ୟ ମାନଙ୍କୁ ଭୂଆଁ ବୁଲାଇବା ପାଇଁ ଧନୁପାଲୀ ଥାନାରେ ଅଭିଯୋଗ କରିଥିଲେ। ତେବେ ୮ ତାରିଖ ପରେ ମହିଳାଙ୍କ ନିଖୋଜ ଘଟଣାଟି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇ ପାରେ ବୋଲି ପୁଲିସ ସନ୍ଦେହ କରି ତଦନ୍ତ କରୁଥିଲା। ଏହା ସହିତ କୁନାଲ ଚଳାଉ ଥିବା ଭଡା ଅଟୋରୁ ବାଲି, ମାଟି, ରକ୍ତ ଛିଟା ଓ ମହିଳାଙ୍କ ବାଳ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ନିଶ୍ଚିତ ହୋଇ ଅଭିଯୁକ୍ତ ମାନଙ୍କୁ ଖୋଜୁଥିଲା। ଅଟୋରୁ ମିଳିଥିବା ସୁରାକ ସମେତ ଆରତୀ ଦେବୀଙ୍କର ପିତାମାତା ଓ ସର୍ମ୍ପକୀୟ ମାନଙ୍କର ଦ୍ୱାରା ପୁଲିସକୁ ଯୋଗାଇ ଦିଆଯାଇଥିବା ତଥ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଶେଷ ସହାୟ ହୋଇଥିଲା। ପୁଲିସ ୫ ଜଣଙ୍କୁ କଡା ପଚରାଉଚୁରା କରିବା ସହିତ ଶେଷ ଅଭିଯୁକ୍ତ କୁନାଲ, କୁନାଲର ବଡଭାଇ, ସୁନୀଲ ସିଂହ ଓ ତାଙ୍କର ପତ୍ନୀ ଏବଂ ମନିଷ ଯାଦବ ଙ୍କୁ ଧରିଥିଲା। ଶନିବାର ଦିନ ମୃତଦେହ ଉଦ୍ଧାର ସମୟରେ ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ର, ଟ୍ରେନି ଏସପି ନିତିଶ ୱାଘୱାନୀ, ଏସଡିପିଓ ତପନ କୁମାର ମହାନ୍ତି, ଧନୁପାଲି ଥାନାଧିକାରୀ କମଳ କୁମାର ପଣ୍ଡା, ମହିଳା ଥାନାଧିକାରୀ ଅନୀତା ପ୍ରଧାନ, ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରା, ସାଇନ୍ଟିଫିକ ଦଳର ବୁର୍ଲା ଆରଏଫଏସଏଲର ସଞ୍ଜୟ କୁମାର ବିଶୋଇ, ତ୍ରିଲୋଚନ ପ୍ରଧାନ ଓ ଜିଲା ଫରସନେିକର ଦିପ୍ତିମୟୀ ରାଉତଙ୍କ ସମେତ ସାମାଜିକ କର୍ମୀ ଭବାନୀ ଧୂସର, ସଲିଳା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏବେ ମଧ୍ୟ ପୁଲିସ ଘଟଣା ସର୍ମ୍ପକରେ ଗିରଫ କରାଯାଇଥିବା ୫ ଜଣଙ୍କୁ ପଚରାଉଚୁରା କରୁଥିବା ବେଳେ ଯଦି ଆବଶ୍ୟକ ପଡେ ତାହା ହେଲେ ପୁଣି ସେମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି। ତେବେ ବିଗତ ୧୨ ଦିନରୁ ଉର୍ଦ୍ଧ ହେବ ପୁଲିସ ଓ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଚାଲିଥିବା ଛକ୍କାପନ୍ଥାର ଅନ୍ତ ଘଟିଥିବା ବେଳେ ନିଖୋଜ ମାମଲାର ରହସ୍ୟ ଉନ୍ନମୋଚନ ହୋଇଛି।

 

 

 

 

 

 

 

 

Comments are closed.