ସମ୍ବଲପୁର ଶୀତଳ ଷଷ୍ଠୀ : ଶିବ ବିବାହ ସଂପନ୍ନ

ସମ୍ବଲପୁର : ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀର ସବୁଠୁ ମହନୀୟ ଅଧ୍ୟାୟ- ଶିବ-ପାର୍ବତୀଙ୍କ ବିବାହ ଶୁକ୍ରବାର ବିଳମ୍ବିତ ରାତିରେ ସଂପନ୍ନ ହୋଇଛି। ଜ୍ୟେଷ୍ଠ ଶୁକ୍ଲପକ୍ଷ ଷଷ୍ଠୀ ଲଗ୍ନରେ ମଙ୍ଗଳବାର ବ୍ରାହ୍ମ ମୁହୂର୍ତ୍ତରେ ଦେବାଧିଦେବ ମହାଦେବ ଜଗଜ୍ଜନନୀ କରୁଣାମୟୀ ମା’ ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି। ଶନିବାର ସକାଳେ କନ୍ୟା ବିଦାୟ ଓ ମଧ୍ୟରାତ୍ରରୁ ଆରମ୍ଭ ହେବ ଦେବଦମ୍ପତିଙ୍କ ବର୍ଣ୍ଣାଢ୍ୟ ଲେଉଟାଣୀ। ନବବଧୂ ପାର୍ବତୀଙ୍କ ସହ ମହାଦେବ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ ସହିତ ଆରମ୍ଭ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ବହୁ ପ୍ରତୀକ୍ଷିତ, ବହୁ ଆକାଂକ୍ଷିତ – ଶରତଳ ଷଷ୍ଠୀ ଯାତ୍ରା। ଶନିବାର ମଧ୍ୟରାତ୍ରିରୁ ଦେବଦମ୍ପତି ନଗର ପରିକ୍ରମା ଆରମ୍ଭ କରି ରବିବାର ସନ୍ଧ୍ୟାରେ ସ୍ୱମନ୍ଦିର ପ୍ରବେଶ କରିବେ। ଶୀତଳଷଷ୍ଠୀ ଅବସରରେ ସମଗ୍ର ସମ୍ବଲପୁର ଶିବମୟ ହୋଇପଡ଼ିଛି।
ଶିବ ବିବାହ କ୍ରମରେ ଶୁକ୍ରବାର ସକାଳେ ଶିବ-ପାର୍ବତୀ ଗତ ବର୍ଷର କନ୍ୟା ମାତାପିତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଦୁହିଙ୍କ ମଧ୍ୟରେ ପଡ଼ିଥିବା ଗଣ୍ଠି ଖୋଲା ଯାଇଥିଲା। ଶିବ-ପାର୍ବତୀ ସେଠାରୁ ମନ୍ଦିରକୁ ଫେରିଲା ପରେ ଏ ବର୍ଷର କନ୍ୟା ପିତାମାତା ଦେବୀ ପାର୍ବତୀଙ୍କୁ ନିଜ ଘରକୁ ପାଛୋଟି ନେଇଥିଲେ। ଶିବାଳୟରେ ଶିବଙ୍କ ରୁଦ୍ରାଭିଷେକ ଓ ପିତ୍ରାଳୟରେ ପାର୍ବତୀଙ୍କ ହରିଦ୍ରାଭିଷେକ ବା ‘ଗଣଷଣ’ ହୋଇଥିଲା। ରାତିରେ ବରପିତା, ପୁରୋହିତ, ସପ୍ତଋଷି, ମୁରବୀ, ଶୀତଳଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତାଙ୍କ ଗହଣରେ ବରବେଶୀ ମହାଦେବ ଥାଟ ପଟୁଆର ଧରି ବାହାରିଥିଲେ ପାର୍ବତୀଙ୍କ ବାସଭବନ ଅଭିମୁଖେ। ନନ୍ଦପଡ଼ାର ବମ୍‍ବରାଡ଼ ଶ୍ରୀ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାରର ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର ବାବା ଓ ଅନ୍ୟ ସମସ୍ତ ଶିବାଳୟରୁ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା।। ବରବେଶୀ ଶିବଙ୍କ ‘ଗାଲସେକା’ ପରେ ତାଙ୍କୁ ବିବାହ ବେଦୀକୁ ପାଛୋଟି ନେଇ ପୁରୋହିତଙ୍କ ମନ୍ତ୍ରପାଠ ଓ ଶ୍ଲୋକ ଉଚ୍ଚାରଣ ମଧ୍ୟରେ ଲୋକାଚାରରେ ବରବେଶୀ ମହାଦେବ ମାତା ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି।
