କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଜନ ଆର୍ଶିବାଦ ଯାତ୍ରାରେ ସମ୍ବଲପୁର ଗସ୍ତ

ସମ୍ବଲପୁର: ଭାରତ ସରକାରଙ୍କ କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଜନ ଆର୍ଶିବାଦ ଯାତ୍ରାରେ ସମ୍ବଲପୁର ଗସ୍ତ ବୁଧବାର କରିଛନ୍ତି। ଏହି ଅବସରରେ ସମ୍ବଲପୁରର ଭାଜପା କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ସାକ୍ଷାତକାର ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟର ବହୁ ଜିଲାର ମରୁଡି ସମସ୍ୟା, ଜଳସେଚନ ଓ ପାନୀୟ ଜଳର ଅସୁବିଧା ମାନ ରହିଛି। ମୁଖ୍ୟତଃ ଜଳସେଚନ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର କାର୍ଯ୍ୟ ବହୁ ଧିମେଇ ଯାଇଛି। କେନ୍ଦ୍ର ସରକାର ପାଣ୍ଠି ଯୋଗାଇବା କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ଗୁଡିକୁ କାର୍ଯ୍ୟାନ୍ୱିତ କରିବା ଦାୟିତ୍ୱ ଠିକ ଭାବରେ କରୁ ନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ କହିଛନ୍ତି।

ସେ ଆହୁରୀ କହିଛନ୍ତି ଯେ, ନୂଆପଡା ଜିଲା ଠାରେ ଅଙ୍ଗ ନଦୀ ଉପରେ ନଦୀବନ୍ଧ ନିର୍ମାଣ କରାଗଲେ ଉଭୟ ଓଡିଶା ଓ ଛତିଶଗଡ ରାଜ୍ୟର ହଜାର ହଜାର ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ହୋଇ ପାରିବ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ। କେନ୍ଦ୍ର ସରକାରଙ୍କ ‘ହର ଘର ଜଳ’ ଯୋଜନା ଜରିଆରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ପାଣ୍ଠି ଦେବାକୁ ପ୍ରସ୍ତୁତ ଥିବା ବେଳେ ସେଥି ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ଜମି ଅଧିଗ୍ରହଣ, କେତେ ଚାଷୀ ଉପକୃତ ହେବେ ଓ କେତେ ଅଞ୍ଚଳ ଜଳସେଚିତ ହୋଇ ପାରିବ ସେ ନେଇ ଏକ ରିପୋର୍ଟ ଦେଲେ କାର୍ଯ୍ୟ ଆଗେଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ କହିଛନ୍ତି। ସେ ଆହୁରୀ କହିଛନ୍ତି ଯେ, ସୁବର୍ଣ୍ଣରେଖା ଓ ମହାନଦୀ ସଂଯୋଗିକରଣ ପ୍ରକଳ୍ପ ବାଜପେୟୀ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ବେଳେ ଉପା ସରକାର ଙ୍କ ସମୟରେ ଏହା ଧିମେଇ ଯାଇଥିଲା। ବର୍ତ୍ତମାନର ମୋଦୀ ସରକାର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ତେବେ ଭିନ୍ନ ଭିନ୍ନ ରାଜ୍ୟ ଗୁଡିକର ବିଭିନ୍ନ ନିତିଗତ ସମସ୍ୟା ଯୋଗୁଁ ଏଭଳି ଅନେକ ପ୍ରକଳ୍ପ ଗୁଡିକର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇ ପାରୁ ନାହିଁ।

ଏହା ସହିତ ନମାମୀ ଗଙ୍ଗେ ଯୋଜନା ଜରିଆରେ ଆଗକୁ ଭିନ୍ନ ଭିନ୍ନ ରାଜ୍ୟର ନଦୀ ଗୁଡିକର ସଫେଇ କାର୍ଯ ସହ ପର୍ଯ୍ୟଟନ ମୂଳକ କାର୍ଯ୍ୟ ହେବ। କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକର କାର୍ଯ୍ୟ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଜଳ ଜୀବନ ମିଶନ ଜରିଆରେ ୩ ହଜାର ୩୨୩ କୋଟି ଟଙ୍କାର ପାଣ୍ଠି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ବେଲେ ଏହାକୁ ରାଜ୍ୟ ସରକାର ଠିକ ଉପଯୋଗ ନ କରି ନିଜର ପ୍ରଚାର ପ୍ରସାରର ହୀନ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ହୀନ ଉଦ୍ୟମକୁ ଭାଜପା କଦାପି ସଫଳ ହେବାକୁ ଦେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ କହିଛନ୍ତି।

ସମ୍ବଲପୁର ଜିଲାର ପ୍ରବେଶସ୍ଥଳ ଗୋଶାଳା ଠାରେ ପ୍ରଥମେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପଡୋଶୀ ରାଜ୍ୟ ରାୟପୁର ଠାରୁ ବରଗଡ ଦେଇ ସମ୍ବଲପୁରରେ ସନ୍ଧ୍ୟା ସମୟରେ ପହୁଞ୍ଚଥିଲେ। ସମ୍ବଲପୁର କଚେରୀ ରାସ୍ତା ସ୍ଥିତ ଭାରତୀୟ ଜନତା ଦଳ ର କାର୍ଯ୍ୟାଳୟ ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗଣମାଧ୍ୟମ ପ୍ରତିନିଧି ଙ୍କୁ ସାକ୍ଷାତ ସମୟରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସଭାପତି ଗିରିଶ ପଟେଲ, ଟଙ୍କଧର ତ୍ରିପାଠୀ, ଦେବେନ୍ଦ୍ର ମହାପାତ୍ର, ସୀମାଞ୍ଚଳ ଖଟେଇ, ଅନୀଲ ବେହେରା, ରାଧେଶ୍ୟାମ ବାରିକ, ସମୀର ରଞ୍ଜନ ବାବୁ, ଫଣିଭୂଷଣ ମିଶ୍ର, ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡଙ୍ଗୀ ଙ୍କ ସମେତ ଶତାଧିକ ପଦାଧିକାରୀ ଓ କର୍ମୀ ଉପସ୍ଥିତ ରହିଥିଲେ।

Comments are closed.