ଦିନବନ୍ଧୁ ମିଶ୍ର ଆତ୍ମହତ୍ୟା ଘଟଣା: ସିଣ୍ଡିକେଟ ବୈଠକରେ କୁଳପତିଙ୍କ ଅଧ୍ୟକ୍ଷତାକୁ ନେଇ କର୍ମଚାରୀ ସଂଘର ବିରୋଧ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାରେ ଗତ ୨୦ ତାରିଖ ଦିନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ କଟୁଉକ୍ତି ତଥା ଭର୍ସନା ଏବଂ ମିଥ୍ୟା ଆରୋପରକୁ ସହ୍ୟ କରି ନ ପାରି ତଥା ୨୭ ବର୍ଷ ଧରି ନିୟମିତ ହେବାର ଯୁଦ୍ଧରେ ହାରି ଶେଷରେ ନିରାଶ ହୋଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ/ଡ଼େଲି ୱେଜ କର୍ମଚାରୀ ଦିନବନ୍ଧୁ ମିଶ୍ର ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମଦାହ କରି ଆରପାରିକୁ ଚାଲି ଯାଇଛନ୍ତି। ଏହାକୁ ନେଇ କର୍ମଚାରୀ ମହଲରେ ଏକ ବହ୍ନି ପ୍ରଷ୍ପୁଟିତ ହୋଇଛି। ଏଭଳି ଭାବରେ ପୁର୍ବରୁ ଗତ ୨୦୨୦ ମସିହା ନଭେମ୍ବର ମାସରେ ଅନ୍ୟ ଦୁଇଜଣ ଅସ୍ଥାୟୀ କର୍ମଚାରୀ ସମ୍ବଲପୁର ଲ କଲେଜର ଧର୍ମରାଜ ଦଲପତ ଏବଂ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଯଦୁମଣୀ ସୁନା ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଉଠାଇ ସାରିଛନ୍ତି। ଇତି ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପୁର୍ଣ୍ଣ ମାତ୍ରାରେ ପୁଲିସ ଛାଉଣୀରେ ରୁପାନ୍ତରିତ ହୋଇଯାଇଥିଲା। କ୍ୟାମ୍ପସର ଉଭୟ ପଟକୁ ସିଲ କରାଯାଇ ସିଣ୍ଡିକେଟ ବୈଠକ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲଙ୍କ ଅଧ୍ୟକ୍ଷତାରେ ଭର୍ଚୁଏଲ ମୋଡ଼ରେ ଆରମ୍ଭ ହେଲା।

ଏହାକୁ ନେଇ କର୍ମଚାରୀ ସଂଘ ପୁର୍ଣ୍ଣ ମାତ୍ରାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ସ୍ବର୍ଗତ ଧର୍ମରାଜ ଦଲପତଙ୍କ ଧର୍ମପତ୍ନୀ ଆସି ତାଙ୍କର ସ୍ୱାମୀ କିପରି ଭାବରେ ସମ୍ବଲପୁର ଲ’ କଲେଜରେ ୩୩ ବର୍ଷକାଳ ଚାକିରି କଲାପରେ ମଧ୍ୟ ତାଙ୍କୁ ନିୟମିତ କରାଯାଇ ନ ଥିଲା ଏବଂ ତାଙ୍କର ଇନକ୍ରିମେଣ୍ଟକୁ ମଧ୍ୟ ବନ୍ଦ କରାଯାଇଥିଲା। ଏପରିକି ଲ’ କଲେଜର ଅଧ୍ୟକ୍ଷ ତାଙ୍କୁ ଚାକିରି ଛାଡ଼ି ଦେଉ ନାହାନ୍ତି ବୋଲି କହିଥିବା ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟ ତାଙ୍କୁ ନିୟମିତ କରାଯାଇ ନ ଥିଲା ବୋଲି ସେ ବ୍ୟକ୍ତ କରିଛନ୍ତି। ଫଳରେ ଆତ୍ମହତ୍ୟା କରିଥିବା ତାଙ୍କ ସହିତ ଦିନବନ୍ଧୁ ମିଶ୍ରଙ୍କ ତଥା ଆତ୍ମହତ୍ୟା କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ପରିବାର ବର୍ଗଙ୍କ ବକେୟା ପ୍ରଦାନ ସହିତ ନିୟମିତ ଚାକିରୀ ପରିବାର ବର୍ଗଙ୍କୁ ଦିଆଯାଉ ବୋଲି ସେ ଦାବୀ କରିଥିଲେ।

