ଦନ୍ତାନଦୀ ଅବବାହିକାରେ ଥିଲା ପୁରାତନ ପ୍ରସ୍ତର ଯୁଗର ସଭ୍ୟତା
ସ୍ନାତକୋତ୍ତର ଇତିହାସ ବିଭାଗର ଗବେଷଣା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗ ପକ୍ଷରୁ ବରଗଡ଼ ଜିଲାର ଉପରମୁଣ୍ଡରେ ଥିବା ଦନ୍ତା ନଦୀ ଉପତ୍ୟକାର ଭଟଲି ନିକଟରୁ ପୁରାତନ ପ୍ରସ୍ତର ଯୁଗର ମାନବ ସଭ୍ୟତାର ଅବସ୍ଥିତି ଠାବ କରାଯାଇଛି। ପ୍ରଫେସର ଡ. ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ବିଭାଗର ସଂଯୋଜିକା ଡ ନୀନା ଠାକୁର, ନବୀନ କୁମାର ସାହୁ ସଂଗ୍ରହାଳୟର କ୍ୟୁରେଟର କ୍ଷୀରସିନ୍ଧୁ ବାରିକ, ରିସର୍ଚ୍ଚ ସ୍କୋଲାର, ପ୍ରତ୍ନତାତ୍ତ୍ୱିକ ଶ୍ରେଣୀ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନେ ଏହି ଖନନରେ ଅଂଶଗ୍ରହଣ କରିଥିଲେ। ଏଥିରୁ ପ୍ରସ୍ତର ଯୁଗର ପ୍ରାକ୍ ଓ ଉତ୍ତର ସମୟର କଳାକୃତି ବା ଅବଶେଷ ଠାବ କରାଯାଇଛି। ଡେବ୍ରୀଗଡ଼ ପର୍ବତମାଳାର ଦକ୍ଷିଣ ଦିଗରେ ଦନ୍ତା ନଦୀ କୂଳ ଓ ଭଟଲି ନିକଟସ୍ଥ ତୋରାଜୁଙ୍ଗା ଗ୍ରାମରେ ଗବେଷକମାନେ ନିରନ୍ତର ଅନୁସନ୍ଧାନ ସମୟରେ ସେ ଯୁଗର ଅବଶେଷ ଠାବ କରିଛନ୍ତି। ନିରନ୍ତର ବୈଜ୍ଞାନିକ ପରୀକ୍ଷା ଓ ଖନନ ସମୟରେ ମିଳିଥିବା ନମୁନାକୁ ଲକ୍ଷ୍ନୌର ବୀରବଲ ସାହାଣୀ ଇନ୍ଷ୍ଟିଚ୍ୟୁଟ ଅଫ୍ ପାଲାଓସାଇନ୍ସ ଏବଂ ପୁନେର ଫାଇଥୋଲିଥ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ପରୀକ୍ଷା କରାଯାଇଥିଲା। ଅପ୍ଟିକାଲି ଷ୍ଟିମୁଲେଟେଡ ଲୁମିନସେନ୍ସସ (ଓଏସଏଲ) ପଦ୍ଧତି ଓ ଖନନ ଇଲାକାର ସମସାମୟିକ ସବୁଜିମା ଆଧାର ଶୈଳୀରେ ପରୀକ୍ଷା କରାଯାଇଥିଲା।
ଏଥିରୁ ସଂଗ୍ରହ କରାଯାଇଥିବା ଅବଶେଷ ଗୁଡ଼ିକ ୬୫ ହଜାର ବର୍ଷ ପୁରାତନ ମଧ୍ୟ ପ୍ରସ୍ତରଯୁଗ ଓ ୨୫ ହଜାର ବର୍ଷ ପୁରାତନ ଉତ୍ତର ପ୍ରସ୍ତରଯୁଗ ସମୟର ବୋଲି କୁହାଯାଇଛି। ଗବେଷଣା ଓ ମୃତ୍ତିକା ପରୀକ୍ଷାରୁ ଦନ୍ତା ନଦୀକୂଳରେ ଥିବା ଜଙ୍ଗଲ ଭୂମି ଆଧାରିତ ସଭ୍ୟତା କୃଷି ଆଧାରିତ ସବୁଜିମା ଶୈଳୀର ପ୍ରକାରକୁୁ ପରିବର୍ତ୍ତିତ ହୋଇଥିବା ଜଣାପଡ଼ିଛି। ପୁରାତନ ପ୍ରସ୍ତର ଯୁଗ ଓ ଉତ୍ତର ପୁରାତନ ପ୍ରସ୍ତର ଯୁଗ ସମୟରେ ସେହି ଜାଗାରେ ମାନବ ସଭ୍ୟତା ଥିବା ମଧ୍ୟ ଉଚ୍ଚତର ଗବେଷଣାରୁ ଜଣାପଡ଼ିଛି। ସ୍ଥାନରୁ ଗେରୁଆ – ଆଇରନ ଅକ୍ସାଇଡରେ ନିମିତ ଶିଳ, ଦୁଇଟି ବ୍ୟବହୃତ ଶିଳପୁଆ, ପିଷାଣ ପ୍ରଭୃତି ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ଯାହାକି ତୋରାଜୁଙ୍ଗାରେ ସେତେବେଳେର ମାନବ ସଭ୍ୟତାରେ ଉତ୍ତର ପୁରାତନ ପ୍ରସ୍ତର ଯୁଗ ସମୟରେ ବାଣିଜ୍ୟିକ ଓ ଅନ୍ୟ ବିନିମୟ ସମ୍ପର୍କ ବିକଶିିତ କରିବାର କ୍ଷମତା ରହିଥିବା ଅନୁଶୀଳନରେ ଜଣାପଡ଼ିଛି। ଆଗକୁ ବରଗଡ଼ ଜିଲାର ଉପରମୁଣ୍ଡରେ ସଘନ ଅନୁସନ୍ଧାନ କରାଗଲେ ପୁରାତନ ଯୁଗର ଅବସ୍ଥିତି ବାବଦେର ଅନେକ ତଥ୍ୟ ଜଣାପଡ଼ିବ ବୋଲି ପ୍ରଫେସର ଡ. ବେହେରା କହିଛନ୍ତି।
୨୦୧୫ ମସିହାରୁ ବିଭାଗ ପକ୍ଷରୁ ଏହି ଅନୁସନ୍ଧାନ, ଖନନ ଓ ଗବେଷଣା ଜାରି ରହିଛି। ସାଧାରଣତଃ ପୂର୍ବ ଆଫ୍ରିକାରେ ମଧ୍ୟ ପ୍ରସ୍ତର ଯୁଗର ମାନବ ସଭ୍ୟତାର ବିକାଶ ସମ୍ବନ୍ଧିତ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ମରୋକ୍କୋରେ ହୋଇଥିବା ଅନୁସନ୍ଧାନର ତଥ୍ୟ ଅନୁଯାୟୀ ମାନବ ସଭ୍ୟତା ସେଠାରୁ ପୃଥିବୀର ସମସ୍ତ ସ୍ଥାନକୁ ସମ୍ପ୍ରସାରିତ ହୋଇଥିଲା ବୋଲି ଗ୍ରହଣ କରାଯାଏ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କ୍ରମାଗତ ଅନୁସନ୍ଧାନ ଓ ଗବେଷଣା ଦ୍ୱାରା ଏ ଦିଗରେ ନୂଆ ତଥ୍ୟ ଉଜାଗର କରାଯାଇପାରିଛି।