ପୁଲିସର ଦଲାଲମୁକ୍ତ ପରିବହନ କାର୍ଯ୍ୟାଳୟ ଅଭିଯାନ : ପୁଣି ଜଣେ ଦଲାଲ ଗିରଫ 

ସମ୍ବଲପୁର :  ସମ୍ବଲପୁର ପୁଲିସ ଦ୍ୱାରା ପରିବହନ କାର୍ଯ୍ୟାଳୟ ପରିସରକୁ ଦଲାଲ ମୁକ୍ତ କରିବା ପାଇଁ ପୁଲିସ ତାର ସ୍ୱତନ୍ତ୍ର ଅଭିଯାନ ଚଳାଇଛି। ଏହି କ୍ରମରେ ଗୁରୁବାର ଦିନ ସମ୍ବଲପୁରର ଉପକଣ୍ଠସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ପୁଣି ଜଣେ ଦଲାଲକୁ ପୁଲିସ ଧରିଛି। ବିଗତ ଦୁଇ ଦିନ ମଧ୍ୟରେ ପୁଲିସ ସମୁଦାୟ ତିନି ଜଣ ଦଲାଲଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସର ସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ଗୁରୁବାର ଦିିନ ସମୟରେ ନକ୍ସାପାଲୀ ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଜଣେ ଦଲାଲ ନିରୀହ ଲୋକଙ୍କୁ ପରିବହନ ବିଭାଗ ସମ୍ବନ୍ଧୀତ କାଗଜପତ୍ର କରାଇ ଦେବା ପାଇଁ କହି ଠକୁଥିଲେ। ଏଣୁ ପୁଲିସ ଚଢ଼ଉ କରିଥିଲା ଏବଂ ଧନୁପାଲୀ ଥାନା ଅର୍ନ୍ତଗତ ନକ୍ସପାଲୀ ଗ୍ରାମର ନିବାସୀ ମନୋଜ କୁମାର ବେହେରା (୪୦) ଙ୍କୁ ଧରିଥିଲା। ପୁଲିସ ମନୋଜ ନିକଟରୁ ୩ଟି ଲର୍ଣ୍ଣିଂ ଲାଇସେନ୍ସ, ୨ଟି ଡ୍ରାଇଭିଂ ଲାଇସେନ୍ସ ନଗଦ ୨ ହଜାର ଟଙ୍କା, ପରିଚୟପତ୍ର ଆଦି ପରିବହନ ବିଭାଗ ସର୍ମ୍ପକୀତ କାଗଜ ଗୁଡିକ ଜବତ କରିଛି। ଏଣୁ ପୁଲିସ ଧନୁପାଲୀ ଥାନାରେ ମାମଲା ନଂ ୯୪/୨୦୨୦ ରୁଜୁ କରି ଅଭିଯୁକ୍ତ ଦଲାଲ ମନୋଜକୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ସେପ୍ଟେମ୍ବର ମାସରେ ସଂଶୋଧିତ ନୂତନ ମୋଟର ଯାନ ଆଇନ ୨୦୧୯ ଲାଗୁ ହେବା ପରେ ଜନତାଙ୍କ ମନରେ ଛନକା ପଶି ଯାଇଛି। କିନ୍ତୁ ହଠାତ ଏହି ନିୟମ ଲାଗୁ କରାଯିବା ଏବଂ ପୁଲିସ ସବୁ କାମଧନ୍ଦା ଛାଡି ନୂତନ ଆଇନକୁ କଡାକଡି ଭାବରେ ଲାଗୁ କରିଥିବା ବେଳେ ଜନଅସନ୍ତୋଷ ପ୍ରକାଶ ପାଇଥିଲା। ଏଥି ପାଇଁ ରାଜଧାନୀ ଭୁବନେଶ୍ୱର ଠାରେ ଜନତା ଓ ପୁଲିସ ମଧ୍ୟରେ ସଂର୍ଘଷ ହୋଇଥିଲା। ଏହା ପରେ ରାଜ୍ୟ ସରକାର ପ୍ରଥମେ ଏହି ଆଇନକୁ ରାଜ୍ୟରେ ଲାଗୁ କରିବା ପାଇଁ ୨୦୧୯ ଶେଷ ସୁଦ୍ଧା କୋହଳ କରିଥିବା ବେଳେ ପରେ ତାକୁ ଆହୁରୀ ତିନି ମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି। ଏହି ସମୟରେ ମଧ୍ୟରେ ସମସ୍ତ ଯାନବାହାନ ମାଲିକ ଓ ଚାଳକ ମାନେ ସେମାନଙ୍କର ପରିବହନ ସର୍ମ୍ପକୀତ କାଗଜ ଗୁଡିକୁ ଠିକ କରି ନେବା ପାଇଁ ସରକାର ଏହି ମହଲତ ଦେଇଛନ୍ତି। ଏଣୁ ଏବେ ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁ ନ ଥିବାର ଭିଡ ଦେଖାଯାଉଛି। ସମସ୍ତେ ସରକାରୀ କୋହଳ ସମୟ ମଧ୍ୟରେ ନିଜ ନିଜର କାଗଜ ଗୁଡିକୁ ଠିକ କରାଇ ନେବା ସହିତ ଲାଇସେନ୍ସ ନ ଥିବା ଚାଳକ ମାନେ ପରିବହନ କାର୍ଯ୍ୟାଳୟରେ ସକାଳୁ ସଞ୍ଜ ଯାଏ ଭିଡ ଜମାଇ ରହିଛନ୍ତି।

