ଡାକ ବିଭାଗର ସମ୍ବଲପୁର ଶାଖାର ନୂତନ କର୍ମକର୍ତ୍ତା ଚୟନ

ସମ୍ବଲପୁର(ସିଟି): ଅଖିଳ ଭାରତୀୟ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସମ୍ବଲପୁର ଶାଖାର ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ସମ୍ବଲପୁରର ମୁଖ୍ୟ ଡାକ ଘର ଠାରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଘର ସଭାପତି ରମେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ପ୍ରଥମ ଦିବରେ ସଂଘର ବିଗତ ଦୁଇ ବର୍ଷର କାର୍ଯ୍ୟକଳାପ ଏବଂ ଆର୍ଥିକ ଆୟବ୍ୟୟର ଆକଳନ କରାଯାଇଥିଲା। ଦ୍ୱିତୀୟ ଦିନରେ ରାଜ୍ୟ ସଂଘ ସଭାପତି ପ୍ରଦୀପ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ସଂଘର ଏକ ଖୋଲା ଅଧିବେଶନ କରାଯାଇଥିଲା। ମୁଖ୍ୟ ଡାକ ଘର ଅଧିକ୍ଷକ ବିପିନ ବିହାରୀ ନେଗୀ ଏବଂ ଡାକ ସେବା ଆଞ୍ଚଳିକ ସହାୟକ ନିର୍ଦ୍ଦେଶକ କମଳେନ୍ଦୁ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ଓଡିଶା ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ତଥା ହିନ୍ଦ ମଜଦୁର ସଂଘର ପଶ୍ଚିମ ଓଡିଶା ଆବାହକ ସଞ୍ଜିତ ମହାନ୍ତି ଓ ଏଆଇଟିୟୁସି ସମ୍ବଲପୁର ଶାଖା ସଭାପତି ଏନ. ଗୋପାଳ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ନୂତନ କର୍ମକର୍ତ୍ତା ଚୟନରେ ସଂଘର ସଭାପତି ଭାବରେ ରୂପେଶ କୁମାର ବାଗ ଓ କାର୍ଯ୍ୟକାରୀ ସଭାପତି ଭାବରେ ପ୍ରଦୀପ ଚନ୍ଦ୍ର ରାଉତଙ୍କୁ ଚୟନ କରାଯାଇଛି। କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ତଥା ଆଗାମୀ ଦିନରେ ଡାକ ବିଭାଗର ଭବିଷ୍ୟତ ଏବଂ ସରକାରଙ୍କ ଘରୋଇକରଣ ଓ କର୍ମଚାରୀ ମାରଣ ନିତି ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶକ୍ତି ସିଂ, ରଞ୍ଜନ ରାଉତ, ବିଷ୍ଣୁ ଦାସ, ବିମଲ ଦାସ, ସୁଶୀଲ କୁମାର ସେନାପତି, ଏସ ରାଜା ସେଠୀ, ବୃହସ୍ପତି ସାମଲ, ସୁରଜ ଦେହୁରୀ, ଆଶିଷ କୁମ୍ଭାର, ମକରଧ୍ୱଜ ବାରିକ, ସୁରେନ୍ଦ୍ର ବିଶ୍ୱାଳ, ଗଣେଶରାମ କୂଅଁର, କ୍ଷେତ୍ରପାଳ ପଧାନ, ମହେଶ ସାହୁ, ବିରେନ୍ଦ୍ର ବେହେରା, ଗୌରବ ରଞ୍ଜନ ସେଠ ଙ୍କ ସମେତ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ ଓ ରାଉରକେଲାରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। ରାଜେଶ ତରେଇ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.