ଦଲାଲ ମୁକ୍ତ ହୋଇ ପାରୁନି ଆରଟିଓ କାର୍ଯ୍ୟାଳୟ : ପୁଣି ଦୁଇ ଦଲାଲ ଗିରଫ

ସମ୍ବଲପୁର : ଗତବର୍ଷ ସେପ୍ଟେମ୍ବର ମାସରେ ସଂଶୋଧିତ ନୂତନ ମୋଟରଯାନ ଆଇନ୍ ୨୦୧୯ ଲାଗୁ ହେବା ପରେ ଜନତାଙ୍କ ମନରେ ଛନକା ପଶି ଯାଇଛି। କିନ୍ତୁ ହଠାତ୍ ଏହି ନିୟମ ଲାଗୁ କରାଯିବା ଏବଂ ପୁଲିସ ସବୁ କାମଧନ୍ଦା ଛାଡି ନୂତନ ଆଇନକୁ କଡାକଡି ଭାବରେ ଲାଗୁ କରିଥିବା ବେଳେ ଜନଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ରାଜଧାନୀ ଭୁବନେଶ୍ୱରଠାରେ ଜନତା ଓ ପୁଲିସ ମଧ୍ୟରେ ସଂର୍ଘଷ ହୋଇଥିଲା। ଏହା ପରେ ରାଜ୍ୟ ସରକାର ପ୍ରଥମେ ଏହି ଆଇନକୁ ରାଜ୍ୟରେ ଲାଗୁ କରିବା ପାଇଁ ୨୦୧୯ ଶେଷ ସୁଦ୍ଧା କୋହଳ କରିଥିବା ବେଳେ ପରେ ତାକୁ ଆହୁରୀ ତିନି ମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି। ଏହି ସମୟ ମଧ୍ୟରେ ସମସ୍ତ ଯାନବାହାନ ମାଲିକ ଓ ଚାଳକମାନେ ସେମାନଙ୍କର ପରିବହନ ସମ୍ପର୍କୀତ କାଗଜଗୁଡିକୁ ଠିକ୍ କରି ନେବାପାଇଁ ସରକାର ଏହି ମହଲତ ଦେଇଛନ୍ତି। ଏଣୁ ଏବେ ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁ ନ ଥିବା ଭିଡ ଦେଖାଯାଉଛି। ସମସ୍ତେ ସରକାରୀ କୋହଳ ସମୟ ମଧ୍ୟରେ ନିଜ ନିଜର କାଗଜ ଗୁଡିକୁ ଠିକ୍ କରାଇ ନେବା ସହିତ ଲାଇସେନ୍ସ ନ ଥିବା ଚାଳକମାନେ ପରିବହନ କାର୍ଯ୍ୟାଳୟରେ ସକାଳୁ ସଞ୍ଜ ଯାଏଁ ଭିଡ ଜମାଇ ରହିଛନ୍ତି।

ସରକାର ୫ଟି ନିତିକୁ ଅନୁକରଣ କରି ଆରଟିଓ କାର୍ଯ୍ୟାଳୟଗୁଡିକୁ ଦଲାଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଥିବା ବେଳେ କିନ୍ତୁ ତାହା ପ୍ରକୃତ କ୍ଷେତ୍ରରେ ପ୍ରତିଫଳିତ ହେବା ଦେଖାଯାଉ ନାହିଁ। ଏଣୁ ଏ ନେଇ ଗତ ବର୍ଷ ସେପ୍ଟେମ୍ବର ୧୮ ତାରିଖରେ ଶତବାର୍ଷିକୀ ଦୈନିକ ଖବରକାଗଜ ‘ସମାଜ’ରେ ଦଲାଲରାଜ ସର୍ମ୍ପକିତ ଖବର ପ୍ରକାଶନ ପରେ ସରକାର ତୁରନ୍ତ କାର୍ଯ୍ୟାଳୟ ପରିସରରୁ ଦଲାଲମାନଙ୍କୁ ବାହାର କରିଥିଲେ। ତେବେ ପରିବହନ କାର୍ଯ୍ୟାଳୟ ଗୁଡିକ କିଛି ଦିନ ପର୍ଯ୍ୟନ୍ତ ଦଲାଲ ମୁକ୍ତ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଦଲାଲ ଓ ପରିବହନ ବିଭାଗ କର୍ମଚାରୀମାନେ ସେମାନଙ୍କର ଖୁଲମଖୁଲା କାରବାରକୁ ବନ୍ଦ କରି ଲୁଚାଛୁପାରେ ପୂର୍ବବତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଜନତା ବାରମ୍ବାର ଅଭିଯୋଗ କରୁଛନ୍ତି। ଜନତାଙ୍କ ଅଭିଯୋଗକୁ ସତ୍ୟତାରେ ପ୍ରମାଣିତ କରୁଛି ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ଏହି କାର୍ଯ୍ୟାଳୟ ନିକଟରୁ ଗତ ସେପ୍ଟେମ୍ବର ମାସ ପରଠାରୁ ଏ ପର୍ଯ୍ୟନ୍ତ ୫ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିସାରିଲାଣି। ଯାହା ଏବେ ମଧ୍ୟ ପରିବହନ ବିଭାଗରେ ଦଲାଲରାଜ ଚାଲୁ ରହିଥିବାର ନଗ୍ନ ନମୁନା ଅଟେ। ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଟାଉନ ଥାନା କ୍ଷେତ୍ର ଅଞ୍ଚଳରେ ଥିବା ସମୟରେ ପୁଲିସ ଦୁଇ ଜଣ ଦଲାଲଙ୍କୁ ଧରିଥିବା ବେଳେ ଏବେ ଏହି କାର୍ଯ୍ୟାଳୟ ଧନୁପାଲୀ ପୁଲିସ କ୍ଷେତ୍ର ଅଧିନସ୍ଥ ନକ୍ସାପାଲିଠାରେ ନବନିର୍ମିତ କୋଠାକୁ ସ୍ଥାନାନ୍ତରିତ ହୋଇଛି। ଏହି କାର୍ଯ୍ୟାଳୟ ଚଳିତ ମାସ ପ୍ରଥମାର୍ଦ୍ଧରେ ସ୍ଥାନାନ୍ତରିତ ହୋଇଥିବା ବେଳେ ପୁଲିସ ଗତ ୧୦ ତାରିଖ ଓ ୨୫ ତାରିଖ ମଙ୍ଗଳବାର ଦିନ ପୁଲିସ ୨ ଜଣ ଦଲାଲଙ୍କ ସମେତ ସମୁଦାୟ ୩ ଜଣଙ୍କୁ ଧରିସାରିଲାଣି।

ମଙ୍ଗଳବାର ଦିନ ଧନୁପାଲୀ ପୁଲିସ ପରିବହନ କାର୍ଯ୍ୟାଳୟ ଅଞ୍ଚଳରେ ଦଲାଲ ସକ୍ରିୟ ଥିବାର ସୂଚନା ସ୍ଥାନୀୟ ଅଧିବାସୀଙ୍କଠାରୁ ପାଇ ତୁରନ୍ତ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ କୁଚିଣ୍ଡା ଉପଖଣ୍ଡ ଅଧିନସ୍ଥ ଖଣ୍ଡକଟା ଗ୍ରାମର ନିବାସୀ ଅର୍ନ୍ତଯାମୀ ତାଣ୍ଡିଆ ଓ କୁଲଦୀପ ଉର୍ମାଙ୍କୁ ଦଲାଲି କରୁଥିବା ସମୟରେ ଧରିଛି। ଅଭିଯୁକ୍ତ ଦୁଇ ଜଣଙ୍କ ନିକଟରୁ ନଗଦ ପାଞ୍ଚ ଶହ ଟଙ୍କା, ୯ଟି ଡ୍ରାଇଭିଂ ଲାଇସେନ୍ସ, ଫଟୋ, ପରିଚୟପତ୍ର ଆଦି ପରିବହନ ବିଭାଗ ସର୍ମ୍ପକୀତ କାଗଜଗୁଡିକ ଜବତ କରିଛି। ଏ ସର୍ମ୍ପକରେ ପୁଲିସ ମାମଲା ନଂ ୮୯/୨୦୨୦ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବୋଲି କହିଛି।

ଗତ ସେପ୍ଟେମ୍ବର ମାସରେ ନୂତନ ନିୟମ ଲାଗୁ ହେବା ପରେ ଇତି ମଧ୍ୟରେ ୫ ଜଣ ଦଲାଲ ନିୟମିତ ବ୍ୟବଧାନରେ ଗିରଫ ହେବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ସମ୍ବଲପୁରର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସବୁ କିଛି ଠିକ ଭାବରେ ଚାଲି ନାହିଁ। ନୂତନ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀମାନେ ନିଜେ ଅନଲାଇନରେ ଆବେଦନ ପରେ ଟେଷ୍ଟ ଦେବା ପାଇଁ ସ୍ଲଟ ବୁକିଂ କରିପାରୁ ନାହାନ୍ତି। କିନ୍ତୁ ଯଦି ଦଲାଲମାନଙ୍କୁ ଧରି ମୋଟା ଟଙ୍କା ଦେଉଛନ୍ତି ତାହା ହେଲେ ତାହା ତୁରନ୍ତ ମିଳିଯାଉଛି ବୋଲି ପ୍ରାୟତଃ ଅଭିଯୋଗ ଆସୁଛି। ଯାହାଫଳରେ ଜନତା ପରିବହନ ବିଭାଗର କର୍ମଚାରୀ ଓ ଦଲାଲମାନଙ୍କ ଚକ୍ରବ୍ୟୁହରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ସରକାର ଜନତାଙ୍କୁ ମରିଚିକା ନ ଦେଖାଇ ପ୍ରକୃତ କ୍ଷେତ୍ରରେ ୫ଟିକୁ ପରିବହନ କାର୍ଯ୍ୟାଳୟରେ କଡାକଡି ଭାବରେ ଲାଗୁ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.