୧୫ରୁ ଖୋଲିବ ଡେବ୍ରିଗଡ ଅଭୟାରଣ୍ୟ

ସମ୍ବଲପୁର : ସମ୍ବଲପୁର ଉପକଣ୍ଠସ୍ଥ ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ୧୫ ତାରିଖରୁ ଜନତାଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନର ଡିଏସଫଓ ସନଥ କୁମାର। ଡିଏଫଓ ସନଥଙ୍କ ସୂଚନାନୁଯାୟୀ, ବର୍ଷା ଯୋଗୁଁ ଅଭୟାରଣ୍ୟକୁ ଯାଉଥିବା ରାସ୍ତା ଗୁଡିକ ଖରାପ ଥିବାରୁ ଗତ ଅଗଷ୍ଟ ୧ ତାରିଖରୁ ବର୍ଷା ସମୟରେ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା। ବର୍ଷା ପରେ  ଅକ୍ଟୋବର ୧ ତାରିଖରେ ଅଭୟାରଣ୍ୟକୁ ଖୋଲାଯିବା ପାଇଁ ବିଭାଗ ନିଷ୍ପତ୍ତି ନେଇଥିଲା। କିନ୍ତୁ ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ଅଭୟାରଣ୍ୟର ଖୋଲାଯିବା ସମୟକୁ ଗତ ୨୭ ତାରିଖରେ ୧୫ ଦିନ ଆଗକୁ ବଢ଼ାଇ ଦିଆଯାଇଥିଲା। ଅଭୟାରଣ୍ୟ ଖୋଲିବା ପରେ ଗାଇଡଯୁକ୍ତ ସଫାରୀ ଯାନ ଗୁଡିକ ମଧ୍ୟ ଚାଲୁ ହେବା ସହିତ ସେ ଗୁଡିକ ଅଭୟାରଣ୍ୟର ଗେଟରେ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ। ଅଭୟାରଣ୍ୟ ପରିଦର୍ଶନ ସମୟରେ ଗାଇଡଯୁକ୍ତ ସଫାରୀ ଯାନ ବ୍ୟତୀତ କୌଣସି ବ୍ୟକ୍ତିଗତ ଯାନବାହାନକୁ ସଫାରୀ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଏବେ ଦୁଇଟି ସଫାରୀ ଯାନ (୮ ଜଣିଆ ଓ ୧୪ ଜଣିଆ କ୍ଷମତା ବିଶିଷ୍ଟ) ପର୍ଯ୍ୟଟକ ମାନଙ୍କ ପାଇଁ ଉପଲବ୍ଧ ରହିବ। ସରକାରଙ୍କର ନିୟମାନୁଯାୟୀ, ୮ ଜଣିଆ କ୍ଷମତା ବିଶିଷ୍ଟ ଯାନ ପାଇଁ ୨ ହଜାର ଟଙ୍କା ସହିତ ପ୍ରବେଶ ଶୁଳ୍କ ୪୦ ଟଙ୍କା ଓ ୧୪ ଜଣିଆ କ୍ଷମତା ବିଶିଷ୍ଟ ଯାନ ପାଇଁ ୨୮ ଶହ ଟଙ୍କା ସହିତ ଅଭୟାରଣ୍ୟ ପ୍ରବେଶ ଶୁଳ୍କ ୪୦ ଟଙ୍କା ଅଥବା ଉର୍ଦ୍ଧ ହୋଇପାରେ।

ସଫାରୀ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ୧୫ ଜଣ ଶିକ୍ଷିତ ଯୁବକ ମାନଙ୍କୁ ଗାଇଡ ଭାବରେ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତ କରାଯାଇଛି। ଅଭୟାରଣ୍ୟର ଆଖପାଖର ଗ୍ରାମରୁ ୧୫ ଜଣ ଶିକ୍ଷିତ ଯୁବକ ମାନଙ୍କୁ ୨ ମାସ ଇକୋ ଗାଇଡ ପ୍ରଶିକ୍ଷଣ ଦିଆଯାଇଛି। ଏହା ସହିତ ଜଣେ ପ୍ରଶିକ୍ଷିତ ଯୁବକ ଙ୍କୁ ଏହି ସଫାରୀ ଗ୍ରୃପର ଦାୟିତ୍ୱ ଦିଆଯାଇଛି। ଗାଇଡ ଯୁକ୍ତ ସଫାରୀ ଯାନ ଗୁଡିକୁ ‘ଆମଝର ଇକୋ ବିଳାସ ଗୋଷ୍ଠୀ’ଦ୍ୱାରା ପରିଚାଳିତ କରାଯିବ। ସଫାରୀରୁ ସଂଗୃହିତ ରାଜସ୍ୱ ଉଭୟ ଗୋଷ୍ଠୀ ଓ ବନ୍ୟପ୍ରାଣୀ ବିଭାଗ ସମାନତାରେ ଅଂଶ ଧନ ଦିଆଯିବ। ଏବେ ସାମୟିକ ଭାବରେ ଅଭୟାରଣ୍ୟ ମଧ୍ୟରେ ଥିବା ‘ଡେବ୍ରିଗଡ ନେଚର କ୍ୟାମ୍ପ’ କୁ ଯାତାୟାତ କରିବା ପାଇଁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଶୁଳ୍କ ପଇଠ ପରେ ସେମାନଙ୍କର ନିଜସ୍ୱ ଯାନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଆଗାମୀ ଦିନରେ ଆହୁରୀ ଯାନ ଗୁଡିକ ଅଭୟାରଣ୍ୟ ପାଇଁ ଅଣାଯିବା ପରେ ପର୍ଯ୍ୟଟକ ମାନଙ୍କର ଯାନବାହାନମାନଙ୍କୁ ଭିତରକୁ ଅନୁମତି ଭବିଷ୍ୟତରେ ଦିଆଯାଇ ନ ପାରେ। ବିଭାଗୀୟ ସୂଚନାନୁଯାୟୀ, ଏହି କାର୍ଯ୍ୟକ୍ରମ ଦ୍ୱାରା ପର୍ଯ୍ୟଟକମାନଙ୍କ କାର୍ଯ୍ୟକଳାପ ଅଭୟାରଣ୍ୟରେ ନିୟନ୍ତ୍ରିତ ହେବ, ବନ୍ୟପ୍ରାଣୀ ମାନେ କମରୁ କମ ବାଧାପ୍ରାପ୍ତ ହେବେ, ପର୍ଯ୍ୟଟକ ମାନେ ଇକୋ ଗାଇଡମାନଙ୍କର ସୁବିଧା ପାଇପାରିବେ, ଏହା ସହିତ ଜନସଚେତନତା ଓ ସୁବିଧା ଯୁକ୍ତ ସେବା ପର୍ଯ୍ୟଟକ ମାନଙ୍କୁ ଯୋଗାଇ ଦିଆଯାଇ ପାରିବ, ୧୫ ଜଣ ବେକାର ଶିକ୍ଷିତ ଯୁବକ ନିଯୁକ୍ତି ପାଇବେ, ଆଞ୍ଚଳିକ ଇକୋ ଉନ୍ନୟନ କମିଟୀ ଗୁଡିକ ରାଜସ୍ୱର ଅଂଶୀଦାର ହେବେ ଏବଂ ଏହାର ସେମାନଙ୍କର ସାମାଜିକ ଓ ଆର୍ଥିକ ଅଗ୍ରଗତିରେ ସାହାଯ୍ୟ କରିବ।

 

 

Comments are closed.