ସମ୍ବଲପୁର ବିଶ୍ୱବିଦ୍ୟାଳୟର କାୟାକଳ୍ପ ହେବ : କ୍ୟାମ୍ପସକୁ ସୁରକ୍ଷିତ କରିବା ପାଇଁ ଚାରିପଟେ ନିର୍ମାଣ ହେବ ବେଷ୍ଟନି

ବୁର୍ଲା : ସମ୍ବଲପୁର ବିଶ୍ୱବଦ୍ୟାଳୟର କାୟାକଳ୍ପ ହେବାକୁ ଯାଉଛି। ନୂତନ କୂଳପତି ଭାବେ ପ୍ରଫେସର ସଞ୍ଜିବ ମିତ୍ତଲ ଦାୟିତ୍ୱ ଗ୍ରହଣ କରିବାର ଦୁଇଦିନ ନ ପୂରୁଣୁ ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ ଆରମ୍ଭ କରିଲେଣି ପ୍ରକ୍ରିୟା। ନିଜ ଘରକୁ ବାହ୍ୟ ଶତୃଠାରୁ ରକ୍ଷା କରିବା ପାଇଁ ଯେଉଁଭଳି ଭାବରେ ଘର ଚାରିପଟେ ବାଡ ଦିଆଯାଏ ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମସ୍ତ ସୀମାକୁ ବାଡ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ହେବ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମସ୍ତ ପାର୍ଶ୍ବ ମୁକୁଲା ହୋଇ ପଡ଼ିଥିବା ବେଳେ ନୂତନ କୁଳପତି ଚାରିପାର୍ଶ୍ବରେ ବାଡ ଦେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ମଧ୍ୟରେ ସରକାରୀ ଜମିରେ ବା ବିଶ୍ୱବିଦ୍ୟାଳୟ ଜମି ମାଡିବସି ଘର ବା କୋଠା ନିର୍ମାଣ ହୋଇଥିବା କୋଠା ଗୁଡିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଏଥିସହିତ ରାସ୍ତାଘାଟର ମଧ୍ୟ ବିକାଶ କରାଯିବ ବୋଲି ନୁତନ କୁଳପତି ପ୍ରଫେସର ମିତ୍ତଲ ଲକ୍ଷ୍ୟ ରଖିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ସୀମା ପ୍ରାଚୀର ନିର୍ମାଣ ସମେତ ଅନେକ ବିକାଶ ମୂଳକ କାର୍ଯ୍ୟ କରିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୋଜନା କରିଛି।
ପୁଲିସ ହାଉସିଙ୍ଗ କର୍ପୋରେସନ ବିକାଶମୂଳକ କାର୍ଯ୍ୟ କାର୍ଯ୍ୟକାରୀ କରିବ। ବିଶ୍ୱବିଦ୍ୟାଳୟ ନବନିଯୁକ୍ତ କୂଳପତି ପ୍ରଫେସର ସଞ୍ଜିବ ମିତ୍ତଲ ଗୁରୁବାର ଦିନ ପୁଲିସ ହାଉସି ନିଗମର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଫେସର ମିତ୍ତଲ ଯେ ସୀମା ପ୍ରାଚୀର ନିର୍ମାଣ ଏବଂ ଅନୁଷ୍ଠାନରେ କିଛି ଛାତ୍ରାବାସର ନବିକରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଆଜି ପୁଲିସ ହାଉସିଙ୍ଗ କର୍ପୋରେସନର ଅଧିକାରୀଙ୍କ ସହ ଅଲୋଚନା ହୋଇଥିଲା ବୋଲି କହିଛନ୍ତି। ମିଳିଥିବା ସୂଚନା ମତେ ୧୯୬୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ୬୭୦ ଏକରରୁ ଅଧିକ ଜମିରେ ରେକର୍ଡ ଅଫ ରାଇଟ୍ସ(ଆରଓଆର) ରହିଛି। ବିଶ୍ୱବିଦ୍ୟାଳୟ ଜମିକୁ ଜବରଦଖଲରୁ ରକ୍ଷା କରିବା ପାଇଁ କ୍ୟାମ୍ପସ ଚାରିପାଖରେ ଥିବା ସୀମା କାନ୍ଥ ଅତ୍ୟନ୍ତ ଜରୁରୀ। ହେଲେ ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପରିସରରେ ସରକାରୀ ଜମି, ପଟ୍ଟା ଜମି ଏବଂ ବିଶ୍ୱବିଦ୍ୟାଳୟର ଜମି ସହିତ ତିନି ପ୍ରକାର ଜମି ରହିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ଅବସ୍ଥିତ ସରକାରୀ ଜମି ଉପରେ କିଛି କୋଠା ନିର୍ମାଣ ହୋଇଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ନାମରେ ସରକାରୀ ଜମି ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହିପରି ବ୍ୟକ୍ତିଗତ ବ୍ୟାକ୍ତିଙ୍କ ମାଲିକାନାରେ ଥିବା ଜମି ମଧ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରେ ରହିଛି। ବିଶ୍ୱବିଦ୍ୟାଳୟ ମଧ୍ୟ ଜମି ମାଲିକ ମାନଙ୍କ ସହ ବୁଝାମଣା ପ୍ରକ୍ରୟା ଆରମ୍ଭ କରିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପଟ୍ଟା ଜମି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଲୋକମାନଙ୍କୁ ଉକ୍ତ ଜମି ବିଶ୍ୱବିଦ୍ୟାଳୟକୁ ଦେଇ ବାହ୍ୟ ଅଞ୍ଚଳରେ ଥିବା ବିଶ୍ୱବିଦ୍ୟାଳୟ ଜମିକୁ ଉକ୍ତ ବ୍ୟକ୍ତି ମାନଙ୍କୁ ନେବାକୁ କହୁଛନ୍ତି। ଏହାବାଦ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ସଂଯୋଗ କରୁଥିବା ପ୍ରାୟ ୧୨ କିମି ବିଶିଷ୍ଟ ରାସ୍ତାର ନବିକରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ୬୦ଟି ଷ୍ଟାପ୍ କ୍ୱାଟର୍ସର ନବୀକରଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷ ପୁଲିସ ହାଉସିଙ୍ଗ କର୍ପୋରେସନକୁ ବିସ୍ତୁତ ପ୍ରକଳ୍ପ ରିପୋର୍ଟ(ଡିଆରପି) ଏବଂ ସମସ୍ତ ବିକାଶମୂଳକ କାମ ପାଇଁ ୬୦ ଆକଳନ ପ୍ରସ୍ତୁତ କରିବାକୁ କହିଥିବା ସୂଚନା ମିଳିଛି।