ଏହା ସହିତ ଅସ୍ଥାୟୀ କର୍ମଚାରୀ ସ୍ବର୍ଗତ ଯଦୁମଣୀ ସୁନାଙ୍କ ଝିଅ ମଧ୍ୟ ବିକ୍ଷୋଭ ସ୍ତଳରେ ଉପସ୍ତିତ ରହି ତାଙ୍କର ବାପାଙ୍କ ୨୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ମଧ୍ୟ ନିୟମିତ କରାଯାଇ ନ ଥିଲା। କୁଳପତି ପରେ କୁଳପତି ଆସିଲେ ମାତ୍ର ବାପାଙ୍କୁ ନିୟମିତ କରାଗଲା ନାହିଁ ଫଳରେ ବାପା ଯଦୁମଣୀ ଶେଷରେ ନିରାଶ ହୋଇ ବିଷପାନ କରିଥିବା ସେ କାନ୍ଦି କାନ୍ଦି ବ୍ୟକ୍ତ କରିଥିଲେ। ଏଭଳି ଭାବରେ ଆହୁରୀ ଅନେକ କର୍ମଚାରୀ ଅନେକ ବର୍ଷ ଧରି କାର୍ଯ୍ୟରତ ତାଙ୍କୁ ମଧ୍ୟ ନିୟମିତ କରାଯାଇ ନାହିଁ ଫଳରେ ସେହି କର୍ମଚାରୀ ମାନେ ଏଭଳି କୌଣସି ପଦକ୍ଷେପ ଆଗକୁ ଉଠାନ୍ତୁ ତେଣୁ ଏହାକୁ ଦୃଷ୍ଟିରେ ଆମ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ କାନ୍ଦି କାନ୍ଦି ବ୍ୟକ୍ତ କରିଥିଲେ।

ଜଣେ ଅସ୍ଥାୟୀ ଅବସରପ୍ରାପ୍ତ କର୍ମଚାରୀ ପ୍ରଭୁଦତ୍ତନାୟକ କହିବା ମୁତାବକ ଦିର୍ଘ ୩୧ ବର୍ଷ ଡ଼େଲି ୱେଜ କର୍ମଚାରୀ ଭାବରେ କାମ କରିବା ପରେ ୨୦୧୯ ମସିହାରେ କାର୍ଯ୍ୟରୁ ଅସ୍ଥାୟୀ କର୍ମଚାରୀ ଭାବରେ ହିଁ ଅବସର ଦେଇଥିଲେ। ବର୍ତ୍ତମାନ ବିନା କୌଣସି ପେନସନ ନ ପାଇ ଅବସରକାଳିନ ସୁବିଧା ନ ପାଇଁ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା ନ କରି ଜୀବନ ସଂଗ୍ରାମ ଜାରି ରଖିଛନ୍ତି ବୋଲି କହିଥିଲେ। ଏପରିକି ତତ୍କାଳିନ କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ସମୟରେ ପ୍ରଫେସର ତ୍ରିପାଠୀ ଏହାପାଇଁ ଉଚ୍ଚନ୍ୟାୟାଳୟକୁ ଯିବା ପାଇଁ କହିଥିଲେ ମାତ୍ର ପରମୁହୁର୍ତ୍ତରେ କୋର୍ଟ ଆଦେଶକୁ ସେ ମଧ୍ୟ କାର୍ଯ୍ୟକାରୀ କରି ନ ଥିଲେ କି ତାଙ୍କୁ ନିୟମିତ କରି ନ ଥିଲେ ବୋଲି ଦୁଃଖଭରା ସ୍ୱରରେ ପ୍ରକାଶ କରିଥିଲେ। ଏଭଳି ଭାବରେ କର୍ମଚାରୀ ଯିଏକି ବିଶ୍ୱବିଦ୍ୟାଳୟର ମେରୁଦଣ୍ଡ ତାଙ୍କୁ ମାରଣ ନିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସଦାସର୍ବଦା ଆଗଭର।

