ପୁଲିସର ଉପସ୍ଥିତିରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ : ଯୁବକ ଆହତ, ୨ ଅଟକ

ସମ୍ବଲପୁର: ସମ୍ବଲପୁର ପୁଲିସର ଅପରାଧି ପ୍ରିତି ଯୋଗୁଁ ଏବେ ଜନତା ଭୟଭୀତ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ବିଗତ କିଛି ମାସ ହେବ ସହରରେ ଅପରାଧି ମାନେ ଖୋଲାଖୋଲି ଭାବରେ ଅପରାଧିକ ଘଟଣା ଜିଲା ପୁଲିସ ମୁଖ୍ୟାଳୟ ସନ୍ନିକଟ ଅଞ୍ଚଳରେ ଜାରି ରଖିଥିବା ବେଳେ ଏବେ ସେମାନେ ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ଏଭଳି ଏକ ଘଟଣାରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜନଗହଳି ପୂର୍ଣ୍ଣ ଜିଲା ମୁଖ୍ୟ ଚିକିତ୍ସାଳୟ ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ପୁଲିସର ଉପସ୍ଥିତିରେ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରାଯାଇଛି।

ଶନିବାର ଦିନ ପ୍ରାୟ ୧ଟା ସମୟରେ ମାୟାବଗିଚା ଅଞ୍ଚଳ ନିବାସୀ ମହମ୍ମଦ ଜହୀର ଦେହ ଖରାପ ଥିବାରୁ ପରିବାରବର୍ଗଙ୍କ ସହିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ଡାକ୍ତରଖାନା ଦ୍ୱାର ସମ୍ମୁଖରେ ଅଚାନକ ତାଙ୍କୁ ବାନ୍ତି ହେବାରୁ ସେ ଦ୍ୱାରା କଡରେ ଏକ ପାନ ଦୋକାନରେ ବସି ରହିଥିଲେ। ସେହି ସମୟରେ ତାଙ୍କୁ ପୂର୍ବରୁ ପିଛା କରୁଥିବା କୁମ୍ଭାରପଡା ନିବାସୀ କିଛି ଯୁବକ ଅଚାନକ ବାଡି, ଲୁହା ରଡ ଆଦିରେ ଯୁବକଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ। ସେହି ସମୟରେ ଡାକ୍ତରଖାନାରେ ପୁଲିସ ମୃତୟନ ରହିଥିବା ସତ୍ୱେ ଅଚାନକ ସଂଘବଦ୍ଧ ଆକ୍ରମଣ ଯୋଗୁଁ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଯୁବକଙ୍କୁ ପରିବାରବର୍ଗ ଓ ସ୍ଥାନୀୟ ଲୋକେ କୌଣସି ମତେ ତାଙ୍କୁ ବଞ୍ଚାଇ ଡାକ୍ତରଖାନା ମଧ୍ୟକୁ ନେଇ ଯାଇଥିଲେ। ଅପରପକ୍ଷରେ ଆକ୍ରମଣକାରୀ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଧରିବା ସହିତ ପୁଲିସକୁ ଖବର ଦେଇଥିଲେ। ଏଣୁ ପୁଲିସ ପିସିଆର ଘଟଣାସ୍ଥଳରୁ ୨ ଜଣ ଅଭିଯୁକ୍ତଙ୍କୁ ଟାଉନ ଥାନାକୁ ନେଇ ଅଟକ ରଖିଥିବାର ଥାନାଧିକାରୀ ସ୍ୱିକାର କରିଛନ୍ତି। ଏ ସର୍ମ୍ପକରେ ଟାଉନ ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ପୁଲିସ ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟ ପଟରେ ଏହି ଘଟଣା ସମୟରେ ଯୁବକଙ୍କୁ ମାରିବା ଉଦ୍ଦେଶ୍ୟରେ ଗୁଳି ଚାଳନା କରାଯାଇଥିବାର କୁହାଯାଉଥିବା ବେଳେ ଏହାକୁ ଟାଉନ ଥାନାଧିକାରୀ ଅସ୍ୱିକାର କରିଛନ୍ତି।

କେତେ ସୁରକ୍ଷିତ ସହରବାସୀ!
ପୁଲିସର ଆର୍ଶିବାଦରୁ ଜିଲା ପୁଲିସ ମୁଖିଆ ଙ୍କ କାର୍ଯ୍ୟାଳୟ ଓ ବାସଭବନ ସନ୍ନିକଟ ଅଞ୍ଚଳକୁ ଅପରାଧି ମାନେ ସେମାନଙ୍କ ଚରାଭୂଇଁ କରିଥିବା ବେଳେ ଆଜି ସ୍ପଷ୍ଟ ଦିବାଲୋକରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରୁ ସହରବାସୀ ଆଦୌ ସୁରକ୍ଷିତ ନ ଥିବାର ଜଳ ଜଳ ଦିଶୁଛି। ବିଗତ ୧୫ ତାରିଖରେ ଜିଲା ପୁଲିସ ମୁଖିଆ ଙ୍କ କାର୍ଯ୍ୟାଳୟକୁ ଲାଗିକି ଥିବା ଚାଉଁରପୁର ପୋଲ ଉପରେ ହୋଇଥିବା ଅପହରଣ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଙ୍କୁ ପୁଲିସ ଧରି ପାରି ନ ଥିବା, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବରିଷ୍ଠ ଦମ୍ପତ୍ତିଙ୍କ ଠାରୁ ପୁଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ, ଘର ମଧ୍ୟକୁ ପ୍ରବେଶ କରି ମରଣାନ୍ତକ ଆକ୍ରମଣ, ଖୁଲମଖୁଲା ନିଶା କାରବାର, ସଂଘବଦ୍ଧ ଆକ୍ରମଣ ଘଟଣା ନିରନ୍ତର ଜାରି ରହିଥିବାରୁ ଲୋକେ ନିଜ ତଥା ପରିବାରକୁ ସୁରକ୍ଷିତ ମଣୁ ନାହାନ୍ତି। ବାରମ୍ବାର ଅପରାଧିକ ଘଟଣା ଗୁଡିକ ଘଟି ଚାଲିଥିବା ବେଳେ ଆଜିର ଘଟଣା ଯୋଗୁଁ ସହରବାସୀ ବେଶ ଆତଙ୍କିତ ହୋଇ ରହିଛନ୍ତି। ଅପରପକ୍ଷରେ ପୁଲିସର ନିଷ୍କ୍ରିୟତା ପଛରେ ଅପରାଧିଙ୍କ ମଧୁଚନ୍ଦ୍ରିକାକୁ ସର୍ବାଗ୍ରେ ଉଜାଗର କରୁଛି।

ପୁଲିସର ଉପସ୍ଥିତିରେ ଆକ୍ରମଣ!
ବିଗତ ଦିନ ଗୁଡିକରେ ଜିଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ ଘଟିଯାଇଥିବା ଶିଶୁ ଚୋରି ଘଟଣା, ନାବାଳିକା କୁ ଦୁର୍ଷ୍କମ, ମରଣାନ୍ତକ ଆକ୍ରମଣ, ଗୋଷ୍ଠୀ ସଂଘର୍ଷ ଆଦି ଅପରାଧିକ ଗତିବିଧିକୁ ଧ୍ୟାନରେ ରଖାଯାଇ ସେଠାରେ ପୁଲିସର ଉପସ୍ଥିତି ସବୁ ବେଳେ ରହୁଛି। ତେବେ ଅଚାନକ ଡାକ୍ତରଖାନାର ଦ୍ୱାର ସମ୍ମୁଖରେ ଯୁବକଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ ଘଟଣା ସମୟରେ ପୁଲିସର ଉପସ୍ଥିତ ଡାକ୍ତରଖାନା ମଧ୍ୟରେ ଥାଇ ସୁଦ୍ଧା ଘଟଣାସ୍ଥଳକୁ ନ ଆସିବା ଏବଂ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତରିତ କରିବା ଘଟଣାରୁ ସମ୍ବଲପୁରରେ ପୁଲିସ ସୁରକ୍ଷା କେତେ ଦୁର୍ବଳ ସ୍ପଷ୍ଟ ଜଣାପଡୁଛି।

Comments are closed.