ହାରୁଛି କରୋନା, ଜିତୁଛି ଜୀବନ; ‘ଭଗବାନ ଶତ୍ରୁକୁ ମଧ୍ୟ ଏ କଷ୍ଟ ନଦିଅନ୍ତୁ’

ସମ୍ବଲପୁର: କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି କଳାହାଣ୍ଡି ଜିଲା ଭବାନୀପାଟଣା ସହର ଶମ୍ଭୁନଗରପଡ଼ାର ରାକେଶ ପଟ୍ଟନାୟକ। ଭବାନୀପାଟଣାର ଏକ ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ରାକଶ। ହଠାତ୍‌ ହୋଟେଲର ଜଣେ କର୍ମଚାରୀଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କୁ ନେଇ କରୋନା ପରୀକ୍ଷା କରାଇଥିଲେ। ସେହି କର୍ମଚାରୀ ଜଣକ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଦିନକ ପରେ ରାକେଶ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ। ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଭୟଭୀତ ହୋଇପଡ଼ିଥିଲେ। ଘରେ ମାଆ ଓ ସ୍ତ୍ରୀ ରହୁଥିବାରୁ ସେ ଗୃହ ସଂଗରୋଧରେ ରହିବାକୁ ଉଚିତ ମନେକଲେ ନାହିଁ।

 

କୋଭିଡ୍‌ ଡାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ନିଷ୍ପତ୍ତି ନେବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସରେ ତୁରନ୍ତ ମୁଷିଗୁଡ଼ାସ୍ଥିତ କୋଭିଡ୍‌ ଯତ୍ନ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର କିଛି ଔଷଧ ଦେଇଥିଲେ। କିନ୍ତୁ ରାତିରେ ପ୍ରବଳ ଜ୍ୱର ହୋଇଥିଲା ଓ ତା’ ପରଦିନ ସକାଳୁ ଡାକ୍ତର ଆସି ପଚାରିବା ପରେ ସମସ୍ୟା କହିବାରୁ ସେ ଔଷଧ ଦେଇଥିଲେ। ସେଠାରେ ଖାଇବା ପିଇବା କୌଣସି ଅସୁବିଧା ନଥିଲା। କିନ୍ତୁ କରୋନା ସମୟରେ ତଣ୍ଟି ବଥା ଯୋଗୁଁ ପାଣି ଟିକିଏ ମଧ୍ୟ ଭଲ ଭାବରେ ପିଇପାରୁନଥିଲେ। ଛାତି ମଧ୍ୟ ବହୁତ ଯନ୍ତ୍ରଣା ହେଉଥିଲା। ଅମ୍ଳଜାନ ଦିଆଯାଇଥିଲା। ସେ ପୁରା ଦୁର୍ବଳ ହୋଇଯାଇଥିଲେ। ୮ ଦିନ ପରେ ସେ ସେଠାରୁ ଘରକୁ ଫେରିବା ପରେ ମଧ୍ୟ ଦେହ ଦୁର୍ବଳ ଯୋଗୁଁ ମୁଣ୍ଡ ବୁଲାଇବା ସହିତ ବାନ୍ତି ଲାଗୁଥାଏ। କିଛି ଖାଇବାକୁ ଇଚ୍ଛା ହେଉନଥିଲା। ‘ଦୀର୍ଘ ୧୭ ଦିନ ମୁଁ କିପରି କାଟିଛି ତାହା ମୁଁ ଜାଣିଛି। ଭଗବାନଙ୍କୁ ଡାକୁଛି ଶତ୍ରୁକୁ ମଧ୍ୟ କରୋନା ନହେଉ’ ବୋଲି ରାକେଶ ପ୍ରକାଶ କରିଛନ୍ତି।

Comments are closed.