ଏହା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘର ସମ୍ପାଦକ ସତ୍ୟନାରାୟଣ କର, ବିଶ୍ୱନାଥ ଧର, ନିରୁପମା ମିଶ୍ର, କମଳେନ୍ଦୁ ମେଣ୍ଡଲି, ସୁରେନ୍ଦ୍ର ବାରିକ, ସୁଧାଂଶୁ ମାଝୀ, ସୁଦାମ ଭୋଇ, ସୁଲଟୁ ପାଢ଼ୀ, ନିର୍ମଳ ବେହେରା, ପ୍ରକାଶ ପ୍ରଧାନ, ନିର୍ମଲ ବଗର୍ତ୍ତି, ଧନେଶ ସୁରୁଜାଲ, ଗୋପାଲ ଡ଼ୁଙ୍ଗ୍ରୀ, ହେମନ୍ତ ନାୟକଙ୍କ ସମେତ ସହସ୍ରାଧିକ କର୍ମଚାରୀ ଆଜି ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ କିପରି ଭାବରେ କୁଳପତି ପ୍ରଫେସର ମିତ୍ତଲ ଯିଏକି ଦିନବନ୍ଧୁ ମିଶ୍ରଙ୍କୁ ଆତ୍ମହତ୍ୟା କରିବାଇ ପାଇଁ ପ୍ରବର୍ତ୍ତାଇଥିଲେ ଏବଂ ମୃତ ଦିନବନ୍ଧୁଙ୍କ ପୁଅ ଅଭିଷେକଙ୍କ ଏତେଲା ଆଧାରରେ କୁଳପତିଙ୍କ ସହିତ ଅନ୍ୟ ଦୁଇଜଣଙ୍କ ନାମରେ ବୁର୍ଲା ଥାନାରେ ମାମଲା ଗଡ଼ୁଛି। ବର୍ତ୍ତମାନ ସୁଦ୍ଧା କୁଳପତି ଅଭିଯୁକ୍ତ ରହିଛନ୍ତି ସିଏ ସିଣ୍ଡିକେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ ଏହାକୁ ପୁର୍ଣ୍ଣ ମାତ୍ରାରେ କର୍ମଚାରୀ ସଂଘ ବିରୋଧ ପ୍ରଦର୍ଶନ କରି କୁଳପତିଙ୍କ ଗିରଫ୍‍ ଦାବୀ ସହିତ ତାଙ୍କୁ ପଦବୀରୁ ଅପସାରଣ କରାଯିବା ଦାବୀ ଉପସ୍ଥାପିତ ହୋଇଥିଲା। ସେପଟେ ପୁଣି ଯେଉଁ ସିଣ୍ଡିକେଟ ବୈଠକରେ ମୃତ ଦିନବନ୍ଧୁଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଥିବା ସେଥିରେ ଖୁଲ୍ଲମଖୁଲ୍ଲା ଭାବରେ ପୁଲିସ ସୁରକ୍ଷା ବ୍ୟବସ୍ତା ମଧ୍ୟରେ ପକ୍ଷପାତିତା ହେବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରାଯାଇଥିଲା। ସେପଟେ କର୍ମଚାରୀ ସଂଘ ତରଫରୁ ଗତ ୨୧ ତାରିଖରେ ଦିନବନ୍ଧୁ ମିଶ୍ରଙ୍କ ଶବକୁ ରାତି ୭ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା ଏବଂ ଏହାର ସମାଧାନ ପରିପ୍ରେକ୍ଷୀରେ ଅନୁଷ୍ଠିତ ବୈଠକରେ ଏସପି ନିଜେ ହିଁ କହିଥିଲେ ଯେ କୁଳପତି ପ୍ରଫେସର ମିତ୍ତଲ ହେଉଛନ୍ତି ଦିନବନ୍ଧୁଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ସେ କିପରି ସିଣ୍ଡିକେଟ ବୈଠକରେ ଉପସ୍ତିତ ରହିବେ। କୁଳପତି ପ୍ରଫେସର ମିତ୍ତଲ ବୈଠକରେ ରହିବେ ନାହିଁ ବୋଲି କହିଥିଲେ ମାତ୍ର ରାତାରାତି କିପରି ଭାବରେ ସମସ୍ତ ନୁୟମ ବଦଳି ଗଲା ନିଜେ କୁଳପତି ପ୍ରଫେସର ମିତ୍ତଲଙ୍କ ଅଧ୍ୟକ୍ଷତାରେ ହିଁ ସିଣ୍ଡିକେଟ ଅନୁଷ୍ଠିତ ହେଉଛି। କିପରି ଭାବରେ ଗଣତାନ୍ତ୍ରିକ ନିୟମର ବିରୁଦ୍ଧାଚରଣ ବୋଲି କର୍ମଚାରୀ ସଂଘର ନିରୁପମା ମିଶ୍ର ବ୍ୟକ୍ତ କରିଛନ୍ତି। ଏହା ସହିତ ପୁର୍ବତନ ବିଧାୟିକା ଡ଼ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଗତ ୨୧ ତାରିଖ ଦିନ ସିଣ୍ଡିକେଟ ବୈଠକରେ ଉପସ୍ତିତ ରଖାଯିବା ପାଇଁ ଏସପି ଖୁଦ କହିଥିଲେ ମାତ୍ର ତାଙ୍କୁ ମଧ୍ୟ ଏହି ସିଣ୍ଡିକେଟ ବୈଠକରେ ଉପସ୍ତିତ ରଖାଯାଇନଥିଲା ବୋଲି କର୍ମଚାରୀ ସଂଘରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା।

Comments are closed.