ମହିଳା ଗୋଷ୍ଠୀଙ୍କ କାମକୁ କରୁଛନ୍ତି ଠିକାଦାର, ଜେଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ଖଣ୍ଡୁଆଳ (ୱାର୍ଡ ନଂ – ୩୬) ଠାରେ ନିଗମ ପକ୍ଷରୁ ଏକ ଖାଲି ସ୍ଥାନର ବିକାଶ କାର୍ଯ୍ୟ ପାଇଁ ଯୋଜନା କରାଯାଇଛି। ଏହି କାର୍ଯ୍ୟକୁ ସେହି ଅଞ୍ଚଳରେ କାର୍ଯ୍ୟରତ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ (ଖଣ୍ଡୁଆଳ) କୁ ଦିଆଯାଇଥିବା ବେଳେ କିନ୍ତୁ ଏହାକୁ ଅନ୍ୟ ଏକ ଠିକାଦାରଙ୍କ ଜରିଆରେ କାମ କରାଇବାରୁ ନିଗମର ଜୁନିୟର ଇଞ୍ଜିନିୟର ଚାପ ପକାଉଥିବାର ସଙ୍ଗୀନ ଅଭିଯୋଗ ଜିଲାପାଳଙ୍କ ନିକଟରେ ହୋଇଛି।

ଜିଲାପାଳଙ୍କୁ ଗୁରୁବାର ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ମହାନଗର ନିଗମ କମିଶନରଙ୍କ ଚିଠି ସଂଖ୍ୟା ୨୧୬/୨୦୨୦ – ୨୧, ତା. ୨୭/୦୨/୨୦୨୧ ଜରିଆରେ ଖଣ୍ଡୁଆଳ ଗ୍ରାମରେ ଥିବା ଏକ ଖାଲି ଜମିର ଉନ୍ନୟନ ପାଇଁ ସମୁଦାୟ ୫ ଲକ୍ଷ ୧୪ ହଜାର ୪୦୦ ଟଙ୍କାର ବ୍ୟୟ ଅଟକଳ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ମହାନଗର ନିଗମରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବି.ବି. ପଟ୍ଟନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ସେ ଏହି କାର୍ଯ୍ୟକୁ ଜଣେ ବେସରକାରୀ ଠିକାଦାରଙ୍କ ଜରିଆରେ କରାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାପ ପକାଉଛନ୍ତି। ନିଗମ ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖରେ ଚିଠି ଜାରି ହୋଇଥିବା ବେଳେ ଉକ୍ତ ଚିଠି ସ୍ୱୟଂ ସହାୟକ ଗୋଷ୍ଠୀକୁ ମାର୍ଚ୍ଚ ୨୫ରେ ଦିଆଯାଇଛି। ଏହା ସହିତ କରାଯାଇଥିବା ବ୍ୟୟ ଅଟକଳର ୭.୫ ପ୍ରତିଶତ କମିଶନ ନେଇ ଯାଇ କାମକୁ ବେସରକାରୀ ଠିକାଦାରଙ୍କୁ କରିବାକୁ ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ପଟ୍ଟନାୟକ ଚାପ ପକାଉଥିବାର ଅଭିଯୋଗ ଜିଲାପାଳଙ୍କ ନିକଟରେ କରିଛନ୍ତି।

ଏହି କାମ ପାଇଁ ଜାଣିଶୁଣି ରାଜନୀତି କରାଯାଉଥିବାରୁ ଏହି କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ କାର୍ଯ୍ୟାନ୍ୱିତ କରିବା ପାଇଁ ଦେବାକୁ ଅନୁରୋଧ କରାଯାଇଛି। ଏହା ସହିତ କନିଷ୍ଠ ଯନ୍ତ୍ରୀ ପଟ୍ଟନାୟକଙ୍କୁ ଏହି କାମର ଦାୟିତ୍ୱରୁ ହଟା ଯାଇ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାବଧାନରେ କରାଇବାକୁ ସେମାନେ ଦାବି କରିଛନ୍ତି। ଏଣୁ ଏ ନେଇ ତୁରନ୍ତ ବିହିତ ପଦକ୍ଷେପ ନେଲେ ଶିଘ୍ର ବିକାଶ ମୂଳକ ଯୋଜନାକୁ କାର୍ଯ୍ୟକାରୀ କରିପାରିବୁ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଜିଲାପାଳଙ୍କୁ ଜଣାଇଛନ୍ତି। ଜିଲାପାଳଙ୍କ ପ୍ରଦତ୍ତ ଦାବି ପତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଶୋଭାଗିନୀ ନାଥ, ସମ୍ପାଦିକା ସଶ୍ମିତା ନାଥ, ସୁଶ୍ମିତା ପାଢ଼ୀ, ରଶ୍ମୀ ରେଖା ସାହୁ, ସୁନୀତା ପାଣି, କୁନ୍ତୀ ସାହୁ, ଶୁଭଶ୍ରୀ ପାଢ଼ୀ, ରଞ୍ଜିତା ପୋଢ଼ ପ୍ରମୁଖଙ୍କ ଦସ୍ତଖତ ରହିଛି।

Comments are closed.