ବଢ଼ୁଛି ନିଶା କାରବାର, ବଡ ବଡିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ!

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରମୁଖ ଜିଲା ମାନଙ୍କ ମଧ୍ୟରେ ସମ୍ବଲପୁର ଅନ୍ୟତମ। ପ୍ରମୁଖ ଜିଲା ହୋଇଥିବାରୁ ସମ୍ବଲପୁର ଠାରେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ପଶ୍ଚିମ ଓଡିଶାସ୍ତରୀୟ କାର୍ଯ୍ୟାଳୟ ଗୁଡିକ ରହିଛି। ନିୟମିତ ସମ୍ବଲପୁରକୁ ହଜାର ହଜାର ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଆସୁଥିବା ବେଳେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ନିମ୍ନଗାମୀ ହେବାର ଲାଗିଛି। ସମ୍ବଲପୁରରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜର ମୁଖ୍ୟାଳୟ ରହିଥିବା ସତ୍ୱେ ଯେଭଳି ପୁଲିସ ବ୍ୟବସ୍ଥା ରହିବା କଥା ତାହା ଗ୍ରାଉଣ୍ଡ ଜିରୋରେ ଦେଖାଯାଉ ନାହିଁ। ପୁଲିସର କଡା କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁଁ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ଅବୈଧ୍ୟ ନିଶା କାରବାର, ଅପରାଧିକ ଗତିବିଧି, ଦାଦାବଟି ଭଳି ସଙ୍ଗୀନ ଅପରାଧିକ କାର୍ଯ୍ୟକଳାପ ବେଶ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସମ୍ବଲପୁର ଏବେ ଅପରାଧିଙ୍କ ଭୂସ୍ୱର୍ଗରେ ପରିଣତ ହୋଇଥିବା ସହରବାସୀ କହିବା ଆରମ୍ଭ କଲେଣି।

ସହର ତଥା ଆଖପାଖ ଅଞ୍ଚଳରେ ବେଧଡକ ନିଶା କାରବାର ଜାରି ରହିବା ଓ ପୁଲିସର କଡା କାର୍ଯ୍ୟାନୁଷ୍ଠାନର ଅଭାବ ହିଁ ଅପରାଧର ଗ୍ରାଫ ଉର୍ଦ୍ଧଗାମୀ ହେବାର ପ୍ରମୁଖ କାରଣ ଅଟେ। ସହରର ପ୍ରତି ଗଳି କନ୍ଦିରରେ ଅବାଧରେ ମାରାତ୍ମକ ବ୍ରାଉନସୁଗାର ସମେତ ଗଞ୍ଜେଇ, ନିଶା କାଶ ଔଷଧ, ନିଶା ବଟିକା ଆଦି ବିକ୍ରି ଚାଲିଛି, ଅଥଚ ପୁଲିସ ଛୋଟିଆ ପେଡଲର ମାନଙ୍କୁ ଧରି ମୁଖିଆ ମାନଙ୍କୁ ପାରୁ ନାହିଁ ନଚେତ ସାହାସ ଯୁଟାଇ ପାରୁ ନାହିଁ। ବିଗତ ଦିନରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୭୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ସମେତ ଦାମୀକୀଆ କାର, ଲକ୍ଷାଧିକ ଟଙ୍କା ଜବତ ହେବା ସହିତ ନାବାଳକଙ୍କ ସମେତ କିଛି ଛୋଟିଆ ପେଡଲର ମାନଙ୍କୁ ପୁଲିସ ଧରିଥିଲା। କିନ୍ତୁ ବିଡମ୍ବନାର ବିଷୟ ଯେ, ପ୍ରତି ଘଟଣାରେ ପୁଲିସ ପେଡଲର ମାନଙ୍କୁ ଧରିବା ପରେ ମୁଖିଆ ମାନଙ୍କର ଖବର ମିଳିଛି ଏବଂ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଥିବା ବେଳେ ଏ ପର୍ଯ୍ୟନ୍ତ ତାହା ପ୍ରକୃତରେ ଫଳୀଭୂତ ହୋଇ ନାହିଁ। ଫଳରେ ବେଆଇନ ନିଶା କାରବାରରେ ଲିପ୍ତ ମୁଖ୍ୟ ଅପରାଧି ମାନେ ନିର୍ଭୟ ହୋଇ ଅବୈଧ୍ୟ କାରବାର ଜାରି ରଖିଛନ୍ତି। ଏଣୁ ଦେଶର ଭବିଷ୍ୟତ ଯୁବପିଢ଼ି ନିଶାର କବଳରେ ପଡି ପଥ ହୁଡି ଯାଉଛନ୍ତି ଏବଂ ଅପରାଧିକ ଗତିବିଧିରେ ସାମିଲ ରହୁଥିବାରୁ ଏହା ସହରବାସୀଙ୍କ ଏକ ପ୍ରମୁଖ ଚିନ୍ତାର କାରଣ ସାଜିଛି। ଅଞ୍ଚଳରେ ଚାଲୁଥିବା ଅବୈଧ୍ୟ ନିଶା କାରବାର ଓ ଅନ୍ୟାନ୍ୟ ଅପରାଧିକ ଗତିବିଧି ଗୁଡିକରେ କିଛି ଅସାଧୁ ପୁଲିସ, ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତି ସଂପୃକ୍ତ ରହୁଥିବାରୁ ଛବି ନିର୍ମଳ ଯୋଜନା ଅର୍ନ୍ତଗତ ମଝିରେ ମଝିରେ କିଛି ଛୋଟିଆ କାରବାରୀ ମାନଙ୍କୁ ଧରି ଛବିରେ ସୁଧାର କରାଯାଉଥିବାର ଅଭିଯୋଗ ହେଉଛି।

ବିଗତ ବର୍ଷ କରୋନା ସଙ୍କଟ ଆରମ୍ଭ ହେବା ପରେ ବର୍ଷାଧିକ କାଳ ହେବ ସମସ୍ତ ପ୍ରମୁଖ ସ୍ଥାନ ସମେତ ଛକ ଗୁଡିକରେ ପୁଲିସ ବାହିନୀ ମୃତୟନ ହୋଇ ରହିଛନ୍ତି। ଏହା ସହିତ ପୁଲିସ ଗାଡି ମଧ୍ୟ ପଇଁତରା ମାରୁଥିବାର ଦେଖାଯାଉଛି। ଏତେ ସବୁ ତାମଝାମ ସତ୍ୱେ ସହର ତଥା ଆଖପାଖ ଅଞ୍ଚଳର ଥାନା ଗୁଡିକରେ ଅବୈଧ୍ୟ ନିଶା କାରବାର, ଦାଦାବଟି, ଗୋଷ୍ଠୀ ସଂଘର୍ଷ ଆଦି ମାମଲା ଗୁଡିକରେ ବେଶ ବୃଦ୍ଧି ପରିଲକ୍ଷିତ ହେଉଛି। ସହରବାସୀଙ୍କ ଅନୁଯାୟୀ ପୁଲିସ ତାର ଦାୟିତ୍ୱ ସଠିକ ନିର୍ବାହରେ ବାରମ୍ବାର ବିଫଳ ହେଉଥିବାରୁ ଅପରାଧିକ ଗତିବିଧି ବୃଦ୍ଧି ପାଇ ଚାଲିଛି ବୋଲି ମତ ଦେଉଛନ୍ତି। କୌଣସି ଅପରାଧିକ ଘଟଣା ଘଟିଲେ, ପୁଲିସ ଯେତିକି ତତ୍ପରତା ଦେଖାଇ କିଛି ଛୋଟିଆ ଅପରାଧିଙ୍କୁ ଧରି ମାମଲାକୁ ରଫାଦଫା କରୁଥିବା ବେଳେ ଅପରାଧିଙ୍କ ଦମନ ସମୟରେ ଗତି ସମ୍ପୁର୍ଣ୍ଣ ଧିରମନ୍ଥର ହୋଇଯାଉଛି। ବିଗତ ଦିନରେ ଶାସନ ଥାନା ଅର୍ନ୍ତଗତ ଡାଇକ ଅପରାଧିକ ଘଟଣା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଭ୍ୟାସଗତ ଅପରାଧି ହେବା ସହିତ ତାର ଦାଦାବଟି ମାଗିବାର ପୁରୁଣା ନଜୀର ରହିଛି। ଏହି ଘଟଣାରେ ଗଣମାଧ୍ୟମର ଚାପ ବୃଦ୍ଧି ପାଇବାରୁ ଦୁଇ ଜଣ ସହ ଯୋଗୀ ଓ ଦୁଇଟି ମୋଟର ବାଇକ ଗୁଡିକୁ ଜବତ କରି ମାମଲାକୁ ଥଣ୍ଡା ବାକ୍ସ ମଧ୍ୟରେ ରଖିଦେଇଛି। ଘଟଣାର ୮ ଦିନ ବିତିଯିବା ପରେ ମଧ୍ୟ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ସାଥି ମାନଙ୍କୁ ଧରିବାରେ ବିଫଳ ରହିଛି। ଆରକ୍ଷୀ ଅଧିକ୍ଷକଙ୍କ କଡା ଚେତାବନୀ ଓ ପୁଲିସର ବାରମ୍ବାର ଦାବି ସତ୍ୱେ କିନ୍ତୁ ଅପରାଧିକ ଗତିବିଧି ଉର୍ଦ୍ଧଗାମୀ ରହିଥିବାରୁ କଥାରେ ନ କହି କାମରେ କରି ଦେଖାଇବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Comments are closed.