ରାସ୍ତାରୁ ପାଇଥିବା ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ଫେରାଇଲେ ତାପସ ସ୍ବା,ଇଁ ସମ୍ମାନୀତ କଲା ସମ୍ବଲପୁର ପୁଲିସ

ସମ୍ବଲପୁର: ସୋମବାର ରାତ୍ରିରେ ସମ୍ବଲପୁରର ଅଇଁଠାପାଲି ଥାନା ଅର୍ନ୍ତଗତ ଏସଆରଆଇଟି କଲୋନୀ ନିବାସୀ ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ସହାୟକ ତାପସ କୁମାର ସ୍ୱାଇଁ ସାନ୍ଧ୍ୟ ଭ୍ରମଣ ସମୟରେ ଯାଉଥିବା ବେଳେ ରାସ୍ତାରେ ପଡ଼ିଥିବା ଏକ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇଥିଲେ। ଏହାପରେ ପରେ ଅଇଁଠାପାଲି ଥାନାକୁ ଖବର ଦେଇଥିଲେ ଏବଂ ସେଠାରେ ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଜମା କରିଥିଲେ। ତେବେ ପ୍ରାଥମିକ ସମୟରେ ତାହା କାହାର ସୁନା ଅଳଙ୍କାର (ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଊର୍ଦ୍ଧ) ଜଣାପଡି ନ ଥିବା ବେଳେ କିଛି ସମୟ ପରେ ଜଣେ ମହିଳା ଉକ୍ତ ବ୍ୟାଗଟି ହଜିଥିବା ସର୍ମ୍ପକରେ ଥାନାକୁ ଅଭିଯୋଗ ନିମନ୍ତେ ଆସିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟାପ୍ତ ତଦନ୍ତ ପରେ ପୁଲିସ ସୁନା ଅଳଙ୍କାର, ଅନ୍ୟାନ୍ୟ ସାମଗ୍ରୀ ସହିତ ବ୍ୟାଗଟିକୁ ତା’ର ମାଲିକ ମହିଳାଙ୍କୁ ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ଉପସ୍ଥିତିରେ ଫେରସ୍ତ କରାଯାଇଥିଲା।
ଅପରପକ୍ଷରେ ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇଥିବା ତାପସ କୁମାର ସ୍ୱାଇଁ ତାଙ୍କର ଉତ୍ତମ ଓ ଦାନଶୀଳ ସ୍ୱଭାବ ପାଇଁ ତାଙ୍କୁ ସମ୍ବଲପୁର ପୁଲିସ ପୁଷ୍ପଗୁଚ୍ଛ, ନଗଦ ୧ ହଜାର ଟଙ୍କା ଓ ପ୍ରମାଣପତ୍ର ସହିତ ସମ୍ମାନୀତ କରିଛି। ମଙ୍ଗଳବାର ଜିଲା ପୁଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର, ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ଉପସ୍ଥିତିରେ ତାପସ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କର ମହନୀୟତା ଓ ସଚ୍ଚୋଟତା କାର୍ଯ୍ୟ ବିଶେଷ କରି ଯୁବକ ମାନଙ୍କ ସହିତ ସମାଜକୁ ପ୍ରେରଣା ଯୋଗାଉଛି ବୋଲି ଏସପି ଗଙ୍ଗାଧର କହିଛନ୍ତି।

Comments are closed.