ସମ୍ବଲପୁର ଦୁଇ ଦିନ ସଟ୍ ଡ଼ାଉନ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦେଶ

ସମ୍ବଲପୁର: ସମ୍ବଲପୁର ଜିଲାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବା ଦୃଷ୍ଟିରୁ ଜିଲାପାଳ ଶୁଭମ ସାକ୍ସେନା ଆସନ୍ତା ଶନିବାର ଓ ରବିବାର ସମ୍ବଲପୁର ଜିଲା ସଟ୍‌ଡାଉନ ଘୋଷଣା କରିଛନ୍ତି। ସଟ୍‌ଡାଉନରୁ ସ୍ୱାସ୍ଥ୍ୟ ସେବା ଓ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବାବେଳେ ସଟ୍‌ଡାଉନ ପାଇଁ ଜାରି ସମସ୍ତ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ରହିଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ଲିଙ୍କରେ ଗୁରୁବାର ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ସମ୍ବଲପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ସେହିପରି ଭିସୁଟ ଲିଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହୋଇଛି। ଏପର୍ଯ୍ୟନ୍ତ ଜିଲାର ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ ଯେ, ଭିସୁଟର ସିଭିଲ ଇଞ୍ଜିନିୟରିଂ ବିଭାଗର ଜଣେ ସହକାରୀ ଅଧ୍ୟାପିକାଙ୍କ ସ୍ବାମୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ଅଧ୍ୟାପିକା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସମ୍ପୃକ୍ତ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବା ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି। ତନ୍ମଧ୍ୟରେ ପ୍ରଥମେ ୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ସହ ଘରୋଇ ସହାୟିକା, ପରେ ଆଉ ୪ ଜଣ କର୍ମଚାରୀ ଏବଂ ଗୁରୁବାର ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସଟ୍‌ଡାଉନ ସମୟରେ ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ​‌ଔଷଧ ଦୋକାନ, ଆମ୍ବୁଲାନ୍ସ, ପୁଲିସ, ପୌର ସେବା, ଅଗ୍ନିଶମ ସେବା, ଟେଲିକମ ସେବା, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ଗଣମାଧ୍ୟମ, ବିଦ୍ୟୁତ ଓ ଜଳଯୋଗାଣ, ଶିଳ୍ପାନୁଷ୍ଠାନ, ନିର୍ମାଣକାମ, କୃଷି ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚଳାଚଳ, ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତିମ ସଂସ୍କାର ତଥା ଏଟିଏମ ସେବାକୁ ସଟ୍ ଡାଉନ କଟକଣାମୁକ୍ତ ରଖାଯାଇଛି। କଟକଣା ଉଲ୍ଲଂଘନ କଲେ ପାନଡେମିକ ଆକ୍ଟ ଅନୁଯାୟୀ ଦଣ୍ଡିତ କରାଯିବ।
ଜିଲାରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ସମ୍ବଲପୁର ଜିଲାରେ ଗତ ରବିବାର ୫ ତାରିଖ ଜିଲାରେ ସଟ୍‌ଡାଉନ ଘୋଷଣା କରାଯାଇଥିବାବେଳେ ଭିସୁଟ ସଂକ୍ରମଣ ଦୃଷ୍ଟିରୁ ବୁର୍ଲାର ୫ଟି ୱାର୍ଡକୁ ୯ ଓ ୧୦ ତାରିଖ ଦୁଇଦିନିଆ ସଟ୍‌ଡାଉନ କରାଯାଇଛି। ଭିମସାର କ୍ୟାମ୍ପସ, ସ୍ବାସ୍ଥ୍ୟ ସେବା ବ୍ୟତୀତ ସମସ୍ତ ଦୋକାନବଜାର ବନ୍ଦ ରହିଛି। ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ଭିସୁଟକୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବାବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ମଧ୍ୟ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ବୁର୍ଲାର ଏକ ଘରୋଇ ନର୍ସିଂହୋମକୁ ଭିସୁଟ ଲିଙ୍କର ଜଣେ ଆକ୍ରାନ୍ତ ଆସିଥିବାରୁ ସିଲ କରାଯିବା ସହ ସେଠାକାର ୨୫ ଜଣ କର୍ମଚାରୀଙ୍କୁ ହୋମ୍‌ କ୍ୱାରେନ୍‌ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ବୁର୍ଲା ଅଗ୍ନିଶମ କେନ୍ଦ୍ରକୁ ମଧ୍ୟ ସିଲ କରାଯାଇଛି। ଅନ୍ୟପକ୍ଷରେ ବୁଧବାର କୁଚିଣ୍ଡାର ଜଣେ ୬୩ ବର୍ଷୀୟ ବ୍ୟକ୍ତି ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କୁଚିଣ୍ଡା ଉପଜିଲାପାଳ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବିଶୋଧିତ କରାଯିବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉପଜିଲାପାଳ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ନି​ଷେଧ କରାଯାଇଛି।

Comments are closed.