ସରକାର ୫ଟି ନିତିକୁ ଅନୁକରଣ କରି ଆରଟିଓ କାର୍ଯ୍ୟାଳୟ ଗୁଡିକୁ ଦଲାଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଥିବା ବେଳେ କିନ୍ତୁ ତାହା ପ୍ରକୃତ କ୍ଷେତ୍ରରେ ପ୍ରତିଫଳିତ ହେବା ଦେଖାଯାଉ ନାହିଁ। ଏଣୁ ଏ ନେଇ ଗତ ବର୍ଷ ସେପ୍ଟେମ୍ବର ୧୮ ତାରିଖରେ ଶତବାର୍ଷିକୀ ଦୈନିକ ଖବରକାଗଜ ‘ସମାଜ’ ରେ ଦଲାଲରାଜ ସର୍ମ୍ପକିତ ଖବର ପ୍ରକାଶନ ପରେ ସରକାର ତୁରନ୍ତ କାର୍ଯ୍ୟାଳୟ ପରିସରରୁ ଦଲାଲ ମାନଙ୍କୁ ବାହାର କରିଥିଲେ। ତେବେ ପରିବହନ କାର୍ଯ୍ୟାଳୟ ଗୁଡିକ କିଛି ଦିନ ପର୍ଯ୍ୟନ୍ତ ଦଲାଲ ମୁକ୍ତ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଦଲାଲ ଓ ପରିବହନ ବିଭାଗ କର୍ମଚାରୀ ମାନେ ସେମାନଙ୍କର ଖୁଲମଖୁଲା କାରବାରକୁ ବନ୍ଦ କରି ଲୁଚାଛୁପାରେ ପୂର୍ବବତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଜନତା ବାରମ୍ବାର ଅଭିଯୋଗ କରୁଛନ୍ତି। ଜନତାଙ୍କ ଏହି ଅଭିଯୋଗକୁ ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସତ୍ୟତାରେ ପ୍ରମାଣିତ କରୁଛି। ଏହି କାର୍ଯ୍ୟାଳୟ ନିକଟରୁ ଗତ ସେପ୍ଟେମ୍ବର ମାସ ପରଠାରୁ ଏ ପର୍ଯ୍ୟନ୍ତ ସମୁଦାୟ ୬ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିସାରିଲାଣି। ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଟାଉନ ଥାନା କ୍ଷେତ୍ର ଅଞ୍ଚଳରେ ଥିବା ସମୟରେ ପୁଲିସ ଦୁଇ ଜଣ ଦଲାଲଙ୍କୁ ଧରିଥିବା ବେଳେ ଏହି କାର୍ଯ୍ୟାଳୟ ଧନୁପାଲୀ ପୁଲିସ କ୍ଷେତ୍ର ଅଧିନସ୍ଥ ନକ୍ସାପାଲି ଠାରେ ନବନିର୍ମିତ କୋଠାକୁ ସ୍ଥାନାନ୍ତରିତ ହୋଇଛି। ଏହି କାର୍ଯ୍ୟାଳୟ ଚଳିତ ଫେବୃଆରୀ ମାସରେ ସ୍ଥାନାନ୍ତରିତ ହୋଇଥିବା ବେଳେ ପୁଲିସ ଗତ ୧୦ ତାରିଖରେ ଜଣେ, ୨୫ ତାରିଖରେ ୨ ଜଣ ଦଲାଲ ଏବଂ ଗୁରୁବାର ଦିନ ଜଣେ ଦଲାଲଙ୍କ ସମେତ ସମୁଦାୟ ୪ ଜଣଙ୍କୁ ଧରିସାରିଲାଣି। ଯାହା ଏବେ ମଧ୍ୟ ପରିବହନ ବିଭାଗରେ ଦଲାଲରାଜ ଚାଲୁ ରହିଥିବାର ଜ୍ୱଳନ୍ତ ନମୁନା ଅଟେ।

ଗତ ସେପ୍ଟେମ୍ବର ମାସରେ ନୂତନ ନିୟମ ଲାଗୁ ହେବା ପରେ ଇତି ମଧ୍ୟରେ ୬ ଜଣ ଦଲାଲ ନିୟମିତ ବ୍ୟବଧାନରେ ଗିରଫ ହେବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ସମ୍ବଲପୁରର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସବୁ କିଛି ଠିକ ଭାବରେ ଚାଲି ନାହିଁ। ନୂତନ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀ ମାନେ ନିଜେ ଅନଲାଇନରେ ଆବେଦନ ପରେ ଟେଷ୍ଟ ଦେବା ପାଇଁ ସ୍ଲଟ ବୁକିଂ କରି ପାରୁ ନାହାନ୍ତି। କିନ୍ତୁ ଯଦି ଦଲାଲ ମାନଙ୍କୁ ଧରି ମୋଟା ଟଙ୍କା ଦେଉଛନ୍ତି ତାହା ହେଲେ ତାହା ତୁରନ୍ତ ମିଳିଯାଉଛି ବୋଲି ପ୍ରାୟତଃ ଅଭିଯୋଗ ଆସୁଛି। ଯାହା ଫଳରେ ଜନତା ପରିବହନ ବିଭାଗର କର୍ମଚାରୀ ଓ ଦଲାଲ ମାନଙ୍କ ଚକ୍ରବ୍ୟୁହରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ସରକାର ଜନତାଙ୍କୁ ମରିଚିକା ନ ଦେଖାଇ ପ୍ରକୃତ କ୍ଷେତ୍ରରେ ୫ଟିକୁ ପରିବହନ କାର୍ଯ୍ୟାଳୟରେ କଡାକଡି ଭାବରେ ଲାଗୁ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Comments are closed.