ପଙ୍ଗପାଳ ପାଇଁ ସର୍ତକ ସମ୍ବଲପୁର ଜିଲା ପ୍ରଶାସନ

ସମ୍ବଲପୁର : କରୋନା ମହାମାରୀ ସଙ୍କଟ ଦେଶରୁ ଟଳି ନଥିବା ବେଳେ ବୋଝ ଉପରେ ନଳିତା ବିଡା ସଦୃଶ ଏବେ ପଙ୍ଗପାଳ ସଙ୍କଟ ମାଡି ଆସିଛି। ଦେଶର ବହୁ ରାଜ୍ୟରେ ଏହି ପଙ୍ଗପାଳ ଦଳ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ କରିଥିବା ବେଳେ ଏବେ ସେମାନେ ଓଡିଶା ମୁହାଁ ହୋଇଛନ୍ତି। ଏଣୁ ରାଜ୍ୟ ସରକାର ପଙ୍ଗପାଳମାନେ ଓଡିଶା ପହଞ୍ଚିବା ପୂର୍ବରୁ ଏହାର ମୁକାବିଲା କରିବା ପାଇଁ ପ୍ରାକ ପ୍ରସ୍ତୁତି ଚାଲୁ କରିସାରିଛନ୍ତି। ଏହି କ୍ରମରେ ମଙ୍ଗଳବାର ସମ୍ବଲପୁର ଜିଲାପାଳ ଶୁଭମ ସକ୍ସସେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପଙ୍ଗପାଳ ସଙ୍କଟର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ସକାଳ ସମୟରେ ପ୍ରଥମେ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଜିଲା କୃଷି କାର୍ଯ୍ୟାଳୟରେ ଜିଲା ମଧ୍ୟରେ ରହିଥିବା ଇନପୁଟ ଡିଲରମାନଙ୍କର ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏ ସର୍ମ୍ପକରେ କୃଷି ଅଧିକାରୀ ରାୟ କହିଛନ୍ତି ଯେ, ବୈଠକରେ ପଙ୍ଗପାଳ ସଙ୍କଟର ମୁକାବିଲା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇ ପାରିବ, କେମିତି ସେମାନଙ୍କୁ ଅଟକା ଯିବ, ଝିଣ୍ଟିକା ଓ ପଙ୍ଗପାଳ ମଧ୍ୟରେ ଅନ୍ତର କ’ଣ, ସେମାନେ କିଭଳି ଆସନ୍ତି, କେତେବେଳେ ଆସନ୍ତି, କିଭଳି ଭାବରେ ଔଷଧ ସିଞ୍ଚନ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ଡିଲରମାନଙ୍କ ନିକଟରେ ପଙ୍ଗପାଳମାନଙ୍କୁ ମାରିବା ପାଇଁ ଯେଉଁ ୭ଟି ପ୍ରକାରର ଔଷଧ ରହିଛି, ତାହା କେତେ ପରିମାଣରେ ମହଜୁଦ ରହିଛି, ତାର ମଧ୍ୟ ହିସାବ ନିଆଯାଇ ଆକଳନ କରାଯାଇଛି। ଫସଲରେ କୀଟପତଙ୍ଗ ସମ୍ବନ୍ଧୀୟ ସମସ୍ୟା ପାଇଁ ପ୍ରଥମେ ଚାଷୀ ଇନପୁଟ ଡିଲରମାନଙ୍କ ନିକଟକୁ ଆସୁଥିବାରୁ ସେମାନଙ୍କୁ ପଙ୍ଗପାଳ ସଙ୍କଟର ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ପଙ୍ଗପାଳ ଆସିଲେ ସର୍ଭେ କରି ଜିଲା କମିଟିଙ୍କୁ କିପରି ଭାବରେ ଜଣାଇବେ ସେ ସର୍ମ୍ପକରେ ମଧ୍ୟ ସେମାନଙ୍କୁ ବୁଝାଯାଇଥିଲା। ଏହା ସହିତ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମନିଟରିଂ କରାଯାଉଛି।

ଏହା ପରେ ଜିଲାପାଳ ଶୁଭମ ସ​‌େ​‌କ୍ସନାଙ୍କ ଅଧ୍ୟକ୍ଷତାରେ ଦିନ ସାଢ଼େ ୧୨ଟା ସମୟରେ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ କରି ପଙ୍ଗପାଳମାନଙ୍କୁ ମୁକାବିଲା କରିବା ପାଇଁ ଜିଲା ସ୍ତରୀୟ କମିଟି ଗଠନ କରାଯିବା ସହିତ ବିଭିନ୍ନ ପ୍ରସ୍ତାବ ଗୃହୀତ କରାଯାଇଛି। ପଙ୍ଗପାଳମାନେ ଦିନରେ ଦଳବଦ୍ଧ ଭାବରେ ଯାତ୍ରା କରିଥାନ୍ତି ଏବଂ ରାତ୍ରି ହେଲେ ଗୋଟିଏ ସ୍ଥାନରେ ରହିଯାଇଥାନ୍ତି। ଏଣୁ ଦିନ ସମୟରେ ସେମାନଙ୍କୁ ଘଉଡାଇବା ପାଇଁ ବିଭିନ୍ନ ଉଚ୍ଚ ଶବ୍ଦ ଯୁକ୍ତ ସାଧନ ଯଥା, ଫୋଟକା, ବାଜା ବଜାଇବା, ଘଣ୍ଟ ବାଡେଇବା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ସେମାନେ ରାତ୍ରି ସମୟରେ ଯେଉଁ ସ୍ଥାନରେ ରହିଥାନ୍ତି ସେହି ସ୍ଥାନରେ ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ମାରିବା ପାଇଁ ଔଷଧ ସିଞ୍ଚନ କରିବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ଅଗ୍ନିଶମ ବିଭାଗ ସହିତ ମିଳିତ ଭାବରେ ସ୍ପ୍ରେ କରାଯିବା ସହିତ ଚାଷୀମାନଙ୍କୁ ମଧ୍ୟ ପାୱାର ସ୍ପ୍ରେ ରିହାତି ଦରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି। କୃଷି, ବନ, ପ୍ରାଣି ସମ୍ପଦ ଓ ଅଗ୍ନିଶମ ଇତ୍ୟାଦି ବିଭାଗକୁ ନେଇ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ଜିଲାସ୍ତରୀୟ କଣ୍ଟ୍ରୋଲ ରୁମ କରାଯାଇଛି। ଏହା ସହିତ ସାମାଜିକ ଗଣମାଧ୍ୟମ, ମାଇକ, ପ୍ରଚାର ପତ୍ର ଆଦି ମାଧ୍ୟମରେ ଚାଷୀମାନଙ୍କୁ ଏହି ସଙ୍କଟର ମୁକାବିଲା କରିବା ପାଇଁ ସଚେତନ କରାଯାଉଛି। ଏବେ ଓଡିଶା ପଙ୍ଗପାଳ ଦଳ ପହଞ୍ଚି ନ ଥିବା ବେଳେ ଯଦି ସେମାନେ ଛତିଶଗଡରୁ ଓଡିଶା ସୀମାକୁ ପ୍ରବେଶ କରନ୍ତି ତାହା ହେଲେ ସେମାନେ ସୁନ୍ଦରଗଡ, ଝାରସୁଗୁଡା, ନବରଙ୍ଗପୁର, ନୂଆପଡା, ବରଗଡ ଜିଲାକୁ ପ୍ରଥମେ ପ୍ରବେଶ କରିବେ। ଏହା ପରେ ସେମାନେ ସମ୍ବଲପୁର ଜିଲା ସୀମାକୁ ପ୍ରବେଶ କରିପାରନ୍ତି। ତେବେ ପବନର ଦିଗ ଓ ତାପମାତ୍ରା ଉପରେ ପଙ୍ଗପାଳ ଦଳର ଗତି ନିର୍ଭର କରୁଛନ୍ତି। ଏବେ ସେମାନେ ମଧ୍ୟପ୍ରଦେଶ ମୁହାଁ ହୋଇଥିବାର କୁହାଯାଉଥିବା ବେଳେ ଯଦି ଓଡିଶା ପଟକୁ ଆସନ୍ତି ତେବେ ଗୁରୁବାର ରାତ୍ରି ସୁଦ୍ଧା ସେମାନେ ପହଞ୍ଚିବାର ଆକଳନ କରାଯାଉଛି। ଏଣୁ କୌଣସି ବିଷୟ ହେୟ ଜ୍ଞାନ କରିବା ଉଚିତ ନୁହେଁ ଏବଂ ପୂର୍ବ ପ୍ରସ୍ତୁତିକୁ ଭଲ ଭାବରେ ରଖିବା ହିଁ ଠିକ୍ ହେବ ଭାବି ସରକାର ଓ ଜିଲା ପ୍ରଶାସନ ସତର୍କ ରହିଥିବା ଜଣାପଡିଛି।

Comments are closed.