ନନ୍ଦପଡ଼ାର ବମ୍‍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କୁ ଦଲେଇପଡ଼ାର ପ୍ରକାଶ ପାଣ୍ଡେ ଓ ମାତା କାଦମ୍ବିନୀ ଆଚାର୍ଯ୍ୟ କନ୍ୟାଦାନ କରିଛନ୍ତି। ବରପିତା ରାମଚରଣ ମିଶ୍ରଙ୍କ ଉପସ୍ଥିତିରେ ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କୁ ପାଟଣେଶ୍ୱରୀ କଲ୍ୟାଣ ମଣ୍ଡପ ବାହା ବେଦୀରେ କନ୍ୟାଦାନ କରିଛନ୍ତି କଳାହାଣ୍ଡି ଜିଲାର ଅମୀୟ ମୁଣ୍ଡ ଓ ସମିତା ମୁଣ୍ଡ। ବରପିତା ସନ୍ତୋଷ ସୂପକାରଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି ପଣ୍ଡିତ ମହେନ୍ଦ୍ର ପୂଜାରୀ। କନ୍ୟାପିତା ଅମୀୟଙ୍କ ଶ୍ୱଶୁର ଝାଡ଼ୁଆପଡ଼ାର ସାଲେଗ୍ରାମ ପାଣିଗ୍ରାହୀ, ଷଷ୍ଠୀ କମିଟି ସଭାପତି ସରୋଜ ଦଲପତ ଓ ସଂପାଦକ ସଂଜୟ ମିଶ୍ର ପ୍ରମୁଖ ବିବାହ କାର୍ଯ୍ୟ ସଂପାଦନରେ ସହଯୋଗ କରିଥିଲେ। ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କୁ କନ୍ୟାଦାନ କରିଛନ୍ତି ପଟ୍ଟନାୟକପଡ଼ାର ରାଜେଶ ଚନ୍ଦ୍ର ବହିଦାର ଓ ଜାଗୃତି ବହିଦାର। ବରପିତା ମଧୁସୂଦନ ନେଗୀଙ୍କ ଉପସ୍ଥିତିରେ ପୁରୋହିତ ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମନ୍ଦିର ପୂଜକ ଗୋବିନ୍ଦ ପଣ୍ଡାଙ୍କ ସହଯୋଗରେ ବିବାହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ବଡ଼ବଜାରର ଶ୍ରୀ ଶୀତଳେଶ୍ୱର ବାବା ବରବେଶରେ ଯାଇ ପ୍ରଧାନପଡ଼ା ଯାଇଥିଲେ। ସେଠାରେ କନ୍ୟାପିତା ସୁଜିତ ପଣ୍ଡା ଓ ସ୍ୱାତୀ ପଣ୍ଡା ତାଙ୍କୁ କନ୍ୟାଦାନ କରିଛନ୍ତି। ବରପିତା ଜଗଦୀଶ ପ୍ରସାଦ କାଲୋନାରିଆଙ୍କ ଉପସ୍ଥିତିରେ ପଣ୍ଡିତ ଯୋଗେଶ୍ୱର ନନ୍ଦ ଓ ସରିତ କୁମାର ପାଢ଼ୀ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି। ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର ବାବା ବରବେଶରେ ଯାଇ ଦାନୀପାଲିର ସୁବାସ ଦେହୁରୀ ଓ ସନ୍ତୋଷିନୀ ଦେହୁରୀଙ୍କ କନ୍ୟା ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି। ବରପିତା ଶିବପ୍ରସାଦ ଦୋରାଙ୍କ ଉପସ୍ଥିତିରେ ପଣ୍ଡିତ ଆଶୁତୋଷ ପୁରୋହିତ ମନ୍ଦିର ପୂଜକ ଗୌରହରି ମହାପାତ୍ରଙ୍କ ସହଯୋଗରେ ବାବା ଗୁପ୍ତେଶ୍ୱରଙ୍କ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି। ସର୍ବପୁରାତନ ବାଲିବନ୍ଧା ଶିବାଳୟରେ ପୂଜା ପାଉଥିବା ଶ୍ରୀ ଶ୍ରୀ ସୋମନାଥ ବାବା ବରବେଶରେ ଯାଇ ବାଲିବନ୍ଧାର ରମଣୀ ରଂଜନ ଆଚାର୍ଯ୍ୟ ଓ ହେମାଙ୍ଗିନୀ ଆଚାର୍ଯ୍ୟଙ୍କ କନ୍ୟା ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି। ବରପିତା ଗୋପୀନାଥ ନାୟକଙ୍କ ଉପସ୍ଥିତିରେ ପଣ୍ଡିତ ମନବୋଧ ପାଢ଼ୀ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି। ବୁଢ଼ାରଜାର ଶ୍ରୀ ଶ୍ରୀ ପାହାଡ଼େଶ୍ୱର ବାବାଙ୍କୁ ଏନ. ଗୁହା ଗଳି ନିବାସୀ ଶ୍ରୀମନ୍ତ ଦାସ ଓ ସସ୍ମିତା ଦାସ କନ୍ୟାଦନ କରିଛନ୍ତି। ବରପିତା ପ୍ରଦୀପ ମେହେରଙ୍କ ଉପସ୍ଥିତିରେ ପଣ୍ଡିତ ଶୈଳେନ୍ଦ୍ର ପୂଜାରୀ ଓ ମନ୍ଦିର ପୂଜକ ରାଜା ସିଂ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି।
ଦୁର୍ଗାପାଲିରେ ପୂଜା ପାଉଥିବା ଗୁଡ଼େଶ୍ୱର ବାବାଙ୍କୁ କନ୍ୟା ଦାନ କରିଛନ୍ତି ମହାନ୍ତିପଡ଼ାର ସୁରେନ୍ଦ୍ର ବହିଦାର। ବରପିତା ହେମନ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ପଣ୍ଡିତ କାମଦେବ ରଥଶର୍ମା ମନ୍ଦିର ପୂଜକ ରାଜକୁମାର ମହାପାତ୍ରଙ୍କ ସହଯୋଗରେ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି। ସାକ୍ଷୀପଡ଼ାର ଓଁକାରେଶ୍ୱର ବାବାଙ୍କୁ ରେଙ୍ଗାଲି ଗଣେଶ ନଗରର ଯଜେ୍ଞଶ ସାହୁ ଓ ଅରୁନ୍ଧତୀ ସାହୁ କନ୍ୟାଦାନ କରିଛନ୍ତି। ମାନେଶ୍ୱରରେ ପୂଜା ପାଉଥିବା ମାନ୍ଧାତା ବାବା ଜଗନ୍ନାଥ ମନ୍ଦିର କଲୋନୀ ନିବାସୀ ଶେଷଦେବ ମିଶ୍ର ଓ ଆରତୀ ପୂଜାରୀଙ୍କ କନ୍ୟା ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି। ଏହି ଅବସରରେ ବରପିତା ଆଦିତ୍ୟ ନାରାୟଣ ପଣ୍ଡା, ସେବାୟତ ମଦନ ପୂଜାରୀ ଓ ମନ୍ଦିର ଟ୍ରଷ୍ଟି ସୁବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଗୋବିନ୍ଦତୋଲାର ଶ୍ରୀ ଶ୍ରୀ ସପ୍ନେଶ୍ୱର ବାବାଙ୍କ ବିବାହ ପୁଟିବନ୍ଧ ନିବାସୀ ସୁଶାନ୍ତ ମିଶ୍ର ଓ ବସନ୍ତ ମଞ୍ଜରୀ ମିଶ୍ରଙ୍କ କନ୍ୟା ପାର୍ବତୀଙ୍କ ସହ ସଂପନ୍ନ ହୋଇଛି। ବରପିତା କୈଳାସ ସେଠଙ୍କ ଉପସ୍ଥିତିରେ ପଣ୍ଡିତ ଅମରନାଥ ମିଶ୍ର ଓ ମନ୍ଦିର ପୂଜକ ଅକ୍ଷୟ ଦାଶ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି। କୁଲୁଥକାନୀର କଳ୍ପେଶ୍ୱର ବାବାଙ୍କୁ ସ୍ଥାନୀୟ ଭାଗିରଥୀ ମେହେର ଓ ସୁକୁମାରୀ ମେହେର କନ୍ୟାଦାନ କରିଛନ୍ତି। ସିନ୍ଦୁରପଙ୍କର ଶ୍ରୀ ଶ୍ରୀ ତାରକେଶ୍ୱର ବାବାଙ୍କ ଲୌକିକ ବିବାହ ସ୍ଥାନୀୟ ବୀରେନ୍ଦ୍ର ଧର ଓ ବୀଣାପାଣି ଧରଙ୍କ କନ୍ୟା ପାର୍ବତୀଙ୍କ ସହିତ ସଂପନ୍ନ ହୋଇଛି। ବରପିତା ନିମାଇଁ ଚରଣଙ୍କ ଉପସ୍ଥିତିରେ ପଣ୍ଡିତ ସୁଶାନ୍ତ ସାହୁ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି। ଏହି ପବିତ୍ର କାର୍ଯ୍ୟରେ ଷଷ୍ଠୀ କମିଟିର ସଭାପତି ତନ୍ମୟ ଧର, ସଂପାଦକ ଅଜିତ ପଣ୍ଡା, କୋଷାଧ୍ୟକ୍ଷ ବିନୟ କର ଓ ସଂଯୋଜକ ପ୍ୟାରୀଲାଲ ପଣ୍ଡା ସହଯୋଗ କରିଥିଲେ।

Comments are closed.