ସମ୍ବଲପୁରରେ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୃଟି, ସିଡିଏମଓଙ୍କ ନିକଟରେ କରୋନା ସଂକ୍ରମିତଙ୍କ ସଠିକ ତଥ୍ୟ ନାହିଁ

ସମ୍ବଲପୁର: କରୋନା ନିତି ପ୍ରତିଦିନ ନୂତନ ରେକର୍ଡ ସ୍ଥାପନ କରୁଥିବା ବେଳେ ସମ୍ବଲପୁର ଜିଲା ମଧ୍ୟ ଏଥିରୁ ବର୍ତ୍ତି ପାରି ନାହିଁ। ସମ୍ବଲପୁର ଜିଲା କରୋନା ମୁକ୍ତ ଥିବା ବେଳେ ମେ ୧୭ ତାରିଖରେ ପ୍ରଥମ ସଂକ୍ରମିତ ରୋଗୀ ଜିଲାରେ ଚିହ୍ନଟ ହୋଇଥିଲେ। ସର୍ତକ ଓ ସଚେତନତା ହିଁ କରୋନାକୁ ହରାଇବାର ପ୍ରମୁଖ ଅସ୍ତ୍ର ଓ ପ୍ରତିଷେଧକ ବ୍ୟବସ୍ଥା ହୋଇଥିବା ବେଳେ ସମ୍ବଲପୁର ଜିଲା ପ୍ରଶାସନର କାର୍ଯ୍ୟଶୈଳୀ ଯୋଗୁଁ ଜିଲାବାସୀ ଦିନକୁ ଦିନ ହତାଶ କରୁଛି। ତେବେ ଜିଲାରେ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୃଟି ରହିଥିବାରୁ ମେ ମାସ ପରେ ରୋଗୀଙ୍କ ସଂଖ୍ୟା ଦିନ ପ୍ରତି ଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଛି। ଜିଲାରେ ରହିଥିବା କୋଭିଡ କେୟାର ସେନ୍ଟର ଓ କୋଭିଡ ହସ୍ପିଟାଲ ମଧ୍ୟରୁ ଅନେକ ଭିଡଓ ଓ ଫଟୋ ଭାଇରାଲ ହୋଇ ପ୍ରଶାସନ ଦାବିର ପୋଲ ଖୋଲୁଥିବା ବେଳେ କିନ୍ତୁ ପ୍ରଶାସନ ତରଫରୁ ସୂଚନା ଦେବାକୁ ଟାଳଟୁଳ ନିତି ଅବଲମ୍ବନ କରାଯାଇ ଆସୁଛି। ଗଣମାଧ୍ୟମ ପ୍ରତିନିଧି ମାନେ ଦାୟିତ୍ୱ ନ୍ୟସ୍ତ ଅଧିକାରୀ ମାନଙ୍କୁ ଫୋନ କରିଲେ କେତେ ବେଳେ ଫୋନ ଉଠାଉ ନାହାନ୍ତି ତ ଫୋନ ଉଠାଇଲେ ଆମର ପାଖରେ ସ୍ପଷ୍ଟ ଡାଟା ନାହିଁ ନଚେତ ଅନ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ବୋଲି ବିଭିନ୍ନ ବାହାନାରେ ଭୂଆଁ ବୁଲାଇବାରେ ବ୍ୟସ୍ତ ରହୁଛନ୍ତି। ଯାହା ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ସମ୍ବଲପୁର ଜିଲାରେ କରୋନା ପରିଚାଳନାଗତ ତ୍ରୃଟିକୁ ସାଧାରଣରେ ଉଜାଗର କରୁଛି।

ଶତବାର୍ଷିକ ଦୈନିକ ଖବରକାଗଜ ‘ସମାଜ’ ଦ୍ୱାରା ଗତ ୧ ତାରିଖରେ କୋଭିଡ ପରିଚାଳନାଗତ ତ୍ରୁଟି ସର୍ମ୍ପକରେ ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ ମହାନଗର ନିଗମ କମିଶନର ଓ ଜିଲାସ୍ତରୀୟ ଅଧିକାରୀ ମାନଙ୍କୁ ଅଦଳବଦଳ କରାଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ଯେ ଦିନକୁ ଦିନ ଜିଲାରେ ସଂକ୍ରମଣ ସଂଖ୍ୟା ନୂତନ ରେର୍କଡ ସ୍ଥାପନ କରୁଛି। ଜିଲାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ସଂକ୍ରମଣକୁ ନେଇ ସ୍ପଷ୍ଟ ଓ ବିସ୍ତୃତ ଚିତ୍ର ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇ ନାହିଁ। ପ୍ରଥମେ କୌଣସି ପ୍ରକାରର ସୂଚନା ଦିଆଯାଉ ନ ଥିବା ବେଳେ ପରେ ବାରମ୍ବାର ଦାବି ହେବାରୁ ଅଧା ଅପନ୍ତରିଆ କରି ସୂଚନାମାନ ପ୍ରଦାନ କରାଯାଉଛି। ଫଳରେ ଜିଲାବାସୀ ପ୍ରକୃତ ସ୍ଥିତିର ସୂଚନା ନ ପାଇ ଅସମଞ୍ଜସ ସ୍ଥିତିରେ ରହିଛନ୍ତି। ଏଣୁ ବହୁ ସମୟରେ ବିଭିନ୍ନ ଗୁଜବ ମଧ୍ୟ ବ୍ୟାପିବା ଏବଂ ଏହାକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ମଧ୍ୟ ନଜୀର ରହିଛି।

ସବୁଠାରୁ ବଡ ଆର୍ଶ୍ଚର୍ଯ୍ୟର ବିଷୟ ଯେ, ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଠିକ ତଥ୍ୟ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶଶିଭୂଷଣ ପଟେଲଙ୍କ ନିକଟରେ ମଧ୍ୟ ନାହିଁ। ଆଜି ପର୍ଯ୍ୟନ୍ତ କେତେ କରୋନା ରୋଗୀ ସମ୍ବଲପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି, କେତେ ଜଣ ଚିକିତ୍ସିତ ହେଉଛନ୍ତି ଆଦି ପ୍ରଶ୍ନର ଉତ୍ତରରେ ତାଙ୍କ ନିକଟରେ ସଠିକ ତଥ୍ୟ ନାହିଁ ବୋଲି ଡା. ପଟେଲ କହିଛନ୍ତି। ଏହା ସହିତ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ବି.ବି. ମିଶ୍ର ଙ୍କ ନମ୍ବର ପ୍ରଦାନ କରି ତାଙ୍କୁ ପଚାରିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ମିଶ୍ର ତାଙ୍କ ନିକଟରେ ମଧ୍ୟ ସଠିକ ତଥ୍ୟ ନାହିଁ ଏବଂ ଏ ସର୍ମ୍ପକରେ ସିଡିଏମଓଙ୍କୁ ପଚାରିଲେ ଭଲ ବୋଲି କହଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, କୋଭିଡ ପରିଚାଳନାରେ ବ୍ୟାପକ ତ୍ରୃଟି ରହିଛି। ବୋଧହୁଏ ତ୍ରୃଟି ବିଚ୍ୟୁତି ଧରା ପଡ଼ିଯିବା ଭୟରେ କୌଣସି ଜିଲାସ୍ତରୀୟ ଅଧିକାରୀ କୌଣିସ ସୂଚନା ଦେବାକୁ ଚାହୁଁ ନାହାନ୍ତି।

ତେବେ ବିଶ୍ୱସ୍ତସୂତ୍ରୁ ଜଣାପଡ଼ିଛି ଯେ, ସମ୍ବଲପୁର ଜିଲା କୋଭିଡ ହସ୍ପିଟାଲରେ ୪୫୮ ଜଣ ଚିକିତ୍ସିତ ହୋଇ ସାରିଥିବା ବେଳେ ଏବେ ଶତାଧିକ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ସମ୍ବଲପୁର ଜିଲାପାଳଙ୍କ ଟ୍ୱିଟର ହେଣ୍ଡେଲରେ ଦିଆଯାଇଥିବା ସୂଚନାନୁଯାୟୀ, ଜିଲାରେ ସମୁଦାୟ ୨୧୬୩ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୩୮ ଜଣ ଆକ୍ଟିଭ କେଶ, ୧୩୧୭ ଜଣ ଠିକ ହୋଇ ଘରକୁ ଫେରି ସାରିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟି ସାରିଛି। ତେବେ ବୁଧବାର ଜିଲାରେ ୧୦୭ ଜଣ ନୂତନ ସଂକ୍ରମିତ, ୧୨୭ ଜଣ ଠିକ ହୋଇ ଘରକୁ ଫେରିବା ଏବଂ ୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି। ଜିଲାରେ କରୋନାର ସଠିକ ତଥ୍ୟ ଲୁଚାଯାଉଥିବାର ବାରମ୍ବାର ଅଭିଯୋଗ ହେଉଥିବା ବେଳେ ପ୍ରଶାସନର ଟାଳଟୁଳ ନିତି ଜନତାଙ୍କ ମନରେ ବିଭିନ୍ନ ପ୍ରକାରର ସନ୍ଦେହ ଦୃଢ଼ିଭୂତ କରିବାରେ ସାହାର୍ଯ୍ୟ କରୁଛି।

Comments are closed.