ମାଁ ପାଟଣେଶ୍ୱରୀଙ୍କ ସୁନାବେଶ 

ସମ୍ବଲପୁର :  ପବିତ୍ର ନବରାତ୍ର ଉପଲକ୍ଷେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଦେବୀ ପୀଠ ମାଁ ପାଟଣେଶ୍ୱରୀ ଦେବୀଙ୍କ ଦଶହରା ଉପଲକ୍ଷେ ନବରାତ୍ର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଛି। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ରହିଥିବାରୁ ମାଁ ଙ୍କ ସୁନାବେଶ ଦର୍ଶନକୁ ସୀମିତ କରାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମାଁ ପାଟଣେଶ୍ୱରୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। କୋଭିଡ ନିୟମର କଡା ପାଳନ କରାଯାଇ ଭକ୍ତ ମାନଙ୍କୁ ସୁନାବେଶର ଦର୍ଶନ କରାଯାଇଥିଲା। ମାଁଙ୍କୁ ମୁଖ୍ୟ ପୂଜାରୀ ରମେଶ ପୁରୋହିତ ଓ ଦଧିବାମନ ପଣ୍ଡା ସୁନାବେଶରେ ସୁସଜ୍ଜିତ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୬ ତାରିଖରୁ ମାଁଙ୍କ ଧବଳମୁଖୀ ବେଶ ପରେ ପ୍ରତିଦିନ ନବଦୁର୍ଗା ବେଶରେ ମାଁ ଙ୍କୁ ସଜ୍ଜିତ କରାଯାଇ ଭକ୍ତ ମାନଙ୍କୁ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଉଛି। ମାଁ ପାଟଣେଶ୍ୱରୀ ମହାଳୟା ପରଠାରୁ ମାଁ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ବେଶରେ ଦର୍ଶନ ପ୍ରଦାନ କରିଥିବା ବେଳେ ମହାନବମୀରେ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବ। ଏହା ସହିତ ନବରାତ୍ର ଉପଲକ୍ଷେ ମହାଆଳତୀ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯାଉଛି।

Comments